ରାୟଗଡା: ରାୟଗଡା ଜିଲ୍ଲା ହାତୀମାନଙ୍କ ଅନ୍ୟ ଏକ ବାସସ୍ଥାନ। ଉଲଦାନ ଠାରୁ ଚନ୍ଦ୍ରପୁର ଏବଂ ଖିରଲାପୁଟ ସେଞ୍ଚୁରୀକୁ ହାତୀ କରିଡର ଭାବେ ଦୀର୍ଘ ଦିନ ହେଲା ରାଜ୍ୟ ଏବଂ କେନ୍ଦ୍ର ନିକଟରେ ଦାବି କରିଆସୁଥିଲେ ମଧ୍ୟ ଏହାକୁ ଆଜି ପର୍ଯ୍ୟନ୍ତ ହାତୀ କରିଡର ଭାବେ ଘୋଷଣା କରାଯାଉ ନାହିଁ। ଏହି ରାସ୍ତା ଦେଇ ରାୟଗଡା ଜିଲ୍ଲାକୁ ହାତୀ ଆସନ୍ତି ଓ ଫେରିଯାନ୍ତି। ବର୍ତ୍ତମାନ କଳାହାଣ୍ଡିରୁ ୨ଟି ହାତୀ ସିକରପାଇ ଅଂଚଳରେ ବୁଲୁଥିବା ବେଳେ ମୁନିଗୁଡା,ଆମ୍ବାଦୋଳା ଅଂଚଳରେ ୧୩ ହାତୀ ବୁଲୁଥିବା ବନ ବିଭାଗ ସୂଚନା ପ୍ରଦାନ କରିଛି। ଏହି ୧୫ଟି ହାତୀ ରାୟଗଡା ଜିଲ୍ଲାର ବିଭିନ୍ନ ଜଂଗଲିଆ ଅଂଚଳରେ ବୁଲୁଥିବା ବେଳେ କିଛି ଅଂଚଳରେ ଫସଲ ନଷ୍ଟ କରୁଥିବା ମଧ୍ୟ ଖବର ମିଳିଛି। ଏନେଇ ବନବିଭାଗ ପକ୍ଷରୁ ଯାଞ୍ଚ ଚାଲିଛି। ଗତ ଏକ ବର୍ଷ ମଧ୍ୟରେ ବହୁ ହାତୀ ଜିଲ୍ଲାକୁ ଆସି ପୁଣି ଫେରିଯାଇଛନ୍ତି। ଏବେ କିଛି ମାସ ହେଲା ଏହି ୧୫ଟି ହାତୀ ଜିଲ୍ଲା ଭିତରକୁ ପ୍ରବେଶ କରି ନିଜର ଉପସ୍ଥିତି ଜାହିର କରିଛନ୍ତି। ବନ ବିଭାଗ ଏମାନଙ୍କର ସୁରକ୍ଷା ନେଇ ସଜାଗ ରହିଥିବା କହିଛି। ହାତୀ ବୁଲୁଥିବା ଅଂଚଳରେ ଲୋକଙ୍କୁ ସତର୍କ କରିବା ସହ ଏହି ରାସ୍ତା ଦେଇ ଯାଉଥିବା ଟ୍ରେନକୁ ମଧ୍ୟ ସତର୍କ କରାଯାଇଛି। ଯେପରି କୌଣସି ହାତୀର କିଛି ବି ନଘଟେ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ଡିଏଫଓ ବିଜୟ କୁମାର ପରିଡା ପ୍ରକାଶ କରିଛନ୍ତି। ଅନ୍ୟଦିଗରେ ଗତ ଏକ ବର୍ଷ ମଧ୍ୟରେ ହାତୀଙ୍କ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ରାୟଗଡା ବନ ବିଭାଗ ପକ୍ଷରୁ ଗତ ୨୦୨୨-୨୩ ମଧ୍ୟରେ ହୋଇଥିବା ହାତୀଙ୍କ ଦ୍ବାରା କ୍ଷୟକ୍ଷତିର ସମସ୍ତ କ୍ଷତି ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି।

Advertisment

ରିପୋର୍ଟ ଅନୁଯାୟୀ ରାୟଗଡା ଜିଲ୍ଲାରେ ୨୪୩ ଲୋକଙ୍କର ୧୪୭ ଏକର ଚା, ଜମିକୁ ହାତୀ ନଷ୍ଟ କରିଥିବାବେଳେ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ବାବଦକୁ ୧୬ ଲକ୍ଷ ୪ ହଜାର ୯୩୨ ଟଙ୍କା ପ୍ରଦାନ କରାଯାଇଛି।ସେହିପରି ୩ ଜଣଙ୍କର ଅଳ୍ପ ଘର ଭାଙ୍ଗି ଥିବାରୁ ୬ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଜଣକର ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ୩ ଜଣଙ୍କୁ ହାତୀ ଆକ୍ରମଣ କରି ମାରିଦେଇଥିବା ବେଳେ ସେମାନଙ୍କର ପରିବାରକୁ ୧୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ହାତୀ ଆକ୍ରମଣରେ ଆହତ ହୋଇଥିବା ୩ ଜଣ ଲୋକଙ୍କୁ ୩ ଲକ୍ଷ ଟଙ୍କା ଏବଂ ଅଳ୍ପ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲାର କେବଳ ଗୋଟିଏ ଗାଈକୁ ହାତୀ ମାରିଦେଇଥିବାରୁ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି।

ତେବେ ବର୍ତ୍ତମାନ ୧୫ଟି ହାତୀ ମଧ୍ୟ ବହୁ ଗ୍ରାମରେ ବହୁ କ୍ଷତି ଘଟାଉଥିବା ବେଳେ ବନ ବିଭାଗ ପକ୍ଷରୁ ଏହାର ଯାଞ୍ଚ ଚାଲିଛି। ପ୍ରକାଶ ଥାଉକି ଗତ ୨୦୧୭ ମସିହା ଠାରୁ ହାତୀ ଗଣନା ହୋଇନାହିଁ। ଗତ ୨୦୧୭ ମସିହାରେ ଜିଲ୍ଲାରେ ମାତ୍ର ୧୬ଟି ହାତୀ ରହିଥିଲେ। ଜିଲ୍ଲାରେ ଦୁଇଟି କରିଡର ରହିଥିବାରୁ ପ୍ରାୟତଃ ହାତୀମାନେ ସେହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି। ବର୍ଷ ତମାମ ହାତୀଙ୍କ ଉପସ୍ଥିତି ନେଇ ବନବିଭାଗ ସରକାରଙ୍କୁ ରିପୋର୍ଟ ପ୍ରଦାନ କରୁଥିବା ଜଣାପଡିଛି। ହାତୀର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ ବୋଲି ଡିଏଫଓ ଶ୍ରୀ ପରିଡା ପ୍ରକାଶ କରିଛନ୍ତି। ହାତୀଙ୍କ ଦ୍ବାରା ନଷ୍ଟ ହେଉଥିବା ଚାଷ ସହ ଅନ୍ୟ କ୍ଷତି ସଂପର୍କରେ ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯାଉଥିବା କୁହାଯାଇଛି। ରାୟଗଡାରେ ଥିବା ଦୁଇଟି କରିଡରକୁ ହାତୀ କରିଡର ଭାବେ ଘୋଷଣା କରାଗଲେ ହାତୀ ବଂଶର ସୁରକ୍ଷା ଓ ଉନ୍ନତି ହୋଇଥାନ୍ତା ବୋଲି କୁହାଯାଇଛି। ତେବେ ସରକାର ଏନେଇ କେବେ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।