ହାତୀ ଆକ୍ରମଣରେ ବଡ଼ଭାଇର ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ସାନଭାଇ

ମୃତଦେହକୁ ମେଡ଼ିକାଲ ନେବାପାଇଁ ୫ କି.ମି ଖଟିଆରେ ବୁହାହେଲା ଶବ

ବିଶୋଇ: ମୟୁରଭଞ୍ଜ ଜିଲ୍ଲା ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବିଭାଜନ ଅନ୍ତର୍ଗତ ତାଳବନ୍ଧ ବନ୍ୟପ୍ରାଣୀ ରେଞ୍ଜସ୍ଥିତ ବିଙ୍ଗବୁରୁ ଜଙ୍ଗଲରେ ଗତକାଲି ସନ୍ଧ୍ୟା ସମୟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ବ୍ୟକ୍ତି ଅଳ୍ପକେ ବର୍ତ୍ତିଯାଇଛନ୍ତି।

ମୃତ ବ୍ୟକ୍ତି ଜଣଙ୍କ ହେଲେ ବଡ଼ମଣଦା ପଞ୍ଚାୟତର ଆହ୍ଲାପାଣି ଗ୍ରାମର ବଡ଼ଗୁଡା ସାହିର ସ୍ୱର୍ଗତ ଦୁର୍ଯ୍ୟୋଧନ ଦେହୁରୀଙ୍କ ପୁଅ ବୈକୁଣ୍ଠ ଦେହୁରୀ (୫୦)।

ସୂଚନାଯୋଗ୍ୟ, ଗତକାଲି ସକାଳ ସମୟରେ ବୈକୁଣ୍ଠ ଦେହୁରୀ ନିଜ କକା ପୁଅ ଭାଇ ନୀଳକଣ୍ଠ ଦେହୁରୀଙ୍କ ସହିତ ମିଶି ନିଜ ଗ୍ରାମ ଠାରୁ ୨ କିଲୋମିଟର ଦୂରରେ ଥିବା ବିଙ୍ଗବୁରୁ (ପର୍ଯାଉଦାଓ)ଜଙ୍ଗଲକୁ ଝୁଣା ସଂଗ୍ରହ ନିମନ୍ତେ ଯାଇଥିଲେ। ତେବେ ଅପରାହ୍ନ ୪ ଘଟିକା ସମୟରେ ଝୁଣା ସଂଗ୍ରହ କରି ୨ ଭାଇ ଗ୍ରାମକୁ ଫେରୁଥିବାବେଳେ ଜଙ୍ଗଲ ମଧ୍ୟରେ ଏକ ହାତୀ ସହିତ ମୁହାଁମୁହିଁ ହୋଇଥିଲେ।  ଭୟରେ ୨ ଭାଇ ଉକ୍ତ ସ୍ଥାନରୁ ଖସି ଆସିବାକୁ ପ୍ରୟାସ କରୁଥିବା ବେଳେ ପଛପଟୁ ଆଉ ଏକ ହାତୀ ହାବୁଡ଼ରେ ପଡିଯାଇଥିଲେ।

ତେବେ ସାନଭାଇ କୌଶଳ କ୍ରମେ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିବା ବେଳେ ବଡ଼ ଭାଇ ବୈକୁଣ୍ଠ ୨ ଗୋଟିହାତୀ ସହିତ ମୁହାଁମୁହିଁ ହୋଇଯାଇଥିଲେ। ହାତୀ ଦୁଇଟି ବୈକୁଣ୍ଠକୁ ଘୋଷାଡି ନେବା ସହିତ ଛାତି ଓ ମୁଣ୍ଡରେ ଜୋରରେ ଆଘାତ କରି ଦଳି ଚକଟି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ବୈକୁଣ୍ଠଙ୍କର ମୃତ୍ୟୁ ଘଟିଥିଲା।

ଏପଟେ ଅଳ୍ପକେ ବର୍ତ୍ତିଯାଇଥିବା ନୀଳକଣ୍ଠ ଅନ୍ୟତ୍ର ଲୁଚି ନିଜ ଭାଇକୁ ଜୋରରେ ଚିତ୍କାର କରି ଡାକିବା ସହିତ ବୈକୁଣ୍ଠକୁ  ପାଇପାରି ନଥିଲେ ଫଳରେ ଭୟଭୀତ ହୋଇ ସେ ଗ୍ରାମକୁ ଦୌଡ଼ି ପଳାଇ ଗ୍ରାମବସୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ସନ୍ଧ୍ୟା ସମୟରେ ଘଟଣାସ୍ଥଳକୁ ଯାଇ ବୈକୁଣ୍ଠଙ୍କୁ ଖୋଜାଖୋଜି କରି ତାଙ୍କର ମୃତଦେହକୁ ଠାବ କରିଥିଲେ । ଏଥିସହିତ ଏହି ବିଷୟରେ ମଣଦା ବନବିଭାଗ ଓ ମଣଦା ଫାଣ୍ଡିକୁ ଖବର ଦେଇଥିଲେ।

Elderly man trampled to death by elephant in Odisha's Bhadrak | Sambad English

ଖବରପାଇବା ପରେ ମଣଦା ବନବିଭାଗ ଅଧିକାରୀ ବନବିହାରି ସର୍ଦ୍ଧାରଙ୍କ ନିର୍ଦ୍ଦେଶ କ୍ରମେ ମଣଦା ରେଞ୍ଜର ଫରେଷ୍ଟର ଶୁଶାନ୍ତ କୁମାର ପାତ୍ର, ଫରେଷ୍ଟ ଗାର୍ଡ ଭାଗ୍ୟବାନ ପାତ୍ର, ହିମାଂଶୁ ସେଠି ଓ ତାଳବନ୍ଧ ରେଞ୍ଜର ବନରକ୍ଷୀ ସୁନୀଲ ମହାନ୍ତ, ଚକ୍ରଧର ମହାନ୍ତ ଏବଂ ଚହଲା ରେଞ୍ଜର ବନରକ୍ଷୀ ଦୁଷ୍ମନ୍ତ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ ସହିତ ମିଶି ମୃତଦେହକୁ ଗ୍ରାମ ମଧ୍ୟକୁ ଆଣିଥିଲେ।

ଏଥିସହିତ ଶବକୁ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ପାଇଁ ମଣଦା ବନବିଭାଗ ପକ୍ଷରୁ ପରିବାରକୁ ୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ମାତ୍ର ଦୁଃଖର ବିଷୟ ମଣଦା ଫାଣ୍ଡିକୁ ଖବର ଦେଇଥିଲେ ସୁଦ୍ଧା ମଣଦା ଫାଣ୍ଡିର କୌଣସି କର୍ମଚାରୀ ଘଟଣାସ୍ଥଳକୁ ଯାଇ ନଥିଲେ ଫଳରେ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ତେବେ ଆଜି ସକାଳେ ମୃତଦେହକୁ ମେଡ଼ିକାଲ ନେବା ପାଇଁ ଆର୍ଥିକ ସହାୟତା ନିଅଣ୍ଟ ହେବାରୁ ଗ୍ରାମବସୀମାନେ ଖଟିଆରେ ମୃତଦେହକୁ ବୋହି ମଣଦା ମେଡ଼ିକାଲ ନେବା ପାଇଁ ପ୍ରୟାସ କରିଥିଲେ ।

ତେବେ ଏହି ବିଷୟରେ ଖବର ପାଇବା ପରେ ମଣଦା ବନବିଭାଗର କର୍ମଚାରୀମାନେ ଦୀର୍ଘ ୫ କି.ମି ପର୍ଯ୍ୟନ୍ତ ଖଟରେ ବୁହା
ହେଉଥିବା ଶବକୁ ରାସ୍ତାରେ ରଖିବା ସହିତ ଆମ୍ବୁଲାନ୍ସ ସହାୟତାରେ ମୃତଦେହକୁ ମଣଦା ମେଡ଼ିକାଲକୁ ପଠାଇବାର ବ୍ୟବସ୍ଥା କରିଥିଲେ। ମଣଦା ମେଡିକାଲରୁ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁରକୁ ପଠାଯାଇଥିଲା।

ସୂଚନାଥାଉକି, ଦେହୁରୀ ସମ୍ପ୍ରଦାୟର ମୃତକ ବୈକୁଣ୍ଠ ତାଙ୍କ ପରିବାରରେ ୨ ପୁଅ ଗୋଟିଏ ଝିଅ ଓ ପୁଅ ବୋହୂ ଥିବାବେଳେ ଜଙ୍ଗଲରୁ ଲଘୁଜାତ ଦ୍ରବ୍ୟ ସଂଗ୍ରହ କରି ବୈକୁଣ୍ଠ ନିଜ ପରିବାର ପୋଷଣ କରୁଥିଲେ। ତେଣୁ ତାଙ୍କର ମୃତ୍ୟୁରେ ବର୍ତ୍ତମାନ ପରିବାର ଲୋକ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିପଡିଥିବା ବେଳେ ଯଥାଶୀଘ୍ର ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷ ପାଖରେ ଗୁହାରି କରିଛନ୍ତି।

ସମ୍ବନ୍ଧିତ ଖବର