ବାର୍‌ହା ଫାଶରେ ପଡ଼ି ଦନ୍ତାହାତୀର ମୃତ୍ୟୁ

ଖଜୁରିଆକଟା: ବାର୍‌ହା ଫାଶରେ ପଡ଼ି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ବନ ବିଭାଗର କର୍ମଚାରୀମାନେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ସାତମାଇଲ ନିକଟସ୍ଥ ଗୁରିଲୋ ଜଙ୍ଗଲରେ ଦନ୍ତାହାତୀର ମୃତଦେହକୁ ଠାବ କରିଛନ୍ତି। ଆସନ୍ତାକାଲି ହାତୀର ମୃତଦେହ ପୋଷ୍ଟମର୍ଟମ କରାଯିବା ପରେ ଶବ ପୋତି ଦିଆଯିବ ବୋଲି ବନ ବିଭାଗର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ହିନ୍ଦୋଳ ଅଞ୍ଚଳରେ ଏବେ ଧାନ କଟା ଚାଲିଛି। ଧାନ ଖାଇବା ପାଇଁ ରାତିରେ ଜଙ୍ଗଲରୁ ବାର୍‌ହାଗୁଡ଼ିକ ଆସି ଯାଉଛନ୍ତି। ଫଳରେ ବାର୍‌ହା ଶିକାର ପାଇଁ ଶିକାରୀମାନେ ଜଙ୍ଗଲରେ ଫାଶ ବସାଉଛନ୍ତି। ସ୍ଥାନୀୟ ଅଞ୍ଚଳର ଶିକାରୀମାନେ ଗୁରିଲୋ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇ ବିଦ୍ୟୁତ୍‌ ତାର ବିଛାଇ ଥିଲେ। ଏହି ବିଦ୍ୟୁତ ତାର ସଂର୍ଷ୍ପଶରେ ଆସି ଦନ୍ତା ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗର କର୍ମଚାରୀମାନେ ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି ଯେ, ହାତୀର ବୟସ ପାଖାପାଖି ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ଗୁରିଲୋ ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ନେଇ ଆଜି ହିନ୍ଦୋଳ ବନାଞ୍ଚଳକୁ ଗ୍ରାମବାସୀ ସୂଚନା ପ୍ରଦାନ କରିଥିଲେ। ଏହି ସୂଚନା ମିଳିବା ମାତ୍ରେ ବନାଞ୍ଚଳ ଅଧିକାରୀ ହରମୋହନ ନାୟକ, ଏସିଫ୍‌ ସରୋଜ ବିଶ୍ୱାଳ, ଡେପୁଟି ରେଂଜର ସୁରେଶ ଷଡ଼ଙ୍ଗୀ, ରାସୋଳ ବନପାଳ ସୁଦର୍ଶନ ଦେହୁରୀ ପ୍ରମୁଖ ଘଟଣାସ୍ଥଳରେ ପହଂଚି ବିଦ୍ୟୁତ୍‌ ତାର ଜବତ କରିବା ସହ ମୃତ ଦନ୍ତାହାତୀର ଶବକୁ ଠାବ କରିଛନ୍ତି।

ସମ୍ବନ୍ଧିତ ଖବର