ବ୍ରହ୍ମପୁର: ବିଦ୍ୟୁତ ଉପଭୋକ୍ତାଙ୍କୁ ପ୍ରିପେଡ୍‌ ମିଟର୍‌ ଦେବା ନାଁରେ ବଡ଼ ଧରଣର ଟଙ୍କା ଠକେଇ ହୋଇଛି। ଟାଟା ପାୱାର୍‌ରୁ ଟେଣ୍ଡର୍‌ ପାଇ ନିଜକୁ ଏକ ନକଲି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ କହି ବିଶ୍ବନାଥ ବିଶ୍ବାଳ(୪୨) ନାମକ ଜଣେ ବ୍ୟକ୍ତି ପ୍ରାୟ ୫୪ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଟିପିଏସ୍‌ଓଡିଏଲ୍‌ଏସ୍‌ର ଜେନେରାଲ୍‌ ମ୍ୟାନେଜର୍‌ ଲେଙ୍କା ପ୍ରସାଦ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନମ୍ବର ୨୮/୨୧ରେ ଅଭିଯୁକ୍ତ ବିଶ୍ବନାଥଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଏଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି।

Advertisment

ପୁଲିସ ସୂଚନା ଅନୁସାରେ ସାଉଥ୍‌କୋକୁ ଟାଟା କମ୍ପାନି ନେବା ପରେ ବିଦ୍ୟୁତ ଗ୍ରାହକଙ୍କୁ ପ୍ରିପେଡ୍‌ ମିଟର୍‌ ଦିଆଯିବ ବୋଲି ଅଭିଯୁକ୍ତ ବିଶ୍ବନାଥ ଲୋକଙ୍କୁ କହିଥିଲେ। ଏଥିପାଇଁ ସେ ଗ୍ରାହକଙ୍କୁ ମିଟର୍‌ ଯୋଗାଇବା ପାଇଁ ଟାଟା ପାୱାର୍‌ ଠାରୁ ଟେଣ୍ଡର୍‌ ପାଇଥିବା ନେଇ କାଗଜପତ୍ର ଦେଖାଇଥିଲେ। ନିଜକୁ ଏମ୍‌/ଏସ୍‌ ମା’ ତାରାତାରିଣୀ ସର୍ଭିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ବୋଲି ପରିଚୟ ଦେଇଥିଲେ ଅଭିଯୁକ୍ତ ବିଶ୍ବନାଥ। ଜାଲ୍‌ କାଗଜପତ୍ର ଦେଖାଇ ସେ ଟାଟା ପାୱାର୍‌ ଅଧୀନରେ ଥିବା ଦକ୍ଷିଣାଞ୍ଚଳର ୭ଟି ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ରାୟଗଡ଼ା ଓ କଳାହାଣ୍ଡିର ଗ୍ରାହକଙ୍କୁ ପ୍ରିପେଡ୍‌ ମିଟର୍‌ ଦେବା ପାଇଁ କହିଥିଲେ। ଗ୍ରାହକଙ୍କୁ ଗୋଟିଏ ମିଟର୍‌ ପରିବର୍ତ୍ତନ କଲେ କମିସନ୍‌ ଆକାରରେ ୧୭୦ଟଙ୍କା ମିଳିବ ବୋଲି ବିଶ୍ବନାଥ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ସଂଯୋଜକ ରହିବ ବୋଲି ସେ କିଛି ଲୋକଙ୍କୁ କହିଥିଲେ। ଏହା ବାବଦରେ ସେ ବହୁ ଲୋକଙ୍କ ଠାରୁ ଆଗୁଆ ସିକ୍ୟୁରିଟି ଡିପୋଜିଟ୍‌ ହିସାବରେ ୩୦ହଜାର ଟଙ୍କା ଲେଖାଏଁ ଆଦାୟ କରିଥିଲେ। କିନ୍ତୁ ଦୀର୍ଘଦିନ ପରେ ସେ ମିଟର୍‌ ଦେଇ ନଥିଲେ କି ଟଙ୍କା ମଧ୍ୟ ଫେରସ୍ତ କରି ନଥିଲେ। ଏ ନେଇ କିଛି ଲୋକ ଟାଟା ପାୱାର୍‌ ନିକଟରେ ଅଭିଯୋଗ କରିଥିଲେ।

Three Men Charged With Murder of St. Thomas Businessman - Jamaica  Constabulary Force Jamaica Constabulary Force

ଏହି ଅଭିଯୋଗ କ୍ରମେ ଟାଟା ପାୱାର୍‌ ତରଫରୁ ଥାନାରେ ଏତଲା ଦିଆଯାଇଥିଲା। ଏହି ଏତଲାକୁ ଭିତ୍ତି କରି ପୁଲିସ ନୂଆ ବସଷ୍ଟାଣ୍ଡ୍‌ ରୋଡ଼ କାଳୀ ମନ୍ଦିର ନିକଟରେ ଥିବା ତାରାତାରିଣୀ ସର୍ଭିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥାରେ ଚଢ଼ଉ କରିଥିଲା। ସେଠାରୁ ପୁଲିସ ବିଭିନ୍ନ ପ୍ରକାର ଜାଲ୍‌ କାଗଜପତ୍ର ଜବତ କରିବା ସହିତ ବିଶ୍ବନାଥଙ୍କୁ ଗିରଫ କରିଥିଲା। ତେବେ ଏହି ଠକେଇ କାରବାର ପଛରେ ଆଉ କାହାର ସମ୍ପୃକ୍ତି ଅଛି ସେ ଦିଗରେ ତଦନ୍ତ ଜାରି ରହିଥିବା ପୁଲିସ କହିଛି।