ଖୋର୍ଦ୍ଧା: ଜିଲ୍ଲାରେ ପ୍ରଶାସନର ଅବସ୍ଥା ଏଭଳି ହୋଇଛି କ୍ଷମତାଶାଳୀ କିମ୍ବା ରାଜନୈତିକ ବ୍ୟକ୍ତିଙ୍କ ସୁପାରିଶ ନଥିଲେ ସାଧାରଣ ଲୋକର କଥା କେହି ଶୁଣନ୍ତି ନାହିଁ । ଏହି କଥା ଆଜି ପୁଣିଥରେ ପ୍ରମାଣିତ ହୋଇଛି । ଘରେ କଟିଯାଇଥିବା ବିଜୁଳି ସଂଯୋଗ ପାଇଁ ଦୌଡ଼ି ଦୌଡ଼ି ନିରୂପାୟ ହୋଇ ଘରେ ଡିବିରି ଆଲୁଅ ଜାଳି ରହୁଥିବା ନାରଖାଡ଼ି ପ୍ରଧାନଙ୍କ ଘରେ ଆଜି ସାଂସଦଙ୍କ ଚାପରେ ବିଦ୍ୟୁତ୍ ବିଭାଗ ମରାମତି କରି ବିଜୁଳି ସଂଯୋଗ କରିଛି ।
ଟାଙ୍ଗୀ ବ୍ଲକ ରାମଚନ୍ଦ୍ରପୁର ପଂଚାୟତର ଗୋଡ଼ିସାହିର ନାରଖାଡ଼ି ପ୍ରଧାନ । ଜଣେ ଗରିବ ମହିଳା, ବୃତ୍ତିରେ ଚାଷୀ । ୪-୫ ଦିନ ପୂର୍ବେ ମାଙ୍କଡ଼ ଦଳ ଉତ୍ପାତ ଯୋଗୁଁ ଘରକୁ ବିଜୁଳି ସଂଯୋଗ କଟିଯାଇଥିଲା । ସଂଯୋଗ ପାଇଁ ବିଦ୍ୟୁତ୍ ବିଭାଗର ସ୍ଥାନୀୟ କାର୍ଯ୍ୟାଳୟକୁ ଦୌଡ଼ିଲେ, କିନ୍ତୁ କେହି ଶୁଣିନଥିଲେ । ନିରୁପାୟ ହୋଇ ଘରର ଅନ୍ଧକାର ଦୂରେଇବାକୁ ଡିବିରି ଆଲୁଅ ଜାଳିବା ଆରମ୍ଭ କରିଥିଲେ । ଶେଷରେ ଆଜି ନାଟକୀୟ ଢଙ୍ଗରେ ସେହି ସମସ୍ୟାର ସମାଧାନ ହୋଇଛି । ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଂଚାୟତରେ ପଦଯାତ୍ରା କରିବାକୁ ଯାଇଥିଲେ । ଏହି ସମୟରେ ନାରଖାଡ଼ି ସାଂସଦ ଶ୍ରୀମତି ଷଡ଼ଙ୍ଗୀଙ୍କୁ ଟାଣି ନେଇ ନିଜ ଘରର ଅବସ୍ଥା ଦେଖାଇବା ସହ ବିଜୁଳି କଟିଥିବା କଥା କହିଥିଲେ । ସାଂସଦ ଏନେଇ ନିଜର ଓଏସ୍ଡିଙ୍କୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହାପରେ ଓଏସ୍ଡି ବିଦ୍ୟୁତ୍ ବିଭାଗର ଉଚ୍ଚକର୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ପରେ ବିଦ୍ୟୁତ୍ କର୍ମଚାରୀମାନେ ରାତି ୭ଟା ବେଳେ ଆସି ବିଦ୍ୟୁତ୍ ସଂଯୋଗ କରିଛନ୍ତି ।