ବିଦ୍ୟୁତ ଶୁଳ୍କ ବୃଦ୍ଧି ଓ ଘରୋଇକରଣକୁ ବିରୋଧ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ବିକ୍ଷୋଭ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆଜି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି, କେନ୍ଦ୍ରସରକାରଙ୍କ ସରକାରୀ ଉଦ୍ୟୋଗକୁ ଘରୋଇକରଣ ଉଦ୍ୟମ, ଶ୍ରମିକ କୃଷକ ମାରଣା ନୀତି ଓ ଅନ୍ୟ କର୍ମଚାରୀ ମାରଣା ନୀତି ପ୍ରତିବାଦରେ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା ଓ ଅନୁଗୋଳ ଜିଲ୍ଲା ଇନ୍‌ଟକ୍‌ (ଆଇଏନ୍‌ଟିୟୁସି)ର ସଭାପତି ଦିଗାମ୍ବର ଗଡନାୟକ ନେତୃତ୍ୱରେ ବଅଁରପାଳ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ କାରୀମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗରିବ ଓ ଶ୍ରମିକ ମାରଣା ନୀତି ଓ ଘରୋଇକରଣ ପ୍ରତିବାଦରେ ୨୨ ଦଫା ଦାବିରେ ନାରାବାଜୀ କରିଥିଲେ।

ରାଜ୍ୟ ସରକାରଙ୍କ ବଢାଇଥିବା (ମିନିଟ ପିଛା ୨୦) ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର, ଅତୀତରେ ବିଦ୍ୟୁତ ଦାୟିତ୍ୱରେ ନେଇଥିବା ଘରୋଇ କମ୍ପାନିମାନଙ୍କ ତଦନ୍ତ, ଘରୋଇ ବିଦ୍ୟୁତ ବିତରକ କମ୍ପାନି ମାନଙ୍କର ଖାଉଟିଙ୍କ ଉପରେ ନେଇ ଜୁଲୁମ ବନ୍ଦ, ଘରୋଇ ବିଦ୍ୟୁତ କମ୍ପାନିରେ ମହିଳାଙ୍କ ନିଯୁକ୍ତି, ଅଧିକ ଜଳ ବିଦ୍ୟୁତ ପରିଯୋଜନା କରିବା, ଶ୍ରମ ଆଇନ୍‌ ପରିବର୍ତ୍ତନ ବାତିଲ, କୋଲ ଇଣ୍ଡିଆ, ବ୍ୟାଙ୍କ, ପ୍ରତିରକ୍ଷା ଶିଳ୍ପ, ନାଲକୋ, ଏନ୍‌ଟିପିସିର ଘରୋଇକରଣ ବନ୍ଦ, ନିର୍ମାଣ ଶ୍ରମିକମାନଙ୍କୁ ରାଜ୍ୟ ସରକାର ୫୦୦୦ ଟଙ୍କା ନିଜ ପାଣ୍ଠିରୁ ଦେବା ଓ ପୂର୍ବରୁ ଦିଆଯାଇଥିବା ୧୫୦୦୦ ଟଙ୍କା ସମସ୍ତ ୩୦ ଲକ୍ଷ୍ୟ ଶ୍ରମିକଙ୍କୁ ଦେବା, ଶ୍ରମିକ ମାନଙ୍କ ବାକିଆ ପଡିଥିବା ପଞ୍ଜୀକରଣ, ନବୀକରଣ, ସହାୟତା, ମୃତ୍ୟ ଜନିତ କ୍ଷତି ପୂରଣ ଦେବା, ଶ୍ରମିକ ମାନଙ୍କୁ ଭବିଷ୍ୟତନିଧି, ଶ୍ରମିକ ସ୍ୱାସ୍ଥ୍ୟ ବୀମା ଯୋଜନା, କୃଷି ଆଇନ୍‌କୁ ବାତିଲ କରିବା ସମସ୍ତ ପ୍ରବାସୀଙ୍କୁ କାମ ଓ ସର୍ବନିମ୍ନ ମଜୁରି ୨୧,୦୦୦ ଟଙ୍କା ଦେବା ପାଇଁ ବିକ୍ଷୋଭକାରୀମାନେ( ୨୨ ପ୍ରକାରର) ଦାବି କରିଥିଲେ।

ଏହି ମର୍ମରେ ଏକ ଦାବିପତ୍ର ଅତିରିକ୍ତ ତହସିଲଦାର ଶ୍ୟାମସୁନ୍ଦର ସାହୁଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ନାଲକୋ ଏମପ୍ଲୋଇଜ ସଂଘର ସାଧାରଣ ସମ୍ପାଦକ ନିର୍ମଳ କୁମାର ସାମଲ, ଶ୍ରମିକ ନେତା ପରେଶ ଚନ୍ଦ୍ର ଜେନା, ଦିଲୀପ ରାଉତ, ଟୀକନ ସାମଲ, ବିଭତ୍ସ ଜେନା, ହେମନ୍ତ ପ୍ରଧାନ, ସୁଜିତ ସେଠ, ସନ୍ତୋଷ ମହାରଣା ଓ ପ୍ରଦୀପ ଜେନାଙ୍କ ସମତେ ବହୁ ସଂଖ୍ୟକ ଶ୍ରମିକ ନେତା ଓ ପୁରୁଷ, ମହିଳା ଶ୍ରମିକ ଏହି ବିକ୍ଷୋଭ ରେ ଯୋଗଦାନ କରିଥିଲେ।

ସମ୍ବନ୍ଧିତ ଖବର