ଖୁଣ୍ଟୁଣୀ: ଖୁଣ୍ଟୁଣୀ ବନାଞ୍ଚଳରେ ବିଚରଣ କରୁଥିବା ଚନ୍ଦକା ହାତୀପଲ ବର୍ତ୍ତମାନ ସୁନିଆଁମୁହଁ ଓ ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲକୁ ଫେରିଛନ୍ତି। ସପ୍ତାହେ ପର୍ଯ୍ୟନ୍ତ ବଉଳ ସଂରକ୍ଷିତ ଜଙ୍ଗଲରେ ରହିଥିବା ଏହି ହାତୀପଲ ସ୍ଥାନୀୟ ବଉଳ, ସାରକୋଳି, ପହିଲାବର ଆଦି ଗ୍ରାମର ଚାଷୀଙ୍କ କ୍ଷେତରେ ପାଚିଲା ଧାନ ଫସଲ ନଷ୍ଟ କରିଥିଲେ। ଗତକାଲି ରାଜପଥ ପାର ହୋଇ ହାତୀପଲ ମଞ୍ଚେଶ୍ୱର ପଞ୍ଚାୟତର ବ୍ରାହ୍ମଣବସ୍ତ ଓ ସୁନିଆଁମୁହଁ ଜଙ୍ଗଲକୁ ଚାଲି ଆସିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ହାତୀପଲରେ ଥିବା ଏକ ଦନ୍ତାହାତୀ ଚାଷୀଙ୍କ ପନିପରିବା ଫସଲ ଓ କଦଳୀ ଗଛ ଉଜାଡ଼ି ଦେଇଛି। ଦଳ ଛାଡ଼ି ଏହି ଦନ୍ତା ହାତୀଟି ନୂଆଡିହ ଗ୍ରାମର ପ୍ରଶାନ୍ତ ସ୍ବାଇଁଙ୍କ ପରିବା କ୍ଷେତରେ ପଶି କାକୁଡି ଭାଡ଼ି ଭାଙ୍ଗିଦେବା ସହ କାକୁଡ଼ି, ବିନ୍ ଓ ଭେଣ୍ଡି ଫସଲ ନଷ୍ଟ କରିଛି। ସେମିତି ସୁଧାକର ସାମଲଙ୍କ ପିଆଜ, ନାରଙ୍ଗବସ୍ତ ଗ୍ରାମର ସୁନନ୍ଦା ଦେଈ ଓ ରାଜେଶ ସାମଲଙ୍କ ଆଳୁ କ୍ଷେତକୁ ହାତୀଟି ଦଳିଚକଟି ନଷ୍ଟ କରିଦେଇଛି।
ଏହାଛଡ଼ା ନୂଆଡ଼ିହ ଗ୍ରାମର ଚେମା ସାମଲ ଓ ସନ୍ତୋଷ ସ୍ବାଇଁଙ୍କ ବାରିରେ ପ୍ରବେଶ କରି ଦନ୍ତାହାତୀ ୫୦ରୁ ଅଧିକ କଦଳୀ ଗଛ ଭାଙ୍ଗି ଦେଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଦନ୍ତାହାତୀ ଦଳ ଛାଡ଼ି ଲୋକଙ୍କ ବାରିଘର ମୁହଁା ହେଉଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଖୁଣ୍ଟୁଣୀ ବନ ବିଭାଗ ଓ ହାତୀ ଘଉଡ଼ାଳି ଦଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/IMG-20220101-WA0109_6.jpg)