ପଚାଶ ଏକର ଧାନଫସଲ ଦଳିଦେଲେ ହାତୀପଲ

ଚୌଦ୍ବାର: ଚୌଦ୍ବାର ସହର ଉପକଣ୍ଠରେ ଆଜି ଦିନତମାମ୍ ହାତୀପଲଙ୍କ ଉତ୍ପାତକୁ ନେଇ ସାଧାରଣ ଚାଷୀ ଓ ଅଂଚଳବାସୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ହାତୀ ଘଉଡ଼ାଇବାରେ ବନବିଭାଗର ଭୂମିକାକୁ ନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଏ କ୍ଷେତ୍ରରେ ଅସଫଳ ହୋଇଥିବା ଦେଖାଦେଇଛି। ଆଜି ଚନ୍ଦକା ଜଙ୍ଗଲରୁ ୧୬ଟି ହାତୀ ଆସିଥିବାବେଳେ ସେଥିରେ ୪ଟି ଦନ୍ତା ହାତୀ, ୮ଟି ମାଈ ଓ ୪ଟି ଛୁଆ ହାତୀ ଥିବା ଜଣାପଡ଼ିଛି ।
ଆଜି ସକାଳେ ମଙ୍ଗରାଜପୁର ବନବିଭାଗ ସେକ୍ସନ ଅତିକ୍ରମ କରି ଶାଳଗାଁ ନିକଟସ୍ଥ ପଧାନିଆ ରାସ୍ତାଦେଇ ଏହି ହାତୀପଲ ଚୌଦ୍ବାର ସହର ନିକଟସ୍ଥ ନୂଆଗାଁ-କୁଜିବର ନିକଟସ୍ଥ ଭରାଣ୍ତି ହୁଡ଼ା ନିକଟରେ ପହଂଚିଥିଲେ। ଯାଜଭୈରବ ନୂଆଗାଁ, ଭରାଣ୍ତି ଓ ଆଗ୍ରାହାଟ ଅଂଚଳର ପ୍ରାୟ ୫୦ ଏକରରୁ ଅଧିକ ଧାନ ଫସଲ ନଷ୍ଟ କରିଥିବାବେଳେ ଚୌଦ୍ବାର ବନପାଳ ଘଟଣାସ୍ଥଳରେ ଉପସ୍ଥିତ ନ ରହିବା ଘଟଣା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ଗତ ୪ ତାରିଖ ଦିନ ଏହି ହାତୀପଲ ବୁଡ଼ାଲିଙ୍ଗ ଗ୍ରାମର ଚାଷୀ ରତ୍ନାକର ବେହେରାଙ୍କୁ ଦଳିଚକଟି ମାରିଦେଇଥିଲା। ବନବିଭାଗ କର୍ତ୍ତୃପକ୍ଷ ହାତୀ ଘଉଡ଼ାଇବାରେ ବାରମ୍ବାର ବିଫଳ ହେଉଛନ୍ତି। ମଙ୍ଗରାଜପୁର ବନବିଭାଗ କର୍ମଚାରୀ ଜାଣିଶୁଣି ହାତୀପଲଙ୍କୁ ଡାଳିଯୋଡ଼ା ସଂରକ୍ଷିତ ଜଙ୍ଗଲକୁ ଘଉଡ଼ାଇବା ବଦଳରେ ଚୌଦ୍ବାର ସହର ଆଡ଼କୁ ଘଉଡ଼ାଉଥିବା ଆଗ୍ରାହାଟ ଗ୍ରାମବାସୀ ଆଜି ଅଭିଯୋଗ କରିବା ସହ ବିଭିନ୍ନ ଗହୀର ମଝିରେ ନିଆଁହୁଳା ଦେଖାଇଛନ୍ତି। ଏପରିକି ବିଦ୍ୟୁତ୍ ବିଭାଗ ଆଜି ରାତିରେ କିଛି ସମୟ ପାଇଁ ବିଦ୍ୟୁତ୍ ସରାବରାହ ବନ୍ଦ ରଖିଥିଲା। ଚୌଦ୍ବାର ବନବିଭାଗ ପକ୍ଷରୁ ଫରେଷ୍ଟ ଗାର୍ଡ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବିଶ୍ବଜିତ୍ ରାଉତରାୟ, ରମେଶ ଚନ୍ଦ୍ର ବେହେରା, ରାଜୀବ ପ୍ରଧାନ ପ୍ରମୁଖ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର