ନବରଙ୍ଗପୁର: ଭାଙ୍ଗିଲା ୧୧ କେଭି ବିଦ୍ୟୁତ ଖୁଣ୍ଟ, ଅନ୍ଧାରରେ ୪୦ ଗ୍ରାମ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକରେ ଗତ ତିନି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଫଳରେ ଡାବୁଗାଁ ଥାନା ନିକଟ ଏକ ଚାଷ ଜମିରେ ଲାଗିଥିବା ୧୧ କେଭି କଂକ୍ରିଟ ବିଦ୍ୟୁତ ଖୁଣ୍ଟ ଦୁଇ ଗଡ ହୋଇ ଭାଙ୍ଗି ଯିବା ଫଳରେ ୪୦ଟି ଗ୍ରାମରେ ବିଦ୍ୟୁତ ଯୋଗାଣ ବାଧା ପ୍ରାପ୍ତ ହୋଇଛି।

ଡାବୁଗାଁ ବ୍ଲକ ସହ ପାପଡ଼ା ହାଣ୍ଡି ବ୍ଲକର ୪୦ ଖଣ୍ଡ ଗ୍ରାମର ଲୋକେ ଅନ୍ଧାରରେ ରହିଛନ୍ତି। ଆଜି ଦିନ ତମାମ ଡାବୁଗାଁ ସାଉଥ କୋ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ କର୍ମଜିତ ଦାସ ସହ ଅନ୍ୟ ବିଦ୍ୟୁତ କର୍ମଚାରୀମାନେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବାକୁ ଚେଷ୍ଟା କରି ସୁଦ୍ଧା ବିଫଳ ହୋଇଛନ୍ତି। ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ସୂଚନା ଦେଇଛନ୍ତି ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ। ତେବେ ସୋମବାର ଠାରୁ ଏହି ୧୧ କେଭି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିବାରୁ ୪୦ ଖଣ୍ଡ ଗ୍ରାମ ଦୁଇ ଦିନ ହେଲା ଅନ୍ଧାରରେ ଅଛନ୍ତି।

ଡାବୁଗାଁ ନୁଆଗୁଡ଼ା ଠାରେ ଥିବା ପାନୀୟ ଜଳ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି । ବିଦ୍ୟୁତ ଯୋଗାଣ ବନ୍ଦ ରହିବାରୁ ଡାବୁଗାଁର ଅର୍ଦ୍ଧାଧିକ ଅଞ୍ଚଳର ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ ଲଗାଣ ବର୍ଷା ଲାଗି ରହିଥିବାରୁ ବିଶୁଦ୍ଧ ଜଳ ପାଇଁ ଗ୍ରାମବାସୀ ପାଇପ୍‌ ଯୋଗେ ଜଳ ନେବା ପାଇଁ ଆକୁଳ ବିକଳ ହେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର