ରାୟଗଡା: ରାୟଗଡା ଜିଲ୍ଲାରେ ଗରମରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଏବେ ବିଦ୍ୟୁତ ଦାଉ ସାଧୁଛି। ବିଦ୍ୟୁତର ଲୁଚକାଳି ଖେଳ ସହ ଲୋ-ଭୋଲଟେଜ ଯୋଗୁଁ ଲୋକେ ଗରମରେ ସଢୁଛନ୍ତି।ପଦାରେ ଗରମକୁ ଘରେ ମଧ୍ୟ ଗରମ। ବାହାରେ ଗରମରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ଆଶ୍ରୟ ନେଉଥିବା ବେଳେ ବିଦ୍ୟୁତ ଥାଇ ମଧ୍ୟ ବିଦ୍ୟୁତ ସେବା ଲୋକେ ପାଇ ପାରୁ ନାହାନ୍ତି। ଲୋ-ଭୋଲଟେଜ ଯୋଗୁଁ ଲୋକେ ଘରେ ମଧ୍ୟ ଗରମରେ ଅସ୍ତବ୍ୟସ୍ତ ହେଉଥିବା ଲକ୍ଷ୍ୟ କରାଯାଇଛି। ଏନେଇ ବିଭାଗକୁ ପଚାରିଲେ ଆମ ହାତରେ କିଛି ନାହିଁ ବୋଲି ହାତ ଝାଡି ଦେଉଥିବା ଦେଖିବାକୁ ମିଳିଛି। ସାଧାରଣରେ ରାୟଗଡା ବିଦ୍ୟୁତ ବିଭାଗର ସାବତ ପୁଅ କି ବୋଲି ପ୍ରଶ୍ନ କରାଯାଇଛି। ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ବିଦ୍ୟୁତ ସରବାରହ ଠିକ ଥିବା ବେଳେ ରାୟଗଡାରେ ବିଦ୍ୟୁତ ସେବା ଏକ ପ୍ରକାର ଠପ୍ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରକାଶ ଥାଉକି, ରାୟଗଡା ଜିଲ୍ଲାକୁ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଛି। ଦୀର୍ଘବର୍ଷ ହେଲା ଏହି ସେବା ମାଛକୁଣ୍ଡ ବିଦ୍ୟୁତ ବିଭାଗ ତରଫରୁ ସେବା ଯୋଗାଇ ଆସୁଥିଲେ ମଧ୍ୟ ରାୟଗଡା ଜିଲ୍ଲାବାସୀଙ୍କ ଆଶାକୁ ପୂରଣ କରିବାରେ ବିଫଳ ହୋଇଛି।ଯେତେବେଳେ ମାଛକୁଣ୍ଡ ବିଦ୍ୟୁତ ସେବା ଯୋଗାଇ ପାରୁନଥାଏ, ସେତେବେଳେ ଗ୍ରୀଡ ବିଟିଏଚ (ବାଲିମେଳା-ତାଳଚେର-ହିରାକୁଦ) ବିଦ୍ୟୁତ ପ୍ରକଳ୍ପରୁ ସେବା ଯୋଗାଇ ଦେଇଥାଏ। ଏହି ସେବା ଫଳରେ ଜିଲ୍ଲାରେ ବିଦ୍ୟୁତ ସେବା ଠିକ ରହିଥାଏ। କିନ୍ତୁ ଯେତେବେଳେ ମାଛକୁଣ୍ଡ ବିଦ୍ୟୁତ ସେବା ପୁଣି ଯୋଗାଇ ଦିଆଯାଏ, ସେତେବେଳେ ଜିଲ୍ଲାବାସୀ ଠିକ ରୂପେ ବିଦ୍ୟୁତ ସେବା ପାଇପାରନ୍ତି ନାହିଁ। ତେଣୁ ବିଟିଏଚ ବିଦ୍ୟୁତ ସେବା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

Advertisment

ଜିଲ୍ଲାକୁ ୩୩ କେଭି ଦରକାର ପଡୁଥିବା ବେଳେ ୨୮ରୁ ୨୯ କେଭି ମିଳୁଛି। ଯାହାଫଳରେ ଲୋ-ଭୋଲଟେଜର ଅସୁବିଧା ହେଉଛି।ସେହିପରେ ୩୩ କେଭିରୁ ସହରକୁ ୧୧ କେଭି ଦରକାର ପଡୁଥିବା ବେଳେ ମିଳୁଛି ୮ ରୁ ୯କେଭି।ଯାହାଫଳରେ ସହରରେ ମଧ୍ୟ ଦିନ ଓ ରାତିରେ ଲୋ-ଭୋଲଟେଜ ରହୁଛି। ଯାହାଫଳରେ ନା ଫ୍ୟାନ ବୁଲୁଛି ନା କୁଲର ଚାଲୁଛି। ଯାହାର ଏସି ରହିଛି ତାହା ଠପ୍ ହୋଇ ପଡିଛି। ଲୋକେ ଦିନରାତି ଗରମରେ ଏକ ପ୍ରକାର ସଢୁଛନ୍ତି। ତେବେ ଲୋକଙ୍କ ଅସଂତୋଷ ଏବେ ତୀବ୍ରତର ହେବାକୁ ଲାଗିଲାଣି। ଆଗାମୀ ଦିନରେ ବିଦ୍ୟୁତ ସେବା ଠିକ କରାନଗଲେ ଜନ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆଲୋଚନା ହେଉଛି। ବିଦ୍ୟୁତ ବିଭାଗ ମାସ ପୁରିଲେ ଟଙ୍କା ପାଇଁ ଘରଦ୍ବାରକୁ ଆସୁଥିବା ବେଳେ ବିଦ୍ୟୁତ ସେବା ଯୋଗାଇବା ପାଇଁ ମଧ୍ୟ ଘର ବାରଣ୍ଡା ମାଡୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବିଦ୍ୟୁତ ବିଲ ଧାର୍ଯ୍ୟ ତାରିଖ ମଧ୍ୟରେ ନବାନ୍ଧିଲେ ବିଦ୍ୟୁତ କାଟ କରାଯାଉଥିବା ବେଳେ ଲଗାତାର ବିଦ୍ୟୁତ ସେବା ଯୋଗାଇବାରେ ଟିପିଏସଓଡିଏଲ ବିଫଳ ହୋଇଥିବା ବେଳେ ଏଥର ଟଙ୍କା ପାଇଁ ଆସିଲେ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି। ତେଣୁ ରାୟଗଡାକୁ ସାବତମା‘ର ବ୍ୟବହାର ନକରି ବିଟିଏଚ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଦାବି ହୋଇଛି।