ତେଲକୋଇରେ ଥମୁନି ହାତୀ ଉପଦ୍ରବ, ଘର ଭାଙ୍ଗି ଧାନ ଚାଉଳ ଖାଇଗଲେ ୬ଟିକିଆ ହାତୀ ପଲ

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ବଣୁଆ ହାତୀଙ୍କ ଉପଦ୍ରବ ଥମିବାର ନାଁ ଧରୁନି। ପ୍ରାୟ ବର୍ଷେ ହେଲାଣି ବିଳମ୍ବିତ ରାତିରେ ବିଭିନ୍ନ ଗାଁ ଗଣ୍ଡାରେ ପଶି ଉପଦ୍ରବ ଜାରି ରଖିଛନ୍ତି। ଧନଜୀବନ ହାନି ସହିତ ଧାନ ଫସଲ, ବାଡି ବଗିଚା ଉଜାଡିବା ସହ ଘରଦ୍ୱାର ଭାଙ୍ଗି ଧାନ ଚାଉଳ ଖାଇ ଦେଉଛନ୍ତି।

ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ ୬ଟିକିଆ ହାତୀ ପଲ ତେଲକୋଇ ରେଞ୍ଜ ଖୁଣ୍ଟାପଡା ପଞ୍ଚାୟତ କନ୍ତଲେଇ ଗ୍ରାମ ଜାମୁନାଳିଆ ମହାନ୍ତ ସାହିରେ ପଶି ଭଜ ମହାନ୍ତଙ୍କ ୫ ବଖରା ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଇଛନ୍ତି। ଘରେ ଭଜ ଓ ତାଙ୍କ ସ୍ତ୍ରୀ ରାଇମନୀ ମହାନ୍ତ ଶୋଇଥିଲେ। ସେମାନେ ଅଳ୍ପକେ ହାତୀ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି।ସାହି ଲୋକେ ମିଶି ହାତୀକୁ ଘଉଡାଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ସକାଳେ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି।

ଏନେଇ ରେଞ୍ଜର ପ୍ରମୋଦ କୁମାର ସେଠୀଙ୍କୁ ପଚାରିବାରୁ ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲରେ ୬ଟିକିଆ ହାତୀ ପଲ ରହିଥିବା କହିବା ସହିତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର