ଅଘୋଷିତ ବିଦ୍ୟୁତକାଟର ପ୍ରତିବାଦ, ପିପିଳଗୁଡ଼ା ସବ୍ ‌ଷ୍ଟେସନରେ ତାଲା ପକାଇଲେ ସରପଞ୍ଚ

ନିରିବିଚ୍ଛିନ୍ନ ବିଦ୍ୟୁତ୍ ସେବା ଦାବି କଲେ ୭ ପଞ୍ଚାୟତବାସୀ, ୪ ଦିନରେ ତ୍ରୁଟି ସୁଧାରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି

ରାୟଗଡ଼ା: ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। ତାତି ଏମିତି ବଢ଼ୁଛି ଯେ ଦିନ ୧୦ଟା ପରେ ଘରୁ ପଦାକୁ ବାହାରି ହେଉନି। ଏପଟେ ଅଘୋଷିତ ବିଦ୍ୟୁତକାଟ ଯୋଗୁ ଘରେ ମଧ୍ୟ ରହି ହେଉନି। ବାରମ୍ବାର ଅବଗତ ପରେ ମଧ୍ୟ ନିରିବିଚ୍ଛିନ୍ନ ବିଦ୍ୟୁତ୍ ସେବା ମିଳିପାରୁନି। ଦିନକୁ ଅତି କମରେ ୧୦ ଘଣ୍ଟା ବିଦ୍ୟୁତକାଟ ହେଉଛି। ଏପରି ଅଭିଯୋଗ ଆଣି ଆଜି ରାୟଗଡ଼ା ବ୍ଲକର ପିପିଳଗୁଡ଼ା ବିଦ୍ୟୁତ ସବଷ୍ଟେସନରେ ତାଲା ପକାଇଛନ୍ତି ସରପଞ୍ଚ ରେଣୁକା ମାଣ୍ଡାଙ୍ଗି। ସରପଞ୍ଚ ଅଭିଯୋଗ କରିଛନ୍ତି, ଘନଘନ ବିଦ୍ୟୁତକାଟରେ ଘାଣ୍ଟି ହେଉଛନ୍ତି ୭ ପଞ୍ଚାୟତବାସୀ। ପିଲାଙ୍କ ପାଠପଢ଼ାଠୁ ଆରମ୍ଭ କରି ସବୁ କିଛି ଦୈନନ୍ଦିନ କାର୍ଯ୍ୟ ବିଦ୍ୟୁତକାଟ ପାଇଁ ବାଧାପ୍ରାପ୍ତ ହେଉଛି। ଶର୍ଯ୍ୟାଶାୟୀ ରୋଗୀଙ୍କ ଦୁଃଖ କଥା ନ କହିବା ଭଲ। ପ୍ରତିଦିନ ଲୋକ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଅଭିଯୋଗ କରୁଛନ୍ତି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜରକୁ ଆଣିବା ସତ୍ତ୍ବେ ସମାଧାନର ରାସ୍ତା ନ ବାହାରିବାରୁ ବିଦ୍ୟୁତ ସବଷ୍ଟେସନରୁ ବାଧ୍ୟ ହୋଇ ତାଲା ପକାଇଲୁ। ଆସନ୍ତା ୪ ଦିନ ମଧ୍ୟରେ ଯଦି ନିରିବିଚ୍ଛିନ୍ନ ବିଦ୍ୟୁତ ଯୋଗାଣରେ ବିଭାଗୀୟ କର୍ତ୍ତୃପକ୍ଷ ସଫଳ ନ ହୁଅନ୍ତି ତାହାହେଲେ ଆନ୍ଦୋଳନକୁ ଜୋରଦାର୍ କରାଯିବ ବୋଲି ସରପଞ୍ଚଙ୍କ ସମେତ ୭ ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।

ରାୟଗଡ଼ା ବ୍ଲକର ବଡଆଳୁବାଡି, ପିପିଳଗୁଡ଼ା, ମିରାବାଲି, ଦୁର୍ଗାପାଡୁ, କାରୁବାଇ, ଡାଙ୍ଗଲୋଡି ପଞ୍ଚାୟତକୁ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ଲକ୍ଷ୍ୟରେ ପିପିଳଗୁଡ଼ାରେ ଓଡ଼ିଶା ଶକ୍ତି ସଞ୍ଚାରଣ ନିଗମ (ଓପିଟିଏସଏଲ୍) ପକ୍ଷରୁ ୩୨/୧୧ କେଭି ବିଦ୍ୟୁତ ସବଷ୍ଟେସନ୍ ପ୍ରତିଷ୍ଠା ହୋଇଛି। ୨୦୨୧ ସେପ୍ଟେମ୍ବର ୨୮ ତାରିଖରେ ବିଦ୍ୟୁତ ସବଷ୍ଟେସନର ଲୋକାର୍ପଣ ହୋଇଥିଲା। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ସବଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ଗ୍ରାମାଞ୍ଚଳରୁ ବିଦ୍ୟୁତ ସମସ୍ୟା ଦୂର ହେବା ନେଇ ଲୋକେ ଆଶା ବାନ୍ଧିଥିଲେ। କିନ୍ତୁ ବିଦ୍ୟୁତ ସମସ୍ୟାରେ ସୁଧାର ଆସିବା ପରିର୍ବତ୍ତେ ପୂର୍ବଭଳି ହିଁ ଘନ ଘନ ବିଦ୍ୟୁତକାଟ ଜାରି ରହିଛି ବୋଲି ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଆଜି ସରପଞ୍ଚଙ୍କ ନେତୃତ୍ବରେ ପଞ୍ଚାୟତବାସୀ ସବଷ୍ଟେସନରେ ପହଞ୍ଚି ତାଲା ପକାଇବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ସବଷ୍ଟେସନ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଥିଲେ ସରପଞ୍ଚଙ୍କ ସମେତ ଉତ୍ତ୍ୟକ୍ତ ଲୋକେ।

ସମ୍ବନ୍ଧିତ ଖବର