ରାଉରକେଲା/ନୂଆଗାଁ: ଉପାନ୍ତ ଅଞ୍ଚଳରେ ଲୁଚକାଳି ଖେଳୁଛି ବିଜୁଳି। ପୂର୍ବରୁ ଯେମିତି ଥିଲା, ଟାଟା ପାୱାର ନେବା ପରେ ମଧ୍ୟ ସମାନସ୍ଥିତି। ଅଘୋଷିତ ବିଜୁଳି କାଟ୍ ଅଞ୍ଚଳବାସୀଙ୍କ ସମସ୍ୟା ବଢ଼ାଉଛି। ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏମିତି ସମସ୍ୟା ଉପୁଜିଛି ନୂଆଗାଁ ବ୍ଲକରେ। ବିଜୁଳି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ବିଭାଗ ପକ୍ଷରୁ ନୂଆଗାଁ ବ୍ଲକ ଖୁଣ୍ଟଗାଁରେ ସ୍ଥାପନ ହେଲା ବହୁ ପ୍ରତୀକ୍ଷିତ ବିଦ୍ୟୁତ୍ ସବ୍ଷ୍ଟେସନ। ବିଡମ୍ବନା, ନିର୍ମାଣ ନ ସରୁଣୁ ତରବରିଆ ଭାବେ ଗତ ୨୦୨୦ ଫେବ୍ରୁଆରି ୫ରେ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଉଦ୍ଘାଟନ କରିଦେଲେ। ଉପସ୍ଥିତ ଥିଲେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଏମ୍ମା ଏକ୍କା, ନୂଆଗାଁ ବ୍ଲକ ଅଧ୍ୟକ୍ଷ ମଖଲୁ ଏକ୍କା।
ଉଦ୍ଘାଟନକୁ ଦେଢ଼ ବର୍ଷ ପୁରିଲା, ତଥାପି କାର୍ଯ୍ୟକ୍ଷମ ହେଉନି। ସାଧାରଣତଃ ଉଦ୍ଘାଟନ୍ ବା ଲୋକାର୍ପିତ ହେବା ଅର୍ଥ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲା ବୋଲି ବୁଝାଯାଏ। କିନ୍ତୁ ନୂଆଗାଁ ଖୁଣ୍ଟଗାଁରେ ସ୍ଥାପନ ହୋଇଥିବା ବିଦ୍ୟୁତ୍ ସବ୍ଷ୍ଟେସନ ଏହା ବ୍ୟତିକ୍ରମ। ଶକ୍ତିମନ୍ତ୍ରୀଙ୍କୁ ଖୁସ୍ କରିବାବାକୁ ଏମିତି କରାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। କେବେ ହେବ କାହାରି ପାଖରେ ଉତ୍ତର ନାହିଁ। ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉ ଅବା କର୍ମଚାରୀଙ୍କ ଅଭାବରୁ ବହୁ ପ୍ରତୀକ୍ଷିତ ବିଦ୍ୟୁତ୍ ସବ୍ଷ୍ଟେସନ୍ ସେମିତି ପଡିଛି। ଫଳରେ ବ୍ଲକର ଅଧିକାଂଶ ପଞ୍ଚାୟତରେ ମାସ ମାସ ଧରି ବିଜୁଳି ସମସ୍ୟା ଲାଗି ରହିଛି। କେତେବେଳେ କଟି ଯାଉଛି ତ ଘଣ୍ଟାଏ ଆସୁନି। ଅନ୍ୟ କେତେବେଳେ କଟିଗଲେ ୩/୪ ଘଣ୍ଟା ବିଜୁଳି ଗୁଲ୍। ସେପଟେ ମାସ ଶେଷକୁ କର୍ମଚାରୀମାନେ ବିଜୁଳି ବିଲ୍ ନେବାକୁ ଦୌଡି ଆସୁଛନ୍ତି। ବିଲ୍ ନ ଦେଲେ ଜୁଲମ୍ କରୁଛନ୍ତି। ବିଦ୍ୟୁତ୍ ବିଲ୍ ଦେବାକୁ ଅସମର୍ଥ ହେଲେ ଘରକୁ ବିଜୁଳି ସଂଯୋଗ କାଟି ଦେଉଛନ୍ତି। ଏଭଳି ଜୁଲମ୍ର ଶିକାର ହେଉଛନ୍ତି ନୂଆଗାଁ ବ୍ଲକର ଅଧିକାଂଶ ନିରୀହ ଗରିବ ଉପଭୋକ୍ତା। ନୂଆ ବିଦ୍ୟୁତ୍ ସବ୍ଷ୍ଟେସନ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଲିଣ୍ଡ୍ରାରେ ଥିବା ବିଦ୍ୟୁତ୍ ସବ୍ଷ୍ଟେସନକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି କରାଯାଇଛି।
ଉଲ୍ଳେଖଯୋଗ୍ୟ, ବହୁ ପୂର୍ବରୁ ହାତୀବାରିରେ ଏକ ବିଦ୍ୟୁଥ୍ ସବ୍ଷ୍ଟେସନ ରହିଥିଲା। ହାତୀବାରିରୁ ୨୦ଟି ପଞ୍ଚାୟତକୁ ବିଜୁଳି ସଂଯୋଗ ହେଉଥିଲା। କେଉଁଠି ସାମାନ୍ୟ ତ୍ରୁଟି ହେଲେ ଠିକ୍ କରିବାକୁ ବହୁ ସମୟ ଲାଗୁଥିଲା। ଏହାର ବିକଳ୍ପ ବ୍ୟବସ୍ଥା ସ୍ବରୂପ ନୂଆଗାଁରେ ବିଦ୍ୟୁତ୍ ସବ୍ଷ୍ଟେସନ ହେଲା। ଆଶା ଥିଲା, ଲୋକଙ୍କ ବିଜୁଳି ସମସ୍ୟା ଦୂର ହେବ। କିନ୍ତୁ ତାହା ମଧ୍ୟ ଠିକ୍ ଭାବେ କାର୍ଯ୍ୟକ୍ଷମ ହେଉ ନାହିଁ। କର୍ମଚାରୀ ଅଭାବ ହେଉ ଅବା ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ନୂଆଗାଁ ବ୍ଲକର ସୋରଡା, ଚିତାପେଡି, ବାଗଡେଗା, ବାରିଲେପଟାରେ ବିଜୁଳି ସମସ୍ୟା ଲାଗି ରହିଛି।