ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଦିପୋଟି ସାହିର ବାବୁନି ଓରଫ ବିଷ୍ଣୁ ଚରଣ ରାଉତ(୪୦) ନାମକ ଜଣେ ବିଦ୍ୟୁତ କର୍ମଚାରୀଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଯାଇଛି। ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ଏନେଇ ବାଲିଅନ୍ତା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବାବୁନି ଏବେ ପିପିଲି ବିଦ୍ୟୁତ ସବ ଡିଭିଜନ କାର୍ଯ୍ୟାଳୟରେ ଲାଇନମ୍ୟାନ ଭାବେ କାର୍ଯ୍ୟରତ।

ଆଜି ଅପରାହ୍ନ ସାଢ଼େ ୪ଟା ସମୟରେ ମାହାଲ ସାହି କୋଠଘର ଛାତ ଉପରେ ଚଢ଼ି ବିଦ୍ୟୁତ କାମ କରୁଥିବା ବେଳେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ। ଉପସ୍ଥିତ ଲୋକ ଛାତ ଉପରୁ ଗୁରୁତର ଅବସ୍ଥାରେ ବାବୁନିଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବାବୁନିଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର