କର୍ଲାପାଟ ଅଭୟାରଣ୍ୟରେ ପୁଣି ହାତୀ ମଡ଼କ, ଘୁଷୁରିଗୁଡ଼ି ଅଞ୍ଚଳରେ ହାତୀଛୁଆର ଶବ ଠାବ, ଆଗରୁ ୭ ହାତୀ ମରିଥିଲେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟ ଅନ୍ତର୍ଗତ ଘୁଷୁରିଗୁଡ଼ି ଅଞ୍ଚଳରେ ଗତ ଫେବ୍ରୁଆରି ମାସରେ ୨୦ ଦିନ ମଧ୍ୟରେ ୭ଟି ହାତୀ ପ୍ରାଣ ହରାଇଥିଲେ। ବୁଧବାର ଏ ଅଞ୍ଚଳରୁ ଆଉ ଏକ ହାତୀଛୁଆର ଶବ ଠାବ ହୋଇଛି। ଲଗାତର ଭାବେ ଏ ଅଞ୍ଚଳରେ ହାତୀ ମରୁଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।
ପ୍ରକାଶ ଯେ ଏହି ଅଭୟାରଣ୍ୟରେ ଗତ ଫେବ୍ରୁଆରି ମାସରେ ୨୦ ଦିନରେ ୭ଟି ହାତୀ ପ୍ରାଣ ହରାଇଥିଲେ। ଏନେଇ ଜାତୀୟ ବନ୍ୟପ୍ରାଣୀ ପ୍ରେମୀ ଓ ପରିବେଶବିତମାନଙ୍କ ମଧ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିଲା। ଗଣମାଧ୍ୟମରେ ଏହା ପ୍ରକାଶ ପାଇବା ପରେ କେନ୍ଦ୍ରୀୟ ଟିମର ଏକ ପ୍ରତିନିଧି ଦଳ ହାତୀ ମଡ଼କ ଘଟଣାର ତଦନ୍ତ ପାଇଁ କର୍ଲାପାଟ ଅଭୟାରଣ୍ୟକୁ ଆସିଥିଲେ। ସେପ୍ଟିସେମିଆ ରୋଗ ଯୋଗୁଁ ହାତୀମାନଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ଦେଇଥିଲେ। ଏହି ଘଟଣାର ୩ମାସ ପରେ ପୁଣି ବୁଧବାର ସେହି ଅଞ୍ଚଳରେ ଗୋଟିଏ ହାତୀଛୁଆ ପ୍ରାଣ ହରାଇଥିବା ସୂଚନା ମିଳିଥିଲା। ଖବର ପାଇ ଦକ୍ଷିଣ ବନଖଣ୍ଡ ଡିଏଫ୍‌ଓ, ଏସ୍‌ସିଏଫ୍‌ ଓ ପ୍ରାଣୀ ବିଭାଗର ଡାକ୍ତରମାନଙ୍କ ଏକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ହିଁ ହାତୀଛୁଆର ଶବ ବ୍ୟବଚ୍ଛେଦ କରାଯାଇଥିଲା।
କର୍ଲାପାଟ ଅଭୟାରଣ୍ୟର ଘୁଷୁରିଗୁଡ଼ି ନାଳା ନିକଟରେ ପୁଣି ହାତୀ ମୃତ୍ୟୁ ଘଟଣା ବନ ବିଭାଗର ନିଦ ହଜାଇ ଦେଇଛି। ବନ ବିଭାଗ ପକ୍ଷରୁ ଗତ ଫେବ୍ରୁଆରି ମାସରେ ହାତୀ ମଡ଼କ ପରେ କଢ଼ା ଯାଇଥିବା ଟ୍ରାପ୍‌ କ୍ୟାମେରା ଲଗାଯାଇଥିଲା। ବର୍ତ୍ତମାନ ଗତ ଏପ୍ରିଲ ମାସରୁ ପୂନର୍ବାର ଟ୍ରାପ୍‌ କ୍ୟାମେରା କାଢ଼ି ଦିଆଯିବା ଘଟଣା ତଦନ୍ତସାପେକ୍ଷ। ଗତ ଫେବ୍ରୁଆରି ମାସରେ ହାତୀ ମଡ଼କ ଘଟଣା ନେଇ ପ୍ରାଣୀ ବିଭାଗର ଜଣେ ନିରୀକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା। ଅନ୍ୟପକ୍ଷରେ ବନ ବିଭାଗ ପକ୍ଷରୁ ଜଣେ ଫରେଷ୍ଟର ଓ ୨ଜଣ ଫରେଷ୍ଟଗାର୍ଡ଼ଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା। ବଡ଼ବଡ଼ିଆଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ତଳିଆ କର୍ମଚାରୀଙ୍କ ଉପରେ ଥୋପ ଲଗା ଯାଇଥିଲା। ବିଳମ୍ବରେ ହାତୀ ମୃତ୍ୟୁ ଘଟଣା ବନ ବିଭାଗ ଖବର ପାଇବା ଓ କାର୍ଯ୍ୟରେ ଅବହେଳା ନେଇ କୈାଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। କର୍ଲାପାଟ ଅଭୟାରଣ୍ୟର ବିଟ୍‌ ହାଉସଗୁଡ଼ିକରେ କର୍ମଚାରୀମାନେ ରହୁ ନଥିବା ଯୋଗୁଁ ଏଭଳି ଘଟଣା ଘଟୁଥିଲେ ମଧ୍ୟ ବିଳମ୍ବରେ ବନ ବିଭାଗ ଖବର ପାଉଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ବନ ବିଭାଗର ଖାମଖିଆଲି ଯୋଗୁଁ ବାରମ୍ବାର ହାତୀ ମଡ଼କ ଘଟଣା ଘଟୁଛି ଏବଂ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହେଉଛି। ଏନେଇ ଦକ୍ଷିଣ ବନଖଣ୍ଡ ଡିଏଫ୍‌ଓ ଟି. ଅଶୋକ କୁମାରଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନଥିଲା। ଅନ୍ୟପକ୍ଷରେ ପ୍ରାଣୀ ବିଭାଗ ଏସ୍‌ଡିଭିଓ ଡା. ଗିରୀଶ ମହାନ୍ତିଙ୍କୁ ପଚାରିବାରୁ ଆମର ଏକ ଟିମ ଆଜି ଘଟଣାସ୍ଥଳକୁ ଯାଇଛନ୍ତି, ଗୋଟିଏ ଶାବକ ହାତୀର ମୃତ୍ୟୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ କରାଯାଇଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର