ପୁରୀ: ଖୁଣ୍ଟରୁ ଖସି ବିଦ୍ୟୁତ୍‌ କର୍ମଚାରୀଙ୍କ ମୃତ୍ୟୁ

ପୁରୀ: ବିଦ୍ୟୁତ୍‌ ଜନିତ କାମ ଚାଲିଥିବା ବେଳେ ଖୁଣ୍ଟରୁ ପଡ଼ି ମଙ୍ଗଳବାର ଜଣେ ବିଦ୍ୟୁତ୍‌ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମଙ୍ଗରାଜ ରାଓ (୨୫) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ପୁରୀ ସହରର ଭିଆଇପି ରୋଡସ୍ଥିତ ପୁଲିସ ବାରାକ୍‌ରେ ଆଜି ସନ୍ଧ୍ୟାରେ ବିଦ୍ୟୁତ କାମ ଚାଲିଥିଲା। ଏଥି ପାଇଁ ମଙ୍ଗରାଜ ବିଦ୍ୟୁତ୍‌ ଖୁଣ୍ଟକୁ ଚଢ଼ିଥିଲେ। କାମ ଚାଲିଥିବା ବେଳେ କୌଣସି କାରଣରୁ ସେ ଖସିପଡ଼ିଥିଲେ।

ଫେଡକୋ କର୍ମଚାରୀ ତଥା ବାଲି ନୋଳିଆ ସାହି ନିବାସୀ ମଙ୍ଗରାଜ ଖୁଣ୍ଟରୁ ତଳକୁ ଖସିପଡ଼ିବା ପରେ ତାଙ୍କ ସହିତ କାମ କରୁଥିବା ଅନ୍ୟ କର୍ମଚାରୀମାନେ ଜରୁରୀକାଳୀନ ଭାବେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ହସ୍‌ପିଟାଲରେ ପହଂଚିବା ପରେ ମଙ୍ଗରାଜଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସାମୁଦ୍ରିକ ଝଡ଼ ‘ଫନି’ ପରେ ପୁରୀ ଜିଲ୍ଲା ସମେତ ଉପକୂଳ ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି ଭୁଶୁଡ଼ିପଡ଼ିଛି। ଚଳିତ ମାସ ୩ ତାରିଖରେ ଫନି ତାଣ୍ଡବ ରଚାଇବା ପରେ ଲକ୍ଷାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯାଇଛି। ବିଦ୍ୟୁତ୍‌ ଅବସ୍ଥା ସ୍ୱାଭାବିକ ହେବା ପାଇଁ ପାଖାପାଖି ଗୋଟିଏ ମାସ ଲାଗିପାରେ।

ସମ୍ବନ୍ଧିତ ଖବର