ଚମକପୁର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଅନ୍ତର୍ଗତ ଚମକପୁର ଗ୍ରାମ ଜଙ୍ଗଲରେ ଏକ ହାତୀ ଖସି ପଡ଼ିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ ହାତୀକୁ ଉଦ୍ଧାର କରିଛନ୍ତି।

Advertisment

ଚମକପୁର ଗ୍ରାମର ହୁଡ଼ିସାହି ନିକଟ ଜଙ୍ଗଲରେ ଏକ ୧୦ଟିକିଆ ହାତୀପଲ ରହିଛନ୍ତି। ଏହି ହାତୀପଲ ଜଙ୍ଗଲରେ ବୁଲୁଥିବା ବେଳେ ଆଜି ଭୋରରେ ଏକ ଅଣ୍ଡିରା ହାତୀ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରେ ପଡ଼ି ଯାଇଥିଲା। ପଲରେ ଥିବା ଅନ୍ୟ ହାତୀମାନେ ତାକୁ ଉଦ୍ଧାର କରି ନପାରି କିଛି ଦୂରରେ ଡେରା ପକାଇଥିଲେ। ଖବର ପାଇ ଡିଏଫ୍‌ଓ ଏଚ୍‌ଡି ଧନରାଜ, ଏସିଏଫ୍‌ ଅଶୋକ ଦାଶ, ଚମ୍ପୁଆ ରେଞ୍ଜର ଅକ୍ଷୟ କୁମାର ଛତ୍ରିଆ, ଫରେଷ୍ଟର ବୁଲୁ ନାହାକ, କାଳନ୍ଦୀ ସାମଲଙ୍କ ସମେତ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକଘଣ୍ଟାର ଉଦ୍ୟମ ପରେ ହାତୀଟିକୁ ଜେସିବି ମେସିନ ସାହାଯ୍ୟରେ କୂଅରୁ ଊଦ୍ଧାର କରାଯାଇଛି। କୂଅରୁ ବାହାରିବା ପରେ ହାତୀଟି ଜଙ୍ଗଲରେ ଥିବା ହାତୀପଲରେ ସାମିଲ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।