କେନ୍ଦ୍ରାପଡ଼ା: ଜିଲ୍ଲାର ସର୍ବବୃହତ୍ ତଥା ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ କୁହାଯାଉଥିବା କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟ ପ୍ରତି ପ୍ରଶାସନିକ ଅବହେଳାର ସୀମା ଟପିଲାଣି। କରୋନାକୁ ଆଳ କରି ଗଲା ବର୍ଷେ ହେବ କଲେଜର ବାଣିଜ୍ୟ ବ୍ଲକ୍ ଓ ଲେଡିଜ୍ ହଷ୍ଟେଲ୍କୁ ମାଡ଼ି ବସି ବିବାଦ ଘେରକୁ ଆସିଥିବା ଜିଲ୍ଲା ପ୍ରଶାସନର ଆଉ ଏକ ମନମାନି ସାମ୍ନାକୁ ଆସିଛି। ଏଥର ବିଜୁଳି ବିଲ୍କୁ ନେଇ କଲେଜ କର୍ତୃପକ୍ଷ ମୁଣ୍ତରେ ହାତ ଦେଇ ବସିଛନ୍ତି। କରୋନାର ଦ୍ବିତୀୟ ଲହର ସମୟରେ ସ୍ବାସ୍ଥ୍ୟ ବିଭାଗ କୋଭିଡ୍ ହସ୍ପିଟାଲ୍ ଏବ˚ ରହଣୀ ପାଇଁ ଯେଉଁ ବିଜୁଳି ବ୍ୟବହାର କରିଥିଲା, ସେ ବାବଦକୁ ପାଖାପାଖି ୧ଲକ୍ଷ ୬୫ହଜାର ଟଙ୍କାର ବିଲ୍ ହୋଇଛି। ମାତ୍ର, ବିଲ୍ ପଇଠ କରିବାର ନାଁ ଧରୁନାହିଁ ପ୍ରଶାସନ। ଗଲା ସାତ ମାସ ହେବ କଲେଜ ବୋହୁଛି ସ୍ବାସ୍ଥ୍ୟ ବିଭାଗର ବିଜୁଳି ବିଲ୍ ବୋଝ। ସମସ୍ୟା ଏତିକିରେ ସୀମିତ ହୋଇ ରହିନାହିଁ। ବାରମ୍ବାର ବିଲ୍ ଦେବା ପରେ ବି ଅର୍ଥ ପଇଠ ନ ହେବାରୁ ମଝିରେ ବିତରଣ କ˚ପାନି ଟାଟା ପାଵାର୍ ବିଜୁଳି ସ˚ଯୋଗ ବିଚ୍ଛିନ୍ନ କରିଦେବାକୁ ଧମକ ଦେଇଥିଲା। କଲେଜ କର୍ତୃପକ୍ଷ ଏ ସ˚କ୍ରାନ୍ତରେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଜୁଳି କଟାଯିବାରୁ କଲେଜ ବର୍ତ୍ତିଗଲା ସିନା, ମାତ୍ର ବିଲ୍ ପରିଶୋଧ ଏଯାଏ ହେଇନାହିଁ।
କରୋନାର ଦ୍ବିତୀୟ ଲହର ଯେତେବେଳେ ସାରା ଦେଶରେ ବ୍ୟାପିଥିଲା, ସେହି ସମୟରେ ଜିଲ୍ଲା ପ୍ରଶାସନ କେନ୍ଦ୍ରାପଡ଼ା କଲେଜର ବାଣିଜ୍ୟ ବ୍ଲକ୍ ସମେତ ଲେଡିଜ୍ ହଷ୍ଟେଲ୍ ଗୁଡ଼ିକୁ ନିଜ ଅକ୍ତିଆରକୁ ନେଇ ହସ୍ପିଟାଲ୍ କରିବା ସହିତ ରହଣୀ ବ୍ୟବସ୍ଥା କରିଥିଲା। ଏକ ଶହେ ଶଯ୍ୟା ବିଶିଷ୍ଟ ନବନିର୍ମିତ ହଷ୍ଟେଲ୍କୁ ବିଭାଗ କୋଭିଡ୍ ହଷ୍ଟେଲ୍ କରିଥିଲା। ହଷ୍ଟେଲ୍ ଗୁଡ଼ିକରେ ଡାକ୍ତରଙ୍କଠୁ ନର୍ସ, ସ୍ବାସ୍ଥ୍ୟକର୍ମୀ ରହିଥିଲେ। ଏସି, ଫ୍ୟାନ୍, ବଲ୍ଭ ଇତ୍ୟାଦି ଲଗା ଯାଇଥିଲା। ଏସି ଅନବରତ ଚାଲିବାରୁ ବିଜୁଳି ଖର୍ଚ୍ଚ ବହୁ ଗୁଣ ବଢ଼ି ଯାଇଥିଲା। ଏମିତି ଯେ ମାତ୍ର ଛଅ ମାସ ଭିତରେ ବିଜୁଳି ବିଲ୍ ଦେଢ଼ ଲକ୍ଷ ଟପି ଯାଇଥିଲା। ରେକର୍ଡ କହୁଛି, ଗତବର୍ଷ ଏପ୍ରିଲ୍ରୁ ସେପ୍ଟେମ୍ବର ମାସ ଭିତରେ ୧ଲକ୍ଷ ୬୩ହଜାର ୫୨୩ଟଙ୍କାର ବିଜୁଳି ବିଲ୍ ଆସିଛି, ଯାହା ସ୍ବାସ୍ଥ୍ୟ ବିଭାଗ ବ୍ୟବହାର କରିଛି। ଏହି ବିଲ୍ ଆସିବା ପରେ କଲେଜ କର୍ତୃପକ୍ଷଙ୍କ ହୋସ୍ ଉଡ଼ି ଯାଇଛି। ବିଲ୍ ପଇଠ ପାଇଁ ବାରମ୍ବାର ନୋଟିସ୍ ଦେଉଛି ଟାଟା ପାଵାର୍। ହେଲେ ପ୍ରଶାସନ ଅର୍ଥ ଦେଉନଥିବାରୁ କଲେଜ ବିଲ୍ ପରିଶୋଧ କରିପାରୁନାହିଁ। ବାରମ୍ବାର ନୋଟିସ୍ ପରେ ବି ବିଲ୍ ନ ମିଳିବାରୁ ଦୁଇ ମାସ ତଳେ ଟାଟା ପାଵାର୍ ବିଜୁଳି ସ˚ଯୋଗ ବିଚ୍ଛିନ୍ନ କରିଦେବାକୁ ଧମକ ଦେଇଥିଲା। ମାତ୍ର ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବିଜୁଳି କଟାଗଲା ନାହିଁ ବୋଲି କଲେଜ କର୍ତୃପକ୍ଷ ସୂଚନା ଦେଇଛନ୍ତି।
ହେଲେ ପ୍ରଶ୍ନ ଉଠୁଛି ଯେ ପ୍ରଶାସନ କାହିଁକି ଏହି ବିଲ୍ ଦେଉନାହିଁ। ସେପ୍ଟେମ୍ବର ମାସରୁ ବିଲ୍ ଆସିଲାଣି। ବର୍ତ୍ତମାନ ମେ’ ଚାଲିଲାଣି। ପାଖାପାଖି ଆଠ ମାସ ବିତିଗଲାଣି। ହେଲେ ପ୍ରଶାସନ ବିଲ୍ ଦେଉନଥିବାରୁ ବକେୟା ବୋଝ ବୋହୁଛି କଲେଜ। ବିଜୁଳି ବିଲ୍ ଦେବାରେ ଯେମିତି ପ୍ରଶାସନ ଅବହେଳା କରିଛି, ଠିକ୍ ସେମିତି ବାଣିଜ୍ୟ ବ୍ଲକ୍ ଓ ଲେଡିଜ୍ ହଷ୍ଟେଲ୍ ଖାଲି କରିବା କ୍ଷେତ୍ରରେ ବି କରିଥିଲା। ‘ସମ୍ବାଦ’ରେ ଏ ସ˚କ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭା˚ଗିଥିଲା। ପରିଣାମ ସ୍ବରୂପ, ପ୍ରଶାସନ ତତ୍ପରତା ପୂର୍ବକ ପ୍ରଥମେ ବାଣିଜ୍ୟ ବ୍ଲକ୍ ଏବ˚ ପରେ ପରେ କୋଭିଡ୍ ହସ୍ପିଟାଲ୍ କରିଥିବା ହଷ୍ଟେଲ୍କୁ ଖାଲି କରି ଦେଇଥିଲା। ଏବେ ବିଜୁଳି ବିଲ୍କୁ ନେଇ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। କଲେଜ କର୍ତୃପକ୍ଷଙ୍କ କହିବା କଥା ହେଉଛି, ବିଜୁଳି ବିଲ୍ ବାବଦରେ ଉପଜିଲ୍ଳାପାଳଙ୍କୁ ଅବଗତ କରାଇଛୁ। ବିଲ୍ ପଇଠ ହେଇଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଆଜିକାର ତାଜା ସ୍ଥିତି ହେଉଛି ଯେ ବିଲ୍ ପରିଶୋଧ ହୋଇନାହିଁ। ପୂର୍ବଭଳି ପ୍ରତିମାସ ବିଲ୍ରେ ୧ଲକ୍ଷ ୬୩ହଜାର ୫୨୩ଟଙ୍କା ବକେୟା ହିସାବରେ ଯୋଡ଼ି ହୋଇ ଆସୁଛି। ଉପଜିଲ୍ଲାପାଳ ନିର˚ଜନ ବେହେରାଙ୍କ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ନେବା ପାଇଁ ଉଦ୍ୟମ କରିଥିଲୁ। ମାତ୍ର ସେ ଫୋନ୍ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।