ବେତନଟୀ: ଜଙ୍ଗଲରେ ଖାଦ୍ୟାଭାବ ପାଇଁ ହାତୀପଲ ଜନବସତି ମୁହାଁ ହେଉଛନ୍ତି। ସନ୍ଧ୍ୟା ହେଲେ ଗାଁଗଣ୍ଡାରେ ପଶୁଛନ୍ତି। ଝାଟିମାଟି ଘର ଉପରେ ଆକ୍ରମର କରିବା ସହ ଫସଲ ନଷ୍ଟ କରି ଆତଙ୍କ ସୃଷ୍ଟି କରୁଛନ୍ତି। ଗରିବ ଲୋକେ ବର୍ଷକ ପାଇଁ ସଞ୍ଚୟ କରି ରଖୁଥିବା ଧାନ ଚାଉଳ ଖାଇ ଯାଉଛନ୍ତି। ମାତ୍ର କେଇ ମିନିଟ୍ ମଧ୍ୟରେ ଲୋକଙ୍କ ଘରଦ୍ବାର ସବୁ ଉଜାଡ଼ି ଦେଉଛନ୍ତି ହାତୀପଲ।
ବେତନଟୀ ରେଞ୍ଜ ଅଧୀନ ଦୁର୍ଗାପୁର, କେସିପୁର, ଅସନବଣୀ, ବଡ଼ାମପୁର, କ୍ଷୀରପଦା ଆଦି ଜଙ୍ଗଲରେ ଡେରା ପକାଇଥିବା ୧୩ଟି ହାତୀଙ୍କ ଉପଦ୍ରବ ଚରମସୀମାରେ ପହଞ୍ଚିଥିବା ବେଳେ ଏଥିରେ ସର୍ବାଧିକ ପ୍ରଭାବିତ ହେଉଛି ଦୁର୍ଗାପୁର, କେସିପୁର, ବଡ଼ାମପୁର ଅଞ୍ଚଳବାସୀ। ରାତିରେ ହାତୀପଲ ହୀନସ୍ତା କରୁଥିବା ବେଳେ ଜୀବନ ବିକଳରେ ବନ ବିଭାଗର ଆଶ୍ରା ଖୋଜୁଛନ୍ତି ଗରିବ ପରିବାର ଲୋକେ। ହେଲେ କର୍ମଚାରୀ ଅଭାବରୁ ହାତୀ ଘଉଡ଼ାଇବାକୁ ବନ ବିଭାଗ ସକ୍ଷମ ହେଉନଥିବାରୁ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ କୁହୁଳିବା ଆରମ୍ଭ ହୋଇଗଲାଣି।
ହାତୀଙ୍କ ମୁକାବିଲା ଲାଗି ବନ କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହେଉଛି। କିଛି ମାସ ପୂର୍ବେ ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ’ଙ୍କ ବଦଳି ପରେ ନୂତନ ରେଞ୍ଜ ଅଧିକାରୀ ଭାବରେ ମନୋହର ଖାଁ ଦାୟିତ୍ବ ନେଇଛନ୍ତି। ହାତଗଣତି କିଛି ବନରକ୍ଷୀଙ୍କ ସହ ହାତୀଙ୍କ ଉପରେ ନଜର ରଖିବାକୁ ୫୦ ଜଣ ଗଜସାଥୀ ବିଭିନ୍ନ ସ୍ଥାନରେ ନିୟୋଜିତ ଅଛନ୍ତି। ହେଲେ ଜଙ୍ଗଲର ଦୁଇ ମୁଣ୍ଡରେ ହାତୀପଲ ଉପଦ୍ରବ କଲେ ଏତିକି କର୍ମଚାରୀ ସେମାନଙ୍କୁ ରୋକିବା ସମ୍ଭବପର ହେଉନି। ଗୋଟିଏ ପଲରେ ୧୦ରୁ ଅଧିକ ହାତୀ ଏକକାଳୀନ ଆସୁଥିବାରୁ କମ୍ କର୍ମଚାରୀ ଓ ଆନୁଷଙ୍ଗିକ ଉପକରଣ ନଥିବାରୁ ହାତୀ ଘଉଡ଼ାଇବାରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଡିଏଫ୍ଓ ଏଥିପ୍ରତି ଗୁରୁତ୍ବ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ବେତନଟୀ ରେଞ୍ଜ ଅଧିକାରୀ ମନୋହର ଖାଁ’ଙ୍କୁ ପଚାରିବାରୁ ସେ କହିଲେ; ହାତୀପଲ ଉପରେ ଆମେ ନଜର ରଖିଛୁ। କର୍ମଚାରୀ ଅଭାବରୁ ସମସ୍ୟା ଉପୁଜୁଛି। ତଥାପି ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଯାହା ସମ୍ଭବ କରାଯାଉଛି। ସେହିପରି ହାତୀ ଦ୍ବାରା କ୍ଷତିଗ୍ରସ୍ତ ପରିବାରଙ୍କୁ ମିଳୁଥିବା ସହାୟତା ପ୍ରଦାନ ପ୍ରକ୍ରିୟାରେ ସରକାର ପରିବର୍ତ୍ତନ କରିଛନ୍ତି। ଏବେ ଅନ୍ଲାଇନ୍ରେ ‘ଅନୁକମ୍ପା ଆପ୍’ ଯୋଗେ ଅବଶ୍ୟକ କାଗଜପତ୍ର ଦାଖଲ ପରେ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ କ୍ଷତିପୂରଣ ଟଙ୍କା ଆସିଯାଉଛି।