୪ ଦିନ ହେଲା ଖଡିକାଯୋଡି ଗ୍ରାମରେ ବିଦ୍ୟୁତ ନାହିଁ

ଟଙ୍କା ଆଦାୟ କରିବାକୁ ଆସିଥିବା କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖିଲେ

ମାଲକାନଗିରି: ମାଲକାନଗିରି ସଦର ବ୍ଲକର ବୀରଲକ୍ଷ୍ମଣପୁର ପଞ୍ଚାୟତର ଖଡିକାଯୋଡିଗ୍ରାମରେ ଗତ ଚାରିଦିନ ହେଲା ବିଦ୍ୟୁତ ସରବାରହ ବନ୍ଦ ହୋଇ ପଡିଛି। ଗତ ୧୪ ତାରିଖଦିନ ଟାଟା ପାଵାର କମ୍ପାନିର ଭାରତ ବିଜୟ ଖେମୁଡୁ ନାମକ ରେଭ୍ୟୁନୁ ଅଧିକାରୀ ଏହି ଗ୍ରାମକୁ ଟଙ୍କା ଆଦାୟ କରିବାକୁ ଆସିଥିଲେ। ଗ୍ରାମରେ ବାସ କରୁଥିବା ୨୦ ପରିବାରକୁ ଏକ ହଜାରର ଟଙ୍କା ଲେଖାଏଁ ଦେବାକୁ କହିଥିଲେ। ତେବେ ଗ୍ରାମର ୧୫ ପରିବାର ବର୍ତ୍ତମାନ ଟଙ୍କା ପୈଠ କରିବେ ଏବଂ ଅନ୍ୟ ୫ ପରିବାର ବାହାରକୁ ଚାଷ କରିବାକୁ ଯାଇଥିବାରୁ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଟଙ୍କା ପୈଠ କରିବେ। ତେଣୁ ଟଙ୍କା ନେଇ ବିଦ୍ୟୁତ ପ୍ରଦାନ କରନ୍ତୁ ବୋଲି ଗ୍ରାମବାସୀ ଅନୁରୋଧ କରିଥିଲେ। ଏହି କର୍ମଚାରୀ ଜଣକ ପାଣ୍ଡ୍ରିପାଣିର ଲାଇନମ୍ୟାନ ମାନଙ୍କୁ ଏନେଇ ଅବଗତ କରାଇଲେ। କିନ୍ତୁ ଲାଇନମ୍ୟାନ ମାନେ ବିଦ୍ୟୁତ ବିଭାଗର ଏସଡିଓଙ୍କ ନିର୍ଦେଶକ୍ରମରେ ଟଙ୍କା ପୈଠ ନକଲେ ଏହି ଗ୍ରାମକୁ ଲାଇନ ଯିବ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ।

ତେବେ ଗତ ଚାରିଦିନ ହେଲା ବିଦ୍ୟୁତ ଠପ୍ ହୋଇ ପଡିଛି। ତେବେ ଆଜି ସେହି କର୍ମଚାରୀ ପୁଣି ଟଙ୍କା ଆଦାୟ କରିବାକୁ ଗ୍ରାମକୁ ଯାଇଥିବା ବେଳେ ଗ୍ରାମବାସୀ ତାକୁ ଅଟକ ରଖି ଉଚ୍ଚ ପଦାଧିକାରୀ ନଆସିବା ପର୍ଯ୍ୟନ୍ତ ସେମାନେ ଏହି ରେଭ୍ୟୁନୁ କର୍ମଚାରୀଙ୍କୁ ଛାଡିବେ ନାହିଁ ବୋଲି ଜିଦ ଧରିଥିଲେ। ତେବେ ଏନେଇ ବିଦ୍ୟୁତ ବିଭାଗର ନିର୍ବାହୀ ଇଞ୍ଜିନିୟରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିବାରୁ ତାଙ୍କ ପ୍ରତିକ୍ରିୟା ଦିଆଯାଇପାରି ନାହିଁ। ତେବେ କିପରି ଟାଟା ପାଵାର ତାର ଦାଦାଗିରି ଚଳାଇଛି ତାହା ଏଥିରୁ ସ୍ପଷ୍ଟ ହୋଇଯାଉଛି। ଏଠାରେ ପ୍ରଶ୍ନ ଉଠେ ଯେଉଁମାନେ ଟଙ୍କ‌ା ପୈଠ କରିବେ ସେମାନଙ୍କର ବିଦ୍ୟୁତ କାହିଁକା କାଟ କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି। ସମସ୍ତ ଲୋକ ବିଦ୍ୟୁତ ବିଲ ଦେବାକୁ ପ୍ରସ୍ତୁତ ରହିଥିଲେ ମଧ୍ୟ ଟାଟା ପାୱାର ମନମୁଖୀ ଶାସନ ଯୋଗୁଁ ଗ୍ରାମର ସମସ୍ତେ ଏବେ ଅନ୍ଧାରରେ ରହିଛନ୍ତି।

ସମ୍ବନ୍ଧିତ ଖବର