ବିଦ୍ୟାଧରପୁର: କଟକ ମହାନଗର ନିଗମର ୫୪ ନମ୍ବର ୱାର୍ଡ ଅନ୍ତର୍ଗତ ପୋତାପୋଖରୀସ୍ଥିତ ଏଗ୍ରିକଲଚର କଲୋନିରେ ବିଦ୍ୟୁତ ସମସ୍ୟା। ପ୍ରାୟ ଦେଢ଼ଶହ ପରିବାର ବିଦ୍ୟୁତ ସମସ୍ୟାକୁ ନେଇ ପ୍ରତି ମୁହୂର୍ତ୍ତରେ ବିପଦର ଆଶଙ୍କା ଭିତରେ ରହିଥିବା ଜଣାପଡ଼ିଛି। ଝୁଲି ପଡ଼ିଥିବା ବିଦ୍ୟୁତ ଖୁଣ୍ଟ କେତେବେଳେ ଉପୁଡ଼ି ପଡ଼ି ଅଘଟଣ ନ ଘଟାଇବ, ସେ ଆଶଙ୍କାକୁ ଏଡ଼ାଇ ଦେଉ ହେଉନାହିଁ।

Advertisment

ପୋତାପୋଖରୀ ଛକରୁ କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ଦେଇ ଏଗ୍ରିକଲଚର କଲୋନି ଓ ଆଦିତ୍ୟ ନଗରକୁ ଯାତାୟାତ ପାଇଁ ଏକମାତ୍ର ରାସ୍ତା ରହିଛି। କୃଷି କାର୍ଯ୍ୟାଳୟର ଅଳ୍ପ ଦୂରରେ ଡାହାଣ ପଟେ ଦୀର୍ଘ ଦିନ ଧରି ଏକ ବିଦ୍ୟୁତ ଖୁଣ୍ଟ ଝୁଲି ରହିଛି। ଝୁଲି ରହିଥିବା ଖୁଣ୍ଟରେ ଦଉଡି ବାନ୍ଧି ଅପରପାର୍ଶ୍ବରେ ସାଇବାବା ମନ୍ଦିର ଭିତରେ ଥିବା ଗଛରେ ଗୁଡ଼ାଇ ଦେଇଛନ୍ତି ବିଦ୍ୟୁତ ବିଭାଗ କର୍ମଚାରୀ। ଏହି ଖୁଣ୍ଟରେ ଯାଇଥିବା କେବୁଲ ତାର ହାତ ପାଆନ୍ତାରେ ଝୁଲି ରହିଛି। ଏହି କେବୁଲକୁ ବି ଜଣେ ବ୍ୟକ୍ତିଙ୍କ ଘର ବାହାର କାନ୍ଥରେ ଲୁହା ଆଙ୍ଗଲ ଦେଇ ବାନ୍ଧି ଦିଆଯାଇଛି। ଅନ୍ୟପଟେ ଠିକ୍ ଛକରେ ଥିବା ଆରଡି ବିଭାଗ କନିଷ୍ଠ ଯନ୍ତ୍ରୀ ସୁପ୍ରିୟା ସାସମଲଙ୍କ ଘର ଅଗଣାରେ ବିଦ୍ୟୁତ ଖୁଣ୍ଟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଖୁଣ୍ଟ ଉପରେ ବଡଗଛ ଘୋଡ଼ାଇ ହୋଇ ରହିଥିବା ଜଣାପଡ଼ିଛି। ସୁପ୍ରିୟା ସାସମଲ କହିବା ଅନୁଯାୟୀ ସେମାନେ ସବୁ ବେଳେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ବେଳେ ବେଳେ ଖୁଣ୍ଟ ଚାର୍ଜ ହୋଇ ସକ୍ ମାରୁଛି। ଚାଉଳିଆଗଞ୍ଜ ବିଦ୍ୟୁତ ଅଫିସରେ ବାରମ୍ବାର ଏ ସଂପର୍କରେ ଅଭିଯୋଗ କରୁଥିଲେ ବି କୌଣସି ସୁଫଳ ମିଳୁ ନାହିଁ।

ଆଦିତ୍ୟ ନଗର ଏଗ୍ରିକଲଚର କଲୋନି ଉନ୍ନୟନ ପରିଷଦର ସଭାପତି ସୁବୋଧ କୁମାର ମହାନ୍ତି, ସଂପାଦକ ବୈକୁଣ୍ଠ ବିହାରୀ ମୁଦୁଲି, ଅସିତ୍ ରାୟ, ଅବିନାଶ ପାତ୍ର, ପ୍ରକାଶ ପଟ୍ଟନାୟକ, ପ୍ରସାଦ ମହାନ୍ତି, ପ୍ରସାଦ ନାୟକ, ପୂର୍ବତନ କର୍ପୋରେଟର ତାପସ ରଞ୍ଜନ ସାମନ୍ତରାୟ ପ୍ରମୁଖଙ୍କ କହିଛନ୍ତି ଯେ, ସାମାନ୍ୟ ବର୍ଷା, ପବନରେ ବି କଲୋନିବାସୀ ଭୟଭୀତ ହୋଇ ପଡୁଛନ୍ତି। କେତେବେଳେ ଝୁଲି ରହିଥିବା ବିଦ୍ୟୁତ ଖୁଣ୍ଟ ଭୁଶୁଡି ପଡିବ ସେ ଭୟ ରହୁଛି। ଅନେକ ଥର ବିଦ୍ୟୁତ ଅଫିସରେ ଅଭିଯୋଗ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଉ ନାହିଁ।

ଏ ସଂକ୍ରାନ୍ତରେ ଚାଉଳିଆଗଞ୍ଜ ବିଦ୍ୟୁତ ଅଫିସର କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ଚରଣ ଦାଶ କହିଛନ୍ତି ଯେ, ସେ ଏଠାକୁ ମାତ୍ର ୮ମାସ ହେବ ଆସିଛନ୍ତି। ଏଭଳି ଘଟଣା ସଂପର୍କରେ ତାଙ୍କ ପାଖରେ କେହି ଅଭିଯୋଗ କରିନାହାନ୍ତି। ଏଭଳି ବିଦ୍ୟୁତ ଖୁଣ୍ଟ ବିପଦପୂର୍ଣ୍ଣ ଅବସ୍ଥାରେ ଢଳି ରହିଛି ଯଦି ତାହାକୁ ଅନୁଧ୍ୟାନ କରି ସଜାଡିବା ଦିଗରେ ପଦକ୍ଷେପ ନିଆଯିବ। ବିଦ୍ୟୁତ ଭିତ୍ତିଭୂମି ରକ୍ଷଣାବେକ୍ଷଣ ଆଳରେ ଅଞ୍ଚଳରେ ନିୟମିତ ଭାବେ ବିଦ୍ୟୁତ କାଟ୍ ହେଉଥିବା ବେଳେ ଅଧିକାରୀମାନେ କିଭଳି ଏ ସଂପର୍କରେ ଜାଣି ପାରୁ ନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।