ବିଦ୍ୟୁତ ଖୁଣ୍ଟ ନାଳ ମଧ୍ୟରୁ ହଟାଇବାକୁ ସାହି ବାସିନ୍ଦାଙ୍କ ଦାବି

ଜୟପୁର: କୋରାପୁଟ ଜିଲ୍ଲା ପାରାବେଡ଼ା ସନ୍ତୋଷୀ ମା’ ନଗର ୧ମ ଲାଇନରେ ନାଳ ମଧ୍ୟରେ ରହିଛି ବିଦ୍ୟୁତ ଖୁଣ୍ଟ । ସାମାନ୍ୟ ବର୍ଷା ହେଲେ କିମ୍ବା ଏହି ନାଳରେ ପାଣି ଗଲେ ଏହି ବିଦ୍ୟୁତ ଖୁଣ୍ଟରୁ ସଂଯୋଗ ନେଇଥିବା ଗ୍ରାହକମାନେ ଚିନ୍ତାରେ ପଡ଼ୁଛନ୍ତି। ସାହି ବାସିନ୍ଦା ବାରମ୍ବାର ଜଣାଇବା ପରେ ବି ଏହି ଖୁଣ୍ଟକୁ ନାଳରୁ କାହିଁକି ସ୍ଥାନାନ୍ତର କରାଯାଉନି ବୋଲି ଏମାନେ ପ୍ରଶ୍ନ କରିଛନ୍ତି। କିଛି ଅଘଟଣ ହେଲେ ଏଥି ପାଇଁ କିଏ ଉତ୍ତର ଦାୟୀ ରହିବ ବୋଲି ସାହିବାସିନ୍ଦା ପ୍ରଶ୍ନ କରିଛନ୍ତି। ସୂଚନା ଅନୁଯାୟୀ, ସନ୍ତୋଷୀ ମା ନଗର ୧ମ ଲାଇନର କୁମୁଦିନି ପାଣିଗ୍ରାହୀଙ୍କ ଘର ନିକଟ ଦେଇ ଯାଇଥିବା ପୌରପାଳିକାର ନାଳ ମଧ୍ୟରେ ଏହି ବିଦ୍ୟୁତ ଖୁଣ୍ଟ ରହିଛି। ଏହାକୁ ସ୍ଥାନାନ୍ତର କରିବା ପାଇଁ ସାହିର କୁମୁଦିନି ପାଣିଗ୍ରାହୀ, ପ୍ରକାଶ ମିଶ୍ର, ସତୀଶ ସାହୁ, ରାମନାଥ ସାହୁ, ପ୍ରଭାତ କୁମାର ପାଢ଼ି, ଦିଲ୍ଲୀପ କୁମାର ନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ, ଅଜୟ ମିଶ୍ର ଆଦି ଟାଟା ପାୱାରର ଏସଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ।

ଏହି ସମସ୍ୟାକୁ ନେଇ ସାହି ବାସିନ୍ଦା ପ୍ରଶାସନକୁ ବି ଅବଗତ କରିଛନ୍ତି। ଏହା ପରେ ଜଣେ କର୍ମଚାରୀ ଆସି ତଦାରଖ କରି ପଳାଇଥିଲେ। ଏସଡିଓଙ୍କୁ ପୁଣି ପଚାରିବାରୁ ସ୍ଥାନାନ୍ତର ପାଇଁ ସାହିବାସିନ୍ଦାଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଏସଡିଓ କହିଥିବା ଏମାନେ ଅଭିଯୋଗ କରିଛନ୍ତି। ପୌରପାଳିକାର ବହୁ ନାଳ, ରାସ୍ତା ମଝିରେ ଟାଟାପାୱାର ଏଭଳି ମନଇଛା ବିଦ୍ୟୁତ ଖୁଣ୍ଟ ରଖିଛି। ବାରମ୍ବାର ଚିଠି କରିଲେ ମଧ୍ୟ ପଦକ୍ଷେପ ନେଉନି ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ବାରମ୍ବାର ଅବଗତ ଓ ଅଭିଯୋଗ କରିବା ପରେ ବି କିଛି ପଦଦେକ୍ଷପ ପ୍ରଶାସନ କି ଟାଟାପାୱାର ନେଇ ନାହିଁ। କିଛି ଅଘଟଣ ହେଲେ ଟାଟା ପାୱାର ଓ ପ୍ରଶାସନ ଦାୟୀ ରହିବେ ବୋଲି ସାହି ବାସିନ୍ଦା କହିଛନ୍ତି।

ସମ୍ବନ୍ଧିତ ଖବର