ହାତୀ ମୃତ୍ୟୁର ଉପତ୍ୟକା ପାଲଟିଛି ନରସିଂହପୁର ବନାଞ୍ଚଳ; ଚିକିତ୍ସା ଅବହେଳା ଯୋଗୁ ଆଖି ବୁଜିଲା ଦନ୍ତା

ନରସିଂହପୁର ବନାଞ୍ଚଳରୁ ନିଶ୍ଚିହ୍ନ ହୋଇଯିବେ ଦନ୍ତାହାତୀ!

ନରସିଂହପୁର: ହାତୀ ମୃତ୍ୟୁର ଉପତ୍ୟକା ପାଲଟିଛି ନରସିଂହପୁର ବନାଞ୍ଚଳ। ଉପଯୁକ୍ତ ଚିକିତ୍ସା ଅଭାବରୁ ବାରସିଙ୍ଗା ଜଙ୍ଗଲରେ ଶେଷରେ ଆଖି ବୁଜିଲା ଦନ୍ତା। ନରସିଂହପୁର ବନାଞ୍ଚଳରୁ ନିଶ୍ଚିହ୍ନ ହୋଇଯିବେ ଦନ୍ତାହାତୀ। ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ହୋଇଥିଲା ବୋଲି ଡିଏଫଓ ସୁଦର୍ଶନ ଯାଦବ ସୂଚନା ଦେଇଥିଲେ।ନରସିଂହପୁର ପ୍ରାଣୀ ଚିକିତ୍ସକ ବିଜୟ କୁମାର ସେନାପତିଙ୍କ ଦ୍ୱାରା ହାତୀର ମୃତଦେହକୁ ବ୍ୟବଛେଦ କରାଯାଇଛି। ବ୍ୟବଛେଦ ପରେ ହାତୀର ଦାନ୍ତକୁ ବନ ବିଭାଗ ପକ୍ଷରୁ କାଢି ନେଇଥିବା ଜଣାଯାଇଛି। ଆଜି ସନ୍ଧ୍ୟା ହୋଇଯିବାରୁ ହାତୀର ମୃତଦେହକୁ ବନ କର୍ମଚାରୀମାନେ ଜଙ୍ଗଲ ମଧ୍ୟରେ ଜଗି ରହିଛନ୍ତି। ଆସନ୍ତାକାଲି ଜେସିବି ସାହାଯ୍ୟରେ ଜଙ୍ଗଲ ମଧ୍ୟରେ ଏକ ଗାତ ଖୋଳି ମୃତ ହାତୀକୁ ପୋତା ଯିବ ବୋଲି ଡିଏଫଓ ଶ୍ରୀ ଯାଦବ କହିଛନ୍ତି।

ଗତ ଏକମାସ ତଳେ ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଜୟପୁର ସଂରକ୍ଷିତ ବନ ବିଭାଗ ଅଞ୍ଚଳରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଦନ୍ତା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବନ ବିଭାଗ। ଆଜି ମୃତ୍ୟୁବରଣ କରିଥିବା ଦନ୍ତା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଏଫଓ ଶ୍ରୀ ଯାଦବ ସୂଚନା ଦେଇଛନ୍ତି। ହାତୀ ମୃତ୍ୟୁ ସମୟରେ ଆଠଗଡ଼ ଡିଏଫଓ ଶ୍ରୀ ଯାଦବ, ଏସିଏଫ ଘନଶ୍ୟାମ ମୁଦୁଲି, ନରସିଂହପୁର ବନାଧିକାରୀ ପ୍ରଫୁଲ୍ଲ କୁମାର ଦେହୁରୀଙ୍କ ସମେତ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଗତକାଲି ଠାରୁ ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଅନ୍ତର୍ଗତ ବାଲିକିଆରୀ ସଂରକ୍ଷିତ ଜଙ୍ଗଲ ବାରସିଙ୍ଗା ବିଟ ହାଉସ ନିକଟରେ ଅସୁସ୍ଥ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତାର ସନ୍ଧାନ ମିଳିଥିଲା। ଆଜି ଆଠଗଡ଼ ଡିଏଫଓ ସୁଦର୍ଶନ ଯାଦବ, ଏସିଏଫ ଘନଶ୍ୟାମ ମୁଦୁଲି ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର