ବିଦ୍ୟୁତ କର୍ମଚାରୀଙ୍କୁ ମାଡ଼: ଥାନା ଆଗରେ ଧାରଣା ପରେ ଅଭିଯୁକ୍ତକୁ ଧରିଲା ପୁଲିସ

ଅନୁଗୁଳ: ଆଜି ଅନୁଗୁଳ ଥାନା ଅଙ୍ଗାରବନ୍ଧ ଗାଁରୁ ବାକି ଥିବା ବିଦ୍ୟୁତ ବିଲ ଆଦାୟ ବେଳେ ଜଣେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଅଙ୍ଗାରବନ୍ଧ ଗାଁର ସୁଶାନ୍ତ ଦାସଙ୍କ ପୁରୁଣା ବକେୟା ଥିବା ଟଙ୍କାକୁ ପରିଶୋଷ ନକରିବାରୁ ଆଜି ତାଙ୍କ ବିଦ୍ୟୁତ ସଂଯୋଗକୁ ବିଛିନ୍ନ କରାଯାଇଥିଲା। ଏଥି ସହିତ ବିଦ୍ୟୁତ ସଂଯୋଗ କାଟିବା ପାଇଁ ଗତ ଡିସେମ୍ବର ମାସରୁ ତାଙ୍କୁ ନୋଟିସ୍‌ କରାଯାଇଥିଲା। ସେ ତାଙ୍କ ବକେୟା ରାଶିକୁ ପୈଠ ନକରିବାରୁ ଆଜି ସୁଶାନ୍ତଙ୍କ ବିଦ୍ୟୁତ ସଂଯୋଗକୁ ବିଛିନ୍ନ କରାଯାଇଥିଲା।

ସୁଶାନ୍ତଙ୍କ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଥିବା ଜାଣିବା ପରେ ତାଙ୍କ ସଂଯୋଗ କାଟିଥିବା କନିଷ୍ଠ ଯନ୍ତ୍ରୀ ଦୀପକ ପାତ୍ରଙ୍କୁ ଗାଳିଗୁଳଜ କରିବା ସହିତ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ। ତାଙ୍କ ପିଠି, ଗୋଡ଼ ଓ ହାତରେ ଠେଙ୍ଗା ମାଡ଼ ହୋଇଥିବା ନେଇ ଦୀପକ ପାତ୍ର ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗକୁ ଭିତ୍ତିକରି ଅନୁଗୁଳ ପୁଲିସ୍‌ ଏକ ଟିମ୍‌ ଅଙ୍ଗାରବନ୍ଧ ଗାଁକୁ ଯାଇଥିଲେ। ହେଲେ ସୁଶାନ୍ତଙ୍କୁ ଗିରଫ ନକରି ଫେରି ଆସିଥିଲେ। ଦୀପକ ଏ ସଂକ୍ରାନ୍ତରେ ଏନେ୍‌ଜନ୍‌ ଓ ସେସୁର କର୍ମଚାରୀମାନଙ୍କୁ ଅବଗତ କରାଇଥିଲେ। ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବନ୍ତଳା ସେକସନ୍‌ ଏନ୍‌ଜେନ୍‌ ଓ ସେସୁର କର୍ମଚାରୀମାନେ ଅନୁଗୁଳ ଥାନାକୁ ପହଂଚି ଅଭିଯୁକ୍ତକୁ ଗିରଫ ଦାବିରେ ଧାରଣା ଦେଇଥିଲେ। କର୍ମଚାରୀଙ୍କ ଆନ୍ଦୋଳନ ପରେ ପୁଲିସ ଚାପରେ ଆସି ଅଭିଯୁକ୍ତ ସୁଶାନ୍ତ ଦାସକୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର