ସ୍ପଳ୍ପ ବୃଷ୍ଟିପାତ ଓ ଲଗାଣ ବର୍ଷା ପରେ ଏବେ ଜମିରେ ହାତୀପଲ

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ ବନାଞ୍ଚଳରେ କିଛିଦିନ ହେବ ହାତୀପଲ ଧାନ କ୍ଷେତ ଆଡକୁ ଆସୁଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଓ ପରେ ପରେ ଲଗାଣ ବର୍ଷାରେ ଚାଷ କାର୍ଯ୍ୟକୁ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଥିବା ବେଳେ ବର୍ତ୍ତମାନ ଧାନ କ୍ଷେତକୁ ହାତୀ ଭୟ ଘାରିଛି। ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼,ଜଗନ୍ନାଥପ୍ରସାଦ ଓ ତାରସିଂ ବନାଞ୍ଚଳରେ ହାତୀଙ୍କ ଗତିବିଧି ଲକ୍ଷ କରାଯାଇଥିବା ବେଳେ ବର୍ତ୍ତମାନ ଧାନ ଫସଲ ପାଚି ନଥିବାରୁ କ୍ଷେତ ଆଡ଼କୁ ଆସି ନଥିଲେ ମଧ୍ୟ ଦଳି ଚକଡି ଅନେକ ଜମି ନଷ୍ଟ କରୁଛନ୍ତି । ବିଶେଷ କରି ମୁଜାଗଡ଼ ବନାଞ୍ଚଳର ସାଧୁଗାଁ ପଇତା ଗାଁ ଓ ଦଦରଲୁଣ୍ଡା ଇଲାକାରେ ଦଳଦଳ ହୋଇ ହାତୀ ପଲ୍ଲ ଘୁରି ବୁଲୁଥିବାରୁ ଚାଷୀଙ୍କୁ ଫସଲ କ୍ଷତି ଭୟ ଘାରିଛି।

ଖବର ପାଇ ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ହାତୀମାନଙ୍କୁ ଜଙ୍ଗଲ ଭିତରକୁ ଘୋଉଡାଉଛନ୍ତି। ବର୍ତ୍ତମାନ ଧାନ ଗଛରେ କେଣ୍ଡା ଧରି ଥିବା ବେଳେ ଆଉ କିଛି ଦିନ ଗଲେ ଫସଲ ଅମଳ ହେବ। ଏହି ସମୟରେ  ଧାନ ଫସଲର ବାସ୍ନା ପାଇଁ ଜଙ୍ଗଲ ଭିତରୁ ହାତୀ ବାହାରକୁ ଆସିବେ। ଧାନ ଫସଲ ଖାଇବା ପାଇଁ ଆସି ଅନେକ ସମୟରେ ଜନବସତି ଆଡ଼କୁ ମୁହାଁଇଥାନ୍ତି। ସେହି ସମୟରେ ମଣିଷ ଠାରୁ ହାତୀର ସୁରକ୍ଷା ଏବଂ ହାତୀ ଠାରୁ ମଣିଷ ସୁରକ୍ଷା ବଡ ଚାଲେଞ୍ଜ ସୃଷ୍ଟି କରିବ। ଏହି ସମୟରେ ହାତୀ ପଲ ଯେଉଁ ପରିମାଣର ଫସଲ ଖାଆନ୍ତି ନାହିଁ ତା ଠାରୁ ଅଧିକା ଦଳି ନଷ୍ଟ କରିବାର ନଜିର ରହିଛି।  ତେଣୁ ଏବେ ଠାରୁ ଚାଷୀମାନେ ହାତୀ ଠାରୁ କିଭଳି ସେମାନଙ୍କ ଫସଲ ସୁରକ୍ଷା କରିବେ ସେନେଇ ଚିନ୍ତାରେ ରହିଛନ୍ତି।

ଉତ୍ତର ଘୁମୁସର ବନଖଣ୍ଡରେ ବର୍ତ୍ତମାନ ୪୯ ଟି ହାତୀ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ୨୪ ଟି ମାଈ ହାତୀ,୧୫ ଟି ଛୁଆ ହାତୀ ଏବଂ ୧୦ ଟି ଦନ୍ତା ରହିଥିବା ଜଣାପଡିଛି। ଜଗନ୍ନାଥପ୍ରସାଦ ରେଞ୍ଜରେ ବର୍ତ୍ତମାନ ୧୯ ଗୋଟି ହାତୀ ରହିଥିବା ବେଳେ ତାରସିଂ ରେଞ୍ଜରେ ୧୩ ଟି,ମୁଜାଗଡ ବନାଞ୍ଚଳରେ ୧୬ ଗୋଟି ଏବଂ ଗାଲେରୀ ବନାଞ୍ଚଳରେ ଗୋଟିଏ ଦନ୍ତାହାତୀ ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ମୁଜାଗଡ ବନାଞ୍ଚଳରେ ରହୁଥିବା ହାତୀପଲ ପ୍ରାୟତଃ କନ୍ଧମାଳ ଜଙ୍ଗଲରେ ରହୁଥିବା ବେଳେ ସେମାନେ ମୁଜାଗଡ ବନାଞ୍ଚଳର ସାହାଜଖାଲ,ବାପାଙ୍ଗି,ଇନ୍ଦ୍ରଗଡ,ବାଇବାଲି,କାନବିନ୍ଧା ଅତିକ୍ରମ କରି ଦିର୍ବିସିଂ ଓ ଦରପଙ୍ଗିଆ ରାସ୍ତା ଦେଇ ଦଦରଲୁଣ୍ଡାକୁ ଏହି ସମୟରେ ଆସିଥାନ୍ତି।

ଅନ୍ୟଏକ ହାତୀପଲ ସାହାଜଖାଲରୁ ବାପାଙ୍ଗି ରାସ୍ତାରେ ସାଧୁଗାଁ ପଇତାଗାଁ  ଅତିକ୍ରମ କରି ବ୍ରାହ୍ମଣପଦର ଇଲାକାକୁ ଏହି ଧାନ ଫସଲ ଅମଳ ସମୟରେ ଆସିଥାନ୍ତି। ବାଟରେ ଜୟମଙ୍ଗଳ ଡ୍ୟାମ୍ ଏମାନଙ୍କ ପାଇଁ ପର୍ଯ୍ୟପ୍ତ ପାଣି ମିଳି ପାରୁଥିବା ବେଳେ ଏହି ହାତୀ ପଲ ଗାଲେରୀ ବନାଞ୍ଚଳ ଯାଏଁ ଯାଇ ପୁଣି ଦଦରଲୁଣ୍ଡା ଜଙ୍ଗଲକୁ ଫେରିଥାନ୍ତି। ଏମାନଙ୍କ ଭିତରେ ମାଇ ହାତୀ ଓ କିଛି ଛୁଆ ହାତୀ ରହିଛି। ଏଥିସହ ଗୋଟିଏ ଦନ୍ତା ହାତୀ ମଧ୍ୟ ଏମାନଙ୍କ ସହିତ ବୁଲୁଥିବା ବେଳେ ଅନେକ ସମୟ ସେ ଏକୁଟିଆ ମଧ୍ୟ ବିଭିନ୍ନ ଅଞ୍ଚଳରେ ବୁଲୁଥିବା ବେଳେ ବର୍ତ୍ତମାନ ଗାଲେରୀ ବନାଞ୍ଚଳରେ ବୁଲୁଥିବା ବନ ବିଭାଗ କର୍ମଚାରୀ ମାନେ ଦେଖିବାକୁ ପାଇଛନ୍ତି।

କିନ୍ତୁ ବାଇବାଲିରୁ ଦରପଙ୍ଗିଆ ମଧ୍ୟରେ ଥିବା ହାତୀ କରିଡରର ଡହ ଡ୍ୟାମ୍ ଉପରେ ଥିବା ନହରଖୋଲ ଜଙ୍ଗଲରେ ଭଲ ବାଉଁଶ ବଣ ରହିଥିବାରୁ ହାତୀ ମାନଙ୍କୁ ତାହା ବେଶ୍ ସୁହାଉଛି। ଏଥିସହ ଜଙ୍ଗଲ ମଧ୍ୟରେ ଥିବା କାନବିନ୍ଧା ଡ୍ୟାମ୍ରୁ ସେମାନଙ୍କୁ ଆବଶ୍ୟକ ପରିମାଣର ପିଇବା ପାଣି ମିଳି ପାରୁଥିବାରୁ ଗତ କିଛି ବର୍ଷ ହେବ ସେମାନେଇ ମୁଜାଗଡ ବନାଞ୍ଚଳ ଛାଡି ବାହାରକୁ ଯାଉନଥିବା ସହକାରୀ ବନ ସଂରକ୍ଷକ ସୁର୍ଦଶନ ବାଦୀ ପ୍ରକାଶ କରିଛନ୍ତି। ହାତୀ ମାନେ କିଭଳି ଲୋକଙ୍କୁ କ୍ଷତି ପହଞ୍ଚାଇବେ  ନାହିଁ ସେଥିପ୍ରତି ବନ ବିଭାଗ କର୍ମଚାରୀ ମାନେ ପ୍ରତି ମୁହୂର୍ତ୍ତରେ ସଜାଗ ରହିଥିବା ସେ କହିଛନ୍ତି। ସ୍କ୍ବାର୍ଡ ପିଲାଙ୍କ ଠାରୁ ଆରମ୍ଭ କରି ବନ ବିଭାଗର ସମସ୍ତ କର୍ମଚାରୀ ପ୍ରତିଦିନ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ପ୍ରତିଦିନ କାର୍ଯ୍ୟାଳୟକୁ ରିପୋର୍ଟ ଦେଉଛନ୍ତି। ରାତି ଅଧରେ ହାତୀଙ୍କ ଖବର ଆସିଲେ ତୁରନ୍ତ ସେଠାକୁ ଯାଇ ହାତୀମାନଙ୍କୁ ଘଉଡଛନ୍ତି ବୋଲି ଶ୍ରୀ ବାଦୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର