ଜୀବନ ହାରିଲା ହାତୀଛୁଆ

ଚିତ୍ରଡ଼ା: ଉଦ୍ଧାର ହୋଇଛି ମୃତ ହାତୀଛୁଆ। ତେବେ ଏହା କେମିତି ମଲା, ନା ତାକୁ କିଏ ମାରିଲା; ‌ସେନେଇ କିଛି ସ୍ପଷ୍ଟ ହୋଇ ପାରିନାହିଁ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ମୋରଡ଼ା ସାନମୁଣ୍ଢାବଣି ପଞ୍ଚାୟତ ବାଘାଝରଣ ନିକଟରେ ଅଞ୍ଚଳରେ ହାତୀଛୁଆଟିର ମୃତ୍ୟୁ ହୋଇଛି । ଆଜି ସକାଳେ ସ୍ଥାନୀୟ ଲୋକ ମୃତ ହାତୀଛୁଆକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଛୁଆର ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ହାତୀଛୁଆଟିର ମୃତ୍ୟୁ କିପରି ହେଲା, ସେନେଇ କିଛି ଜଣାପଡ଼ିନାହିଁ। ଅସୁସ୍ଥତା କାରଣରୁ କି ଅନ୍ୟ କେଉଁ କାରଣରୁ ତା’ର ମୃତ୍ୟୁ ଘଟିଛି; ନା ଶିକାରୀମାନେ ତାକୁ ମାରିଛନ୍ତି, କିଛି ଜଣାପଡ଼ିନାହିଁ । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ରେଞ୍ଜ ଅଧିକାରୀ ମଧୁସ୍ମିତା ଦାସ କହିଛନ୍ତି ।

ଅନ୍ୟପଟେ ହାତୀଛୁଆଟିର ମୃତ୍ୟୁ ପାଇଁ ବନ ବିଭାଗ ଦାୟୀ ‌ବୋଲି ଅଭିଯୋଗ ହୋଇଛି। ବାଘଝରଣରେ ଗତ ୩ ଦିନ ହେବ ଶିମିଳିପାଳ ହାତୀ ପଲ ରହୁଥିବା ବେଳେ ସେମାନଙ୍କ ଉପରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ କାହିଁକି ନଜର ରଖିଲେ ନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧିତ ଖବର