ବିଦ୍ୟୁତ୍ ତାର ଲାଗି ଦନ୍ତାହାତୀ ମୃତ୍ୟୁ ଘଟଣା: ବନପାଳ ଓ ବନରଖୀ ନିଲମ୍ବିତ

ମାର୍ ମାର୍‌ ଭଣ୍ଡାରିଆକୁ ମାର ନୀତିରେ ବନ ବିଭାଗରେ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅଧୀନ ଲାଠିପଡ଼ା ସେକ୍ସନ୍ ଢଉପଲ୍ଲୀ କାଜୁ ଜଙ୍ଗଲରୁ ଗତ ସୋାମବାର ଭୋର ସମୟରେ ବିଦ୍ୟୁତ୍ ତାର ଲାଗି ଏକ ଦନ୍ତାହାତୀର ମୃତ୍ୟୁ ଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ୨ ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାରେ ଖିଲାପ କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲାଠିପଡା ସେକ୍ସନ୍‌ର ବନପାଳ ଅନୀଲ କୁମାର ପଣ୍ଡା ଏବଂ ବନରଖୀ ସନ୍ତୋଷ କୁମାର ଦାଶଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଶଶୀ ପଲ୍ଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଆର୍ସିସିଏଫ୍ ପ୍ରଶାନ୍ତ କୁମାର ମିଶ୍ର ମଙ୍ଗଳବାର ଦିନ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ୨ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଘଟଣା ଦିନ ହାତୀପଲରେ ୮ ଜଣ ରହିଥିବା ବେଳେ ଯୁବହାତୀର ମୃତ୍ୟୁ ପରେ ଅନ୍ୟ ହାତୀ ମା ନେ ରକ୍ତମୁଖା ହୋଇ ଯାଇଛନ୍ତି। ବିଭିନ୍ନ ଇଲାକା ବୁଲି ବ୍ୟାପକ କ୍ଷୟକ୍ଷତି ଘଟାଇବାରେ ଲାଗିଛନ୍ତି। ଏଭଳି ସ୍ଥିତିରେ ବନ ବିଭାଗ ପକ୍ଷରୁ ବନପାଳ ଏବଂ ବନରଖୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଫଳରେ ଅନ୍ୟ କର୍ମଚାରୀଙ୍କ ମନୋବଳ ଦୁର୍ବଳ ହୋଇଯାଇଛି। ହାତୀ ମାନଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ ଠାରୁ ଜନସାଧାରଣଙ୍କୁ ସୁରକ୍ଷା ବର୍ତ୍ତମାନ ବଡ଼ ଚ୍ୟଲେଞ୍ଜ ହୋଇ ଉଭା ହୋଇଛି। ମୃତ ଦନ୍ତାହାତୀଟି ୧୧ କେଭି ବିଦ୍ୟୁତ୍ ତାର ସଂଶ୍ପର୍ଶରେ ଆସିବାରୁ ତାର ମୃତ୍ୟୁ ଘଟିଥିଲା। ବନ ବିଭାଗ ସମେତ ବିଦ୍ୟୁତ୍ ଉଭୟ ବିଭାଗର ସମନ୍ବୟ ଅଭାବ ଯୋଗୁ ଦନ୍ତାର ମୃତ୍ୟୁ ବରଣ ଘଟିଥିବା ବେଳେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ତେବେ ମାର୍ ମାର୍ ଭଣ୍ଡାରିଆକୁ ମାର୍ ନୀତିରେ ବିଭାଗର ତଳ କର୍ମଚାରୀଙ୍କୁ ବଳି ପକାଇଥିବା ବେଳେ ଆଗାମୀ ଦିନରେ ହାତୀ ମୃତ୍ୟୁ ଘଟଣା ତଦନ୍ତ କେଉଁ ଆଡ଼କୁ ଯିବ ତାକୁ ନେଇ ପ୍ରଶ୍ନବାଚୀ ସୃ୍ଷ୍ଟି ହୋଇଛି। ଅନ୍ୟପଟେ ଏପର୍ଯ୍ୟନ୍ତ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଜଙ୍ଗଲ ଏବଂ ଏହାର ନିକଟବର୍ତ୍ତି ଇଲାକାରେ ବିଦ୍ୟୁତ୍ ତାରରୁ ହାତୀ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ପ୍ରତି ତିନ ମାସକୁ ଥରେ ବନ ବିଭାଗ ଏବଂ ବଦ୍ୟୁତ୍ ବିଭାଗ ପକ୍ଷରୁ ସମ୍ମନ୍ବୟ ବୈଠକ ଅନୁଷ୍ଠିତ ହେଉଛି।

ଏଥିସହ ଏଥି ନିମିତ୍ତ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି। ଜଙ୍ଗଲ ମଧ୍ୟରେ ଓହଳି ରହିଥିବା ତାର ସଂର୍ପକରେ ବିଦ୍ୟୁତ୍ ବିଭାଗକୁ ଅବଗତ କରାଗଲା ପରେ ତାକୁ ସଜାଡିବା ବିଦ୍ୟୁତ୍ ବିଭାଗର କାର୍ଯ୍ୟ। ଏହାପରେ ମଧ୍ୟ ବିଦ୍ୟୁତ୍ ତାର ଯୋଗୁ ଯୁବାବସ୍ଥାରେ ଦନ୍ତାହାତୀର ମୃତ୍ୟୁ ଘଟିବା ଉଭୟ ବିଭାଗର ପାରିବା ପଣିଆ ଓ ଅପରାଗତାକୁ ପଦାରେ ପକାଇ ଦେଇଛି। ଏସଂର୍ପକରେ କେନ୍ଦୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା କହିଛନ୍ତି ଯେ, ଘଟଣା ଘଟିଥିବା ସ୍ଥାନ ଓ ଆଖପାଖରେ ବିଦ୍ୟୁତ୍ ତାର ଓହଳି ଥିବା ସମସ୍ୟା ନେଇ ବିଦ୍ୟୁତ୍ ବିଭାଗକ ବୈଠକରେ ଜଣାଯିବା ସହ କର୍ମଚାରୀଙ୍କୁ ମଧ୍ୟ ଅବଗତ କରାଯାଇଥିଲା।

ସମ୍ବନ୍ଧିତ ଖବର