ନୂଆପଡ଼ା: ନୂଆପଡ଼ା ବ୍ଲକ ଲୁକୁପାଲି ଗାଁରେ ବିଦ୍ୟୁତ ବିଭାଗର ଅଜବ ନୀତି ଦେଖିବାକୁ ମିଳିଛି। ଲୋକଙ୍କୁ ବିଦ୍ୟୁତ୍‌ ବିଲ୍‌ ନ ଦେଇ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଛି। ଫଳରେ ଏଠାରେ ଥିବା ୧୭ ବିପିଏଲ୍‌ ପରିବାର ଅନ୍ଧାରରେ ରହିଛନ୍ତି। ଗତ ପ୍ରାୟ ୧୦ ବର୍ଷ ତଳେ ରାଜୀବ ଜ୍ୟୋତି ଯୋଜନାରେ ଲୁକୁପାଲି ଗାଁର ବିପିଏଲ ପରିବାରଙ୍କ ଘରକୁ ମାଗଣାରେ ବିଦ୍ୟୁତ ସଂଯୋଗ ହୋଇଥିଲା। ଏଥିରେ ଗୋଟିଏ ବଲ୍‌ବର ଆଲୁଅ ହିତାଧିକାରୀଙ୍କୁ ମାଗଣା ହୋଇଥିଲା। ଗତ ୩ ବର୍ଷ ତଳେ ବିଦ୍ୟୁତ୍‌ ବିଭାଗର କର୍ମଚାରୀ ଆସି ଏହି ବିପିଏଲ୍‌ ଉପଭୋକ୍ତାଙ୍କ ଆଧାର କାର୍ଡ, ଭୋଟର ଆଇଡି ଓ ଜମିପଟ୍ଟାର ଜେରକ୍ସ କପି ସଂଗ୍ରହ କରିଥିଲେ। ସେମାନଙ୍କ ଘରେ ନୂଆ ମିଟର ଓ କେବୁଲ ଲଗାଇଥିଲେ। ଏହା ପରେ କର୍ମଚାରୀମାନେ ରିଡିଂ ନେଇ ବିଲ୍‌ ଦେବେ ବୋଲି କହିଥିଲେ।

Advertisment

ଏହାର ୩ ବର୍ଷ ପରେ ବି କର୍ମଚାରୀମାନେ ରିଡିଂ ନେଇ ନଥିଲେ ବି ଉପଭୋକ୍ତଙ୍କୁ ବିଲ୍‌ ଦେଇ ନଥିଲେ। ଏନେଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ପଚାରିଲେ ସେମାନେ ଦିନ ଗଡ଼ାଇ ଚାଲିଥିଲେ। ଉପଭୋକ୍ତାମାନେ ବି ମାଗଣାରେ ବିଜୁଳି ବ୍ୟବହାର କରିଥିଲେ। ସୋମବାର ମଧ୍ୟାହ୍ନରେ ଗାଁର ଗରିବ ବିଦ୍ୟୁତ ଉପଭୋକ୍ତାମାନେ କୁଲିମଜୁରି କରିବାକୁ ବାହାରକୁ ଯାଇଥିବା ସମୟରେ ବିଭାଗୀୟ କର୍ମଚାରୀମାନେ ଆସି ସେମାନଙ୍କ ବିଦ୍ୟୁତ୍‌ ସଂଯୋଗ କାଟି ଦେଇଥିଲେ। ଫଳରେ ରତିରାମ ରାଉତ, ଅଗନୁ ରାଉତ, ମାନସିଂ ରାଉତ, ଦୁବେ ରାଉତ, ସୀତାରାମ ରାଉତ ଆଦି ୧୭ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଯାଇଛି। ତେଣୁ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହେଉଛି। ଏନେଇ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ଦୀପ ନନ୍ଦଙ୍କୁ ପଚାରିବାରୁ ବିଲ୍‌ ଜେନେରେଟ୍ ହୋଇନ ଥିବାରୁ କର୍ମଚାରୀମାନେ ବିଦ୍ୟୁତ୍‌ ସଂଯୋଗ କାଟିଥିବେ। ସେହି ଉପଭୋକ୍ତାମାନେ ଅଫିସକୁ ଆସିଲେ ବିଚାର କରି ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି କହିଛନ୍ତି।