ଖଳାକୁ ଧାନ ଦେଖିବାକୁ ଯାଇଥିବା ବେଳେ ଦଳିଦେଲା ହାତୀ; ପତିପତ୍ନୀ ଗୁରୁତର

ରାଉରକେଲା : ବିଶ୍ରା ଥାନା ଅନ୍ତର୍ଗତ ଡଲାଙ୍ଗସେରା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଖଳାକୁ ଧାନ ଦେଖିବାକୁ ଯାଇଥିବା ବେଳେ ହାତୀପଲ ଦଳିଦେବାରୁ ପତିପତ୍ନୀ ଗୁରୁତର ହୋଇଛନ୍ତି l ଦୁଇ ଗୁରୁତର ହେଲେ ସୁଶୀଲ ଲାକ୍ରା (୫୬) ଓ ତାଙ୍କ ପତ୍ନୀ କ୍ଲାରା ଲାକ୍ରା (୪୮) l

ଘଟଣାସ୍ଥଳରୁ ପତିପତ୍ନୀ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟଲୋକେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କ୍ଲାରାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି l

ବନ ବିଭାଗ କର୍ମଚାରୀ ଡାକ୍ତରଖାନାରେ ପହଞ୍ଚି ଦୁହିଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ l ଆଜି ଭୋର ପ୍ରାୟ ୩ଟା ବେଳେ ପତିପତ୍ନୀ ଘର ପଛ ଖଳାକୁ ଧାନ ଦେଖିବାକୁ ଯାଇଥିଲେ l ଧାନ ଖାଇବାକୁ ଆସିଥିବା ହାତୀପଲ ହଠାତ ଦୁହିଁଙ୍କୁ ଆକ୍ରମଣ କରିବା ସହ ଗୋଡ଼ରେ ଦଳି ପକାଇଥିଲେ l ଦୁହେଁ ପାଟିକରିବାରୁ ପଡୋଶୀମାନେ ପହଞ୍ଚି ହାତୀପଲଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ l

 

ସମ୍ବନ୍ଧିତ ଖବର