ଜୟପୁର ଡିଭିଜନରେ ବିଦ୍ୟୁତ ବକେୟା୧୩୮କୋଟି ବାକି; ବକେୟା ଆଦାୟରେ ଲାଗିଛନ୍ତି ୭୦ଜଣିଆ ସ୍କ୍ବାର୍ଡ- ନିର୍ବାହୀ ଯନ୍ତ୍ରୀ

ଜୟପୁର: ବିଦ୍ୟୁତ ବକେୟା ପ୍ରତି ମାସରେ ବିଭିନ୍ନ ବର୍ଗରେ ରହିଥିବା ଉପଭୋକ୍ତା ମାନେ ସଠିକ ଭାବେ ପୈଠ କରୁ ନଥିବାରୁ ଜୟପୁର ଡିଭିଜନରେ ୨ଟି ବର୍ଗରେ ୧୩୮କୋଟି ଟଙ୍କା ବାକି ପଡ଼ିଥିବା ସୂଚନା ମିଳିଛି। ଏହି ବକେୟା ବର୍ଷକର ନୁହେଁ। ଗତ ୧୦ବର୍ଷ ହେବ ବିଦ୍ୟୁତ ବକେୟା ଗଡ଼ି ଗଡ଼ି ଚାଳିଛି। ଏବେ ସାଉଥକୋକୁ ଟାଟା ପାୱାର କଂପାନୀ ଲିମିଟେଡ଼୍ (ଟିପିସିଏଲ) ନେବା ପରେ ବକେୟା ବିଲ୍ ସଂଗ୍ରହ କରିବାକୁ ପ୍ରାଧାନ୍ୟତା ଦେଇଛି। ଏଥି ପାଇଁ ସ୍ବତନ୍ତ୍ର ଭାବେ ଟିମ୍ ଲିଡରଙ୍କ ଦାୟିତ୍ବରେ ସ୍କ୍ବାର୍ଡ ଗଠନ କରିଛି। ଜୟପୁର ଡିଭିଜନର ଜୟପୁର ଉପଖଣ୍ଡର ଜୟପୁର ପୌରାଂଚଳ, ଜୟପୁର ବ୍ଲକ, କୋଟପାଡ ଏନଏସି, କୋଟପାଡ ବ୍ଲକ, ବୋରିଗୁମ୍ମା, କୁନ୍ଦ୍ରା, ଲମତାପୁଟ ଓ ବୈପାରୀଗୁଡା ବ୍ଲକ ଅଂଚଳରେ ହଜାର ହଜାର ଗ୍ରାହକ ଦୀର୍ଘ ୧୦ବର୍ଷ ଧରି ୧୩୮କୋଟି ଟଙ୍କା ବାକି ଥିବା କହିଛନ୍ତି। ନିର୍ବାହୀ ଯନ୍ତ୍ରୀ ଇଂ. ବସନ୍ତ କୁମାର ମହାପାତ୍ର। ବିଦ୍ୟୁତ ବିଲ ବକେୟା ଥିବା ଉପଭୋକ୍ତାଙ୍କର ବିଦ୍ୟୁତ କାଟ କରାଯାଉଛି। ଯେଉଁ ଉପଭୋକ୍ତା ମାନେ ବର୍ଷବର୍ଷ ଧରି ବିଦ୍ୟୁତ ବିଲ ପୈଠ କରିନାହାନ୍ତି ସେମାନଙ୍କର ବିଦ୍ୟୁତ କାଟ କରାଯାଉଛି। ତେବେ ବିଦ୍ୟୁତ ବିଭାଗ ପକ୍ଷରୁ କିଛି ଦିନର ରିହାତି ପରେ ପୁଣି ଏହି ପ୍ରକ୍ରିୟାକୁ ଜୋରଦାର କରି ଦିଆଯାଇଛି। ଜୟପୁର ଡିଭିଜନରେ ୭୦ଟି ଟିମ ଗଠନ କରାଯାଇ ଯେଉଁ ଉପଭୋକ୍ତାଙ୍କର ବର୍ଷ ବର୍ଷ ଧରି ଅନେକ ଟଙ୍କା ବକେୟା ରହିଛି ସେହିସବୁ ଉପଭୋକ୍ତାଙ୍କୁ ଚିହ୍ନଟ କରାଯାଇ ବିଦ୍ୟୁତ କାଟ କରାଯାଉଛି।

ଫେଜ୍-୧ରେ ଡୋମେଷ୍ଟିକରେ ୯୨କୋଟି, କମର୍ସିଆଲ୍ ୧୦କୋଟି, ପବ୍ଲିକ୍ ଇନିଷ୍ଟିଚ୍ୟୁଟରେ ୨କୋଟି, କୁଟିର ଜ୍ୟୋତିରେ ୭କୋଟି ଏଭଳି ୧୧୧କୋଟି ବକେୟା ରହିଛି। ସେଭଳି ୩ଫେଜରେ ଡୋମେଷ୍ଟିକ‌ ୧୧ଲକ୍ଷ, କମର୍ସିଆଲ୍ ୩କୋଟି, ଇଣ୍ଡଷ୍ଟ୍ରୀ ୨କୋଟି ୩ଲକ୍ଷ, ଜୟପୁର ପୌରପାଳିକା ୪୧ଲକ୍ଷ, ଗ୍ରାମାଂଚଳ ଷ୍ଟ୍ରିଟ୍ ଲାଇଟ୍ ୧କୋଟି ୮ଲକ୍ଷ, ଜଳସେଚନ ପାଇଁ ୩କୋଟି ୬୫ଲକ୍ଷ, ପବ୍ଲିକ ଇନିଷ୍ଟିଚ୍ୟୁଟ ୪୨ଲକ୍ଷ ଏଭଳି ୨୭କୋଟି ବକେୟା ରହିଛି। ସେଭଳି ବିଦ୍ୟୁତ କାଟ୍ କରି ପୁଣି ସଂଯୋଗ ଦେଲେ ଏଥରକ ଫି ବି ଆଦାୟ କରାଯାଉଛି। ଘରେ ବିଦ୍ୟୁତ କାଟ ହେଲେ ୧୫୦ଟଙ୍କା, କମର୍ସିଆଲରେ ୪୦୦ଟଙ୍କା ଏବଂ ଇଣ୍ଡଷ୍ଟ୍ରୀରେ ୬୦୦ଟଙ୍କା ପୁନଃ ସଂଯୋଗ କରିବା ପାଇଁ ଫି ଆଦାୟ କରାଯାଉଛି ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ ଇଂ. ମହାପାତ୍ର। ସ୍କ୍ବାର୍ଡ ଚଢ଼ାଉ ପରେ ବହୁ ଉପଭୋକ୍ତା ବକେୟା ବିଦ୍ୟୁତ ଦେୟ ଦେଉଥିବା କହିଛନ୍ତି ନିର୍ବାହୀ ଯନ୍ତ୍ରୀ। ତେବେ ଉଭୟ ବର୍ଗରେ ୧୩୮କୋଟି ବକେୟା ଟଙ୍କା ଆଦାୟ ପାଇଁ ଏବେ ୭୦ଟି ସ୍କ୍ବାର୍ଡ ପୁରା ଦମରେ ଲାଗିପଡ଼ିଛନ୍ତି ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ। ତେବେ ଏତେ ଟଙ୍କା ବିଭିନ୍ନ ଗ୍ରାହକ ବକେୟା ରଖିବା ପର୍ଯ୍ୟନ୍ତ ବିଭାଗ ପକ୍ଷରୁ କାହିଁକି ପଦକ୍ଷେପ ନିଆଯାଉ ନଥିଲା ତାହାକୁ ନେଇ ଏବେ ଉପଭୋକ୍ତା ମହଲରେ ପ୍ରଶ୍ନ ଉଠିଛି। ଅଚାନକ ଭାବେ ଏହି ଚଢ଼ାଉ ଫଳରେ ଉପଭୋକ୍ତା ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର