ପିପିଲି: ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଦନ୍ତା ହାତୀର ଉତ୍ପାତ ବଢ଼ି ଚାଲିଛି। ଆଜି ରାତିରେ ଦେବୀ ଗଳି ନିକଟରେ ପୁଣି ଜଣେ ଯୁବକଙ୍କୁ ଦନ୍ତା ଆକ୍ରମଣ କରିଛି। ଆକ୍ରମଣର ଶିକାର ହୋଇଛନ୍ତି ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ହସନ୍ପୁର ଗ୍ରାମର ସେକ୍ ଅଜୁ (୨୫)। ତାଙ୍କୁ ପିପିଲିସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଗୁରୁତର ଅବସ୍ଥାରେ ସେକ୍ଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।
ଆଜି ସକାଳେ ବଣୁଆ ଦନ୍ତାହାତୀ ହାବୁଡ଼ରେ ପଡ଼ି ଚନ୍ଦ୍ରଦେଈପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଟିଘର ଗାଁର ୬୫ ବର୍ଷିୟ ମକର ପଲେଇ, ବଳଙ୍ଗା ଥାନା ଅଧୀନ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅଞ୍ଚଳର ୬୦ ବର୍ଷିୟ ଯୁଗଳ କିଶୋର ଭଟ୍ଟ ଏବଂ ରାଜତେଇ ଗାଁର ୪୫ ବର୍ଷିୟ ଚୈତନ୍ୟ ସାହୁଙ୍କ ମୃତ୍ୟୁ ଘଟିଥିଲା। ସେହିପରି ହାତୀର ଆକ୍ରମଣରେ ଜମାଲପୁର ଗାଁର ଅଜୟ କୁମାର ନାୟକ (୪୫) ସନ୍ଧ୍ୟାରେ ଜୀବନ ହରାଇଥିଲେ। ଆହୁରି ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବନ ବିଭାଗ ଓ ପୁଲିସ ହାତୀ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଛି। ଡିଏଫଓ ସୁଦୀପ ନାୟକ, ରେଞ୍ଜର ଜୟକୃଷ୍ଣ ଯଦୁମଣି, ଏସିଏଫ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ବନ ବିଭାଗର ପ୍ରାୟ ୩୦ ଜଣ କର୍ମଚାରୀ ଦନ୍ତାକୁ ଘଉଡାଇବା ପାଇଁ ଉଦ୍ୟମ କରୁଛନ୍ତି। ସେହିପରି ପିପିଲି ଥାନା ଆଇଆଇସି ଶରତ କୁମାର ସାହୁ, ତହସିଲଦାର ସପନ କୁମାର ନନ୍ଦ ମଧ୍ୟ ହାତୀ ଘଉଡାଇବା ଅଭିଯାନରେ ସାମିଲ ହୋଇଛନ୍ତି।
ଭୁବନେଶ୍ୱର ଜାତୀୟ ରାଜପଥ ଅତିକ୍ରମ କରାଇବା ପାଇଁ ଉଦ୍ୟମ ଚାଲିଥିବା ବେଳେ ହାତୀ ମାନୁ ନାହିଁ। ଲୋକେ ଭୟଭୀତ ହୋଇଯାଇଛନ୍ତି। ପିପିଲି ବଜାର ବନ୍ଦ ରଖାଯାଇଛି। ସେହିପରି ବାଲିପାଟଣା ରେଞ୍ଜ ଅନ୍ତର୍ଗତ ରାଜତଇ, ସଅଁପୁର, ଚନ୍ଦ୍ରଦେଇପୁର, ଦୁର୍ଗାଦାଶପୁର, କୁଳଶେଖର ପାଟଣା, ବରାଗଡ଼, ମାଳିବରାଇ, ନୂଆଶାସନ, କାନପୁର, ଷଣ୍ଢବଟ, ନିଡିଆବନ୍ଧ, ଷଟସ, ଶ୍ରୀକଣ୍ଠପୁର, ଚଢ଼େଇଆ, ଡଗରାସାହି ଓ ଜଗନ୍ନାଥପୁରରୁ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଛି। ଆଜି ରାତିରେ ଲୋକେ କେମିତି ରହିବେ, ଏହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଲୋକେ ଘରୁ ନ ବାହାରିବା ପାଇଁ ବନ ବିଭାଗ ପରାମର୍ଶ ଜାରି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/tusker-750x430-1.jpg)