ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ବେଳେ ଚୋରର ମୃତ୍ୟୁ!

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି କରୁଥିବା ସମୟରେ  ଜଣେ ଚୋରର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ ବହଳଦା ଥାନା ସାନଦୁନ୍ଦୁ ଗ୍ରାମରେ ଥିବା ୩୩ କେ.ଭି ଟ୍ରାନ୍ସଫର୍ମର ବିପିଏଲ୍ ଶ୍ରେଣୀର ପରିବାରମାନଙ୍କ ନିମନ୍ତେ ବିଦ୍ୟୁତ ସଂଯୋଗ କରାଯାଇଛି । ଉକ୍ତ ଟ୍ରାନ୍ସଫର୍ମରଟି ଗାଁ ମୁଣ୍ଡରେ ବସାଯାଇଥିଲା । ତେବେ ଆଜି ସକାଳୁ ଗ୍ରାମର କିଛି ଲୋକ ଶୌଚ ପାଇଁ ଗାଁ ମୁଣ୍ଡକୁ ଯାଇଥିବା ସମୟରେ ଟ୍ରାନ୍ସଫର୍ମର ପାଖରେ ଏକ ଯୁବକଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇ ବହଳଦା ଥାନାକୁ ଖବର ଦେଇଥିଲେ ।

ବହଳଦା ପୁଲିସ ଖବର ପାଇ ପହଂଚିବା ପରେ ତଦନ୍ତ କରିଥିଲେ ଏବଂ ଜାଣିବାକୁ ପାଇଲେ ଯେ ବିଦ୍ୟୁତ ଟ୍ରାନ୍ସଫର୍ମରର ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଦ୍ୟୁତ ବିଭାଗକୁ ବୁଝାବୁଝି କରିବା ପରେ ସେ ବିଦ୍ୟୁତ କର୍ମଚାରୀ ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା । ତେବେ ଟ୍ରାନ୍ସଫର୍ମର ଚୋରି କରିବାକୁ ଯାଇଥିବା ସମୟରେ ଉକ୍ତ ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ଏବଂ ସେଥିରେ ଅନ୍ୟ ଚୋରମାନେ ମଧ୍ୟ ସମ୍ପୃକ୍ତ ଥିବାର ଅନୁମାନ କରାଯାଉଛି । ଶବକୁ ଜବତ କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । ଏନେଇ ଥାନାରେ କେସ୍ ନଂ ୧୧/୨୧ ରେ ଏକ ମାମଲା ରୁଜୁ କରି ଏସ୍ଆଇ ସଦାନନ୍ଦ ନାୟକ ଘଟଣାର ଅଧିକ ତଦନ୍ତ କରୁଛନ୍ତି ।

ସମ୍ବନ୍ଧିତ ଖବର