ସମ୍ବଲପୁର: ହ୍ରାସ ପାଉଛି ହୀରାକୁଦ ଜଳଭଣ୍ଡାରର ବିଦ୍ୟୁତ ଉତ୍ପାଦନ। ବିଶେଷକରି ଗତ ୨୦ ବର୍ଷ ହେଲାଣି ବିଦ୍ୟୁତ ଉତ୍ପାଦନ ଧିମେଇଛି। ୧୯୯୮ ମସିହାରେ ଏହି ପ୍ରକଳ୍ପରୁ ୧୨୧୮.୪୫୭ ମିଲିୟନ ୟୁନିଟ ଏବଂ ୧୯୯୯ରେ ୧୧୧୫.୧୭୮ ମିଲିୟନ ୟୁନିଟ୍ ବିଦ୍ୟୁତ ଉତ୍ପାଦିତ ହୋଇଥିଲା। ଏହା ପରଠାରୁ କେବଳ ୨୦୧୩ ମସିହାକୁ ବାଦ ଦେଲେ ଅନ୍ୟ କୌଣସି ବର୍ଷ ଉତ୍ପାଦନ ୧୦୦୦ ମିଲିୟନ ୟୁନିଟ୍ ସ୍ତରରେ ପହଞ୍ଚି ପାରିନି। ବରଂ ୨୦୧୮ ମସିହାରେ ସର୍ବନିମ୍ନ ୫୩୮ ମିଲିୟନ ୟୁନିଟକୁ ଖସିଯାଇଛି। ୨୦୧୯ରେ ସ୍ଥିତି ସାମାନ୍ୟ ସୁଧୁରି ଉତ୍ପାଦନ ୭୬୨ ମିଲିୟନ ୟୁନିଟ୍ଛୁଇଁଥିବା ବେିଳେ ଚଳିତ ବର୍ଷ ସ୍ଥିତିରେ ଆଉ ଟିକେ ଉନ୍ନତି ଘଟିବାର ଆଶା କରାଯାଉଛି।
ସୂଚନା ଅନୁଯାୟୀ, ୧୯୫୬ ମସିହାରେ ବୁର୍ଲା ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଉଦ୍ଘାଟନ ସମୟରେ ଏଥିରେ ୬ଟି ୟୁନିଟ୍ ରହିଥିଲା। ୧୯୯୦ ମସିହାରେ ସପ୍ତମ ୟୁନିଟ ପ୍ରତିଷ୍ଠା ହୋଇଥିଲା ଓ ୨୦୦୯ ମସିହାରେ ସ୍ୱତନ୍ତ୍ର ଭାବରେ ଚିପିଲିମା ପାୱାର ହାଉସ କାର୍ଯ୍ୟକ୍ଷମ ହୋଇଥିଲା। ଏହାପରେ ବୁର୍ଲା ଜଳ ବିଦ୍ୟୁତ କେନ୍ଦ୍ରର ଉତ୍ପାଦନ କ୍ଷମତା ୨୭୫.୮୬ ମେଗାୱାଟ ଏବଂ ଚିପିଲିମାର ୭୨ ମେଗାୱାଟରେ ପହଞ୍ଚିଥିଲା।
ୟୁନିଟ ୧, ୨ର ପୁନରୁଦ୍ଧାର ପରେ ଉତ୍ପାଦନ ୪୯.୫ ମେଗାୱାଟ, ୟୁନିଟ ୩,୪ର ୩୨ ମେଗାୱାଟ, ୟୁନିଟ ୭ର ୩୭.୫ ମେଗାୱାଟ ବିଜୁଳି ଉତ୍ପାଦନ କ୍ଷମତା ରହିଛି। ମାତ୍ର କେବେ ମଧ୍ୟ କ୍ଷମତା ଅନୁସାରେ ବିଦ୍ୟୁତ ଉତ୍ପାଦନ ହୁଏ ନାହିଁ। ଏଥିପାଇଁ ବିଭିନ୍ନ କାରଣ ରହିଥିବା କୁହାଯାଏ। ୨୦୧୪ରୁ ୨୦୧୯ ମସିହାର ତଥ୍ୟ ହିସାବକୁ ନିଆଗଲେ, ୨୦୧୪, ୨୦୧୫ ଏବଂ ୨୦୧୬ରେ ଗୋଟିଏ ଲେଖାଏଁ ୟୁନିଟ, ୨୦୧୭ ମସିହାରେ ୨ଟି ୟୁନିଟ, ୨୦୧୮ ଏବଂ ୨୦୧୯ରେ ୩ଟି ଲେଖାଏଁ ୟୁନିଟର ଉତ୍ପାଦନ ଶୂନ୍ୟ ରହିଛି। ୟୁନିଟ ୬ ଲଗାତାର ୬ ବର୍ଷ ଧରି, ୟୁନିଟ ୫ ଲଗାତାର ୩ ବର୍ଷ ଏବଂ ୟୁନିଟ ୧ ଲଗାତାର ୨ ବର୍ଷ ଧରି କୌଣସି ଉତ୍ପାଦନ କରି ନାହିଁ।
୨୦୧୯ ମସିହା ଜୁଲାଇ ମାସରେ ଜଳସ୍ତର ହ୍ରାସ ଯୋଗୁଁ ଉତ୍ପାଦନ ହ୍ରାସ ପାଇଥିବା ତତକାଳୀନ ବୁର୍ଲା ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପ୍ରମୁଖ ଜ୍ଞାନରଂଜନ ଦାସ କହିଥିଲେ। ବିଭିନ୍ନ ସମୟରେ ଏହିଭଳି ଅବସ୍ଥା ସୃଷ୍ଟି ହୋଇଥାଏ। ଅନ୍ୟଦିଗରେ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ସତ୍ତ୍ୱେ କ୍ଷମତା ଅନୁଯାୟୀ ବିଜୁଳି ଉତ୍ପାଦନ କରାଯାଉ ନଥିବା ଜଣେ ବିଶେଷଜ୍ଞ କହିଛନ୍ତି। ଓଏଚପିସି ପକ୍ଷରୁ କୁହାଯାଇଛି, ନଭେମ୍ବର ମାସରେ ଲକ୍ଷ୍ୟ ଅନୁସାରେ ବିଜୁଳି ଉତ୍ପାଦନ କରାଯାଉଛି।
ହୀରାକୁଦ ଜଳଭଣ୍ଡାର ଗବେଷକ ବିମଳ ପାଣ୍ଡିଆ କହିଛନ୍ତି, ମନସୁନ ସମୟରେ ସ୍ୱଭାବିକ ବିଦ୍ୟୁତ ଉତ୍ପାଦନ ହୁଏ। ଅଣମନସୁନ(ନଭେମ୍ବରରୁ ମେ) ସମୟରେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଉଥିବାରୁ ସାମଗ୍ରିକ ଭାବରେ ଉତ୍ପାଦନ ପ୍ରଭାବିତ ହେଉଛି। ୨୦୦୩ ମସିହାରେ ଏହି ସମୟରେ ଯେତେ ବିଜୁଳି ଉତ୍ପାଦିତ ହେଉଥିଲା ୨୦୧୬ ମସିହାରେ ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଅଣମନସୁନ ସମୟରେ କାରଖାନାକୁ ଜଳ ଯୋଗାଣହିଁ ବିଜୁଳି ଉତ୍ପାଦନ ପ୍ରଭାବିତ ହେବାର ଗୁରୁବପୂର୍ଣ୍ଣ କାରଣ।
ଓଏଚପିସି ୟୁନିଟ ପ୍ରମୁଖ ଦେବାଶିଷ ମିଶ୍ର କହିଛନ୍ତି, ବୁର୍ଲା ଜଳ ବିଦ୍ୟୁତ ଉତ୍ପାଦନ ୧୯୫୬ ମସିହାରୁ ଆରମ୍ଭ ହୋଇଛି। ଏହାର ୟୁନିଟଗୁଡ଼ିକ ପୁରୁଣା ହୋଇଛି। ଏଥିଯୋଗୁଁ ପର୍ଯ୍ୟାୟକ୍ରମରେ ୟୁନିଟଗୁଡ଼ିକ ପୁନରୁଦ୍ଧାର କରାଯାଉଛି। ପ୍ରଥମେ ୧୯୯୮ ମସିହାରେ ୟୁନିଟ ୧ ଏବଂ ୨, ୨୦୦୩ ମସିହାରେ ୟୁନିଟ ୩ ଏବଂ ୪, ବର୍ତ୍ତମାନ ୟୁନିଟ ୫ ଏବଂ ୬ର ପୁନରୁଦ୍ଧାର କରାଯାଉଥିବାରୁ ଏହା ବନ୍ଦ ରହିଛି। ୨୦୨୧ ମସିହା ମାର୍ଚ ମାସରେ ଏହା ସମାପ୍ତ ହେଲା ପରେ ଏହାର ଉତ୍ପାଦନ ସ୍ୱଭାବିକ ରହିବ। ୟୁନିଟ ୧ ଏବଂ ୭ର ଉତ୍ପାଦନ ମଧ୍ୟ କିଛି ମାସ ହେଲା ସାମୟିକ ଭାବରେ ବନ୍ଦ ରହିଛି।
ହୀରାକୁଦ ଜଳଭଣ୍ଡାରରୁ ଜଳ ବିଦ୍ୟୁତ ଉତ୍ପାଦନ
ବର୍ଷବିଜୁଳି ଉତ୍ପାଦନ(ମିଲିୟନ ୟୁନିଟ)
୨୦୧୯: ୭୬୨.୬୬
୨୦୧୮: ୫୩୮.୬୫୬
୨୦୧୭: ୮୩୩.୫୩୩
୨୦୧୬: ୭୩୬.୪୫୨
୨୦୧୫: ୬୭୩.୮୫୩
୨୦୧୪: ୮୬୦.୯୭୩
୨୦୧୩: ୧୦୧୪.୦୪୨
୨୦୧୨: ୯୭୪.୦୯୨୫
୨୦୧୧: ୧୦୧୧.୬୮୬
୨୦୧୦: ୯୩୯.୫୦୩
୨୦୦୯: ୭୦୨.୮୬୬
୨୦୦୮୯୨୬.୬୪୮
୨୦୦୭: ୯୨୭.୦୧୫
୨୦୦୬: ୮୬୨.୩୪୪
୨୦୦୫: ୯୦୮.୯୧
୨୦୦୪: ୮୩୯.୬୯୦୧
୨୦୦୩: ୯୫୨.୩୦୧