ରୋଗୀଣା ମା’ଙ୍କୁ ନେଇ ରିକ୍ସାରେ ଜିଲ୍ଲାପାଳଙ୍କ ନିକଟକୁ ବାହାରିଲା ପୁଅ

ମାଲକାନଗିରି: ଦିନକୁ ଦିନ ଅସହ୍ୟ ହେଉଛି ଟାଟା ପାଓ୍ବାର ଦାଦିଗିରି। ବିଦ୍ୟୁତ ବିଲ ଆଦାୟ ଆଳରେ ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି ଟାଟା କମ୍ପାନିର କର୍ମଚାରୀମାନେ। ବିଦ୍ୟୁତ ବିଲ ପୈଠ ହୋଇଥିବା ସତ୍ବେ ମାଲକାନଗିରି ଜିଲ୍ଲାର ଏମଭି-୪୧ ଗ୍ରାମର ଜଣେ ଗ୍ରାହକଙ୍କ ବିଦ୍ୟୁତ କାଟି ଦେଇଥିବା ଅଭିଯୋଗ କରାଯାଇଛି। ବିଦ୍ୟୁତ କାଟିବା ବାହାନାରେ ମକା ବାଡକୁ କାଟି ଛିନଭିନ କରିଦେଇଛନ୍ତି ଟାଟା କମ୍ପାନିର କର୍ମଚାରୀମାନେ। ଏପଟେ ଘରେ ବୃଢି ମାଆ ଶଯ୍ୟାଶାୟୀ ଥିଲେ ମଧ୍ୟ କୌଣସି ବାଛବିଚାର ନକରି ବିଦ୍ୟୁତ କାଟିଦେଲେ କର୍ମଚାରୀ। ଟାଟା କମ୍ପାନିର ଏଭଳି କାଣ୍ଡକୁ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଛି।  ମାଲକାନଗିରିରେ ଦିନକୁ ଦିନ ଟାଟା ପାୱାର ଦୌରାତ୍ମ୍ୟ ବଢିବାରେ ଲାଗିଛି। ବିଦ୍ୟୁତ ବିଲ ପୈଠ କରିଥିଲେ ମଧ୍ୟ ବିଦ୍ୟୁତ କାଟି ଦେଉଛନ୍ତି ଟାଟା କମ୍ପାନିର କର୍ମଚାରୀମାନେ। ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଏମଭି-୪୧ ଗ୍ରାମରୁ।

ଏହି ଗ୍ରାମର ଦୀପକ ଦେଙ୍କ ମା’ ଏବେ ଶଯ୍ୟାଶାୟୀ। ସେ ଶ୍ବାସ ରୋଗୀ। ତାଂକୁ ସବୁବେଳେ ଫ୍ୟାନ, ନେବ୍ୟୁଲାଇଜର ସହ କୁଲର ଦରକାର ପଡିଥାଏ। କିନ୍ତୁ ଅନ୍ଧାର ରାତିରେ ଜବରଦସ୍ତ ଦୀପକ ଦେଙ୍କ ବିଦ୍ୟୁତକୁ କର୍ମଚାରୀ ମାନେ ଦାଦାଗିରି କରି କାଟି ଦେଇଛନ୍ତି। ଆଉ ବିଦ୍ୟୁତ କାଟିବା ସମୟରେ ଟ୍ରାନ୍ସଫର୍ମର ନିକଟରେ ଥିବା ମକା ବାଡକୁ ଛିନଭିନ କରି ଭାଙ୍ଗି ଦେଇ ଚାଲିଗଲେ। ଦୀପକ ଦେଙ୍କ ସ୍ତ୍ରୀ ନାମରେ ବିଦ୍ୟୁତ ସଂଯୋଗ ରହିଛି। ଗତ ୧୬ ତାରିଖ ଦିନ ୬୯୬ ଟଂକାର ବିଲ ଆସିଥିବା ବେଳେ ସେହି ଦିନ ହିଁ ସେ ଟଂକା ପୈଠ କରି ୭୦୦ ଟଂକା ପୈଠ କରି ରସିଦ ପାଇଛନ୍ତି। ସେହିପରି ଉଠାଜଳସେଚନ ବାବଦକୁ ୨୧,୩୯୨ ଟଂକାର ବିଲ ଆସିଥିବା ବେଳେ ସେପ୍ଟେମ୍ବର ୯ ତାରିଖରେ ୭ ହଜାର ଟଂକା ପୈଠ କରିଛନ୍ତି।

Sambad

ତେବେ ଦୀପକଙ୍କ କଥାକୁ ବିଚାର ନକରି ଜବରଦସ୍ତ ଘର ସହ ଉଠା ଜଳସେଚନରର ବିଦ୍ୟୁତ କାଟ କରି ଦେଇଛନ୍ତି। ଆଶାକିରଣ ମେଡିକାଲରେ ମାକୁ ନେଇ ପ୍ରାୟ ୩ ଲକ୍ଷ ଟଂକା ଖର୍ଚ୍ଚ କରି ସାରିଲେଣି।ଆହୁରି ୫ ଲକ୍ଷ ଟଂକା ଦରକାର ପଡୁଛି। ତେବେ ସେ ଜଣେ ନାମକୁ ମାତ୍ର ଚାଷୀ ହୋଇଥିବା ବେଳେ କିପରି ମାଙ୍କର ଚିକିତ୍ସା କରାଇବ ଚିନ୍ତାରେ ପଡିଥିବା ବେଳେ ଏପଟେ ବିଦ୍ୟୁତ ବିଭାଗର ଦାଦାଗିରି ଦୀପକଙ୍କୁ ଆହୁରି ଚିନ୍ତାରେ ପକାଇଛି। ଏହାର ପ୍ରତିବାଦ କରି ଆଜି ଦୀପକ ଦେ ନିଜର ରୋଗୀଣା ମାକୁ ନେଇ ନିଜର ରିକ୍ସାରେ ଶୋଇଦେଇ ପ୍ରାୟ ୨୨ କିଲୋମିଟର ବାଟ ଚାଲି ଚାଲି ଜିଲ୍ଲାପାଳଙ୍କ ନିକଟକୁ ଆସୁଥିଲେ।

ଏହି ଖବର ପୁଲିସ ଏବଂ ପ୍ରଶାସନ ନିକଟରେ ପହଞ୍ଚିବା ପରେ ରାସ୍ତାରେ ହିଁ ଦୀପକଙ୍କୁ ବୁଝାସୁଝା କରାଯାଇଥିଲା। କିନ୍ତୁ ଦୀପକ ତୁରନ୍ତ ଯେଉଁ କର୍ମଚାରୀ ବିଦ୍ୟୁତ କାଟ କରିଛନ୍ତି ତାଂକୁ ବହିଷ୍କାର କରାନଗଲେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ହିଁ ମୃତ୍ୟୁବରଣ କରିବେ। ତେବେ ପୁଲିସ ବୁଝାସୁଝା କରି ମାକୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଦୀପକଙ୍କ ଘରେ ତୁରନ୍ତ ବିଦ୍ୟୁତ ଦେବା ନେଇ ନିର୍ଦେଶ ଦିଆଯାଇଛି। ତେବେ ଏହି ଘଟଣାର ଉଚିତ ତଦନ୍ତ କରାଯାଇ ଦୀପକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସ୍ଥାନୀୟ ଲୋକେ ମଧ୍ୟ ଦାବି କରିଛନ୍ତି। ଜଣେ ଟଂକା ପୈଠ କରିବା ପରେ ମଧ୍ୟ କିପରି ବିଦ୍ୟୁତ କାଟ କରାଯାଉଛି ତାହା ତଦନ୍ତ ସାପେକ୍ଷ ବୋଲି କୁହାଯାଇଛି। ଟାଟା ପାଓ୍ବାର ଏଭଳି ଦାଦାଗିରିକୁ ବରଦାସ୍ତ କରାଯିବ ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର