ଗାଁଠୁ ସହର ସବୁଠି ଅସନ୍ତୋଷ, ଉପଭୋକ୍ତାଙ୍କୁ କନ୍ଦାଉଛି ଅଘୋଷିତ ବିଦ୍ୟୁତ୍ କାଟ

ଜଗତସିଂହପୁର ଟାଉନ୍: ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍(ଟିପିସିଓଡିଏଲ୍) ବିଦ୍ୟୁତ୍ ବଣ୍ଟନ ଦାୟିତ୍ବ ନେବା ପରେ ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଲୋ–ଭୋଲ୍‌ଟେଜ୍ ସହ ଅଘୋଷିତ ବିଦ୍ୟୁତ୍ କାଟ ଚାଲିଛି। ଏଣେ ବର୍ଦ୍ଧିତ ବିଦ୍ୟୁତ୍‌ ବିଲ୍‌ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ଉପଭୋକ୍ତାଙ୍କୁ କନ୍ଦାଇଲାଣି। ଗାଁଠୁ ସହର ସବୁଠି ଏହି ସମସ୍ୟା। ଟାଟା ପାୱାରର ନୂଆ ମିଟର ଲଗାଇ ଉପଭୋକ୍ତାଙ୍କୁ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇଛି। ଜିଲ୍ଲା ମୁଖ୍ୟାଳୟରେ ଦିନକୁ ହାରାହାରି ୨୦ ଥରରୁ ଅଧିକ ଅଘୋଷିତ ବିଦ୍ୟୁତ୍ କାଟ କରାଯାଉଥିବା ଦେଖିବାକୁ ମିଳୁଛି। ମୁଖ୍ୟାଳୟ ମଧ୍ୟ ଏହି ସମସ୍ୟାରୁ ବାଦ୍‌ ପଡ଼ୁନାହିଁ। ଟାଟା ପାୱାରର ଦାୟିତ୍ବହୀନତା ପାଇଁ ଗତ ଶନିବାର ଦିନ ସକାଳୁ ଅଘୋଷିତ ଭାବେ ବିଦ୍ୟୁତ୍ କାଟ ହୋଇଥିଲା। ସନ୍ଧ୍ୟା ୫ଟାରେ ବିଦ୍ୟୁତ୍ ଆସିଲା। ପାଣି ମଟର ଚାଲି ପାରି ନବାରୁ ଲୋକମାନେ ଶୌଚ ମଧ୍ୟ ହୋଇ ପାରି ନଥିଲେ। ଏ କେବଳ ଗୋଟିଏ ଉଦାହରଣ। ଅଧିକାଂଶ ସମୟ ଉପଭୋକ୍ତାଙ୍କୁ ନଜଣାଇ ବିଦ୍ୟୁତ୍ କାଟ କରାଯାଉଛି। ଦିନକୁ ୫ ମିନିଟ୍, ୧୦ ମିନିଟ୍ ଅଧଣ୍ଟା କରି ପ୍ରାୟ ୪ରୁ ୫ ଘଣ୍ଟା ବିଦ୍ୟୁତ କାଟ ହେଉଛି।

ସେଥିପାଇଁ ଅନେକ ଉନ୍‌ଭର୍ଟର୍‌ କିଣିବାକୁ ବାଧ୍ୟ ହେଉଛନ୍ତି। ତେବେ ପୂର୍ବ ବିଦ୍ୟୁତ୍ ବିତରଣ କମ୍ପାନି ପରି ଇନ୍‌ଭର୍ଟର ବିକ୍ରି ବଢ଼ାଇବା ପାଇଁ ଟାଟା ପାୱାର ଅଧିକାରୀଙ୍କ ଏହା ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହେଲାଣି। ସାମାନ୍ୟ ବର୍ଷା କି ପବନ‌ରେ ଗଛ ପତ୍ର ହଲିଲେ ଗ୍ରାମାଚଂଳରେ ବିଦ୍ୟୁତ୍ କାଟି ଦିଆ ଯାଉଛି। ଟାଟା ପାୱାର ବିଦ୍ୟୁତ୍ ବିତରଣ ଦାୟିତ୍ବ ନେବା ପରେ ଲୋକଙ୍କୁ ଶୋଷଣ କରୁଥିବା ନେଇ ଅଭିଯୋଗ ହେଉଛି। ଦୁର୍ବଳ ଭିତ୍ତିଭୂମି ଥିବା ବିଦ୍ୟୁତ୍‌ ପରିବଣ୍ଟନ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେଭଳି କିଛି ପ୍ରୟାସ କରାଯାଉନାହିଁ। ପୂର୍ବରୁ ଯାହା ସ୍ଥିତି ଥିଲା ଏବ ସମାନ ରହିଛି। ଗ୍ରାମାଚଂଳରେ ବିଦ୍ୟୁତ୍ ତାର ହାତପାହାନ୍ତାରେ ଝୁଲି ରହିଛି। କେଉଁଠି ଖୁଣ୍ଟ ଅଧା ଭାଙ୍ଗି ଯାଇଛି ତ କେଉଁଠି ବଙ୍କା ହୋଇ ରହିଛି। ପୁରୁଣା ତାରରେ ଏଲ୍‌ଟି ଏବଂ ଇଲେଭେନ୍ କେଭିର ପୁରୁଣା ତାରରେ ବିଦ୍ୟୁତ୍ ବିତରଣ କରାଯାଉଛି। ଏସି ସୁଇଚ୍‌ ଅଧିକାଂଶ ସ୍ଥାନରେ ଖରାପ ହୋଇ ଗଲାଣି। ଏଭଳି ସ୍ଥିତିରେ ବିପର୍ଯ୍ୟସ୍ତ ବିଦ୍ୟୁତ ସେବା ନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ବଢ଼ିଊଲାଣି ।

ସମ୍ବନ୍ଧିତ ଖବର