ରାଉରକେଲା: ବଢ଼ି ଚାଲିଥିବା ହାତୀ ମୃତ୍ୟୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ରାଜ୍ୟ ପ୍ରାୟ ଅଧିକାଂଶ ବନଖଣ୍ଡ ଅଧୀନରେ ବର୍ଷ ତମାମ ଲାଗି ରହୁଛି ହାତୀ -ମଣିଷ ଲଢ଼େଇ। ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଛି। ଲୋକଙ୍କ ସଂଘବଦ୍ଧ ଆକ୍ରମଣ ହେଉ ଅବା ଅନ୍ୟ କାରଣରୁ ହାତୀର ମୃତ୍ୟୁ ହେଉଛି। ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବଣାଇ, ସୁନ୍ଦଗରଗଡ ଓ ରାଉରକେଲା ବନଖଣ୍ଡ ଅଧୀନରେ ହାତୀ ମୃତ୍ୟୁ କମୁନି। ଗତ ୨୦୨୧ ନଭେମ୍ବରେ ବଣାଇ ରେଞ୍ଜରେ ବିଦ୍ୟୁତ୍‌ ଆଘାତରେ ହାତୀର ମୃତ୍ୟୁ ହୋଇଥିଲା। ୨୦୨୧ ମାର୍ଚ୍ଚ ୨ରେ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ହାତୀର ମୃତ୍ୟୁ ହୋଇଥିଲା। ବଣାଇ ରେଞ୍ଜ ନୁହେଁ ରାଉରକେଲା ଓ ସୁନ୍ଦରଗଡ଼ ବନଖଣ୍ଡ ଅନେକ ରେଞ୍ଜରେ ବିଭିନ୍ନ କାରଣରୁ ଉଭୟ ମାଈ, ଦନ୍ତା ଓ ଛୁଆ ହାତୀର ମୃତ୍ୟୁ ହୋଇଛି। ଏମିତି ଗତ ୬୪ ମାସ (ଗତ ୨୦୧୮ରୁ ୨୦୨୩ ଏପ୍ରିଲ) ମଧ୍ୟରେ ଜିଲ୍ଲାରେ ମୋଟ ୩୨ ହାତୀ ଆଖି ବୁଝିଛନ୍ତି।

Advertisment

ଅର୍ଥାତ୍‌ ଜିଲ୍ଲାରେ ପ୍ରତି ୨ ମାସରେ ଗୋଟିଏ ହାତୀର ମୃତ୍ୟୁ ହେଉଛି । ଗତ ୫ ବର୍ଷ ଚାରି ମାସରେ ରାଉରକେଲା ବନଖଣ୍ଡରେ ୧୨ ହାତୀର ମୃତ୍ୟୁ ହୋଇଛି। ୨୦୧୯ରେ ସର୍ବାଧିକ ୪ର ହାତୀର ମୃତ୍ୟୁ ହୋଇଥିଲା। ମୃତ୍ୟୁ ହୋଇଥିବା ୪ ହାତୀଙ୍କ ମଧ୍ୟରୁ ଦୁଇଟି ମାଈ, ଗୋଟିଏ ଦନ୍ତା ଓ ଛୁଆ ହାତୀ। ଫେବ୍ରୁଆରି ବିଶ୍ରା ରେଞ୍ଜ ଅନ୍ତର୍ଗତ ମହିପାଣି ସଂରକ୍ଷିତ ଜଙ୍ଗଲରୁ ୧ କି.ମି. ଦୂର ଟ୍ରେଞ୍ଜରେ ପଡ଼ି ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ପାନପୋଷ, ବୀରମିତ୍ରପୁର ରେଞ୍ଜ ଓ ବାଙ୍କି ରେଞ୍ଜରେ ଗୋଟିଏ ଲେଖାଏଁ ହାତୀର ମୃତ୍ୟୁ ‌ହୋଇଥିଲା। ୨୦୨୧ ଫେବ୍ରୁଆରି ୪ରେ ବିଶ୍ରାରେଞ୍ଜ ଅନ୍ତର୍ଗତ ଭାଲୁଲତା ଓ ଜରେଇକେଲା ଷ୍ଟେସନ ମଧ୍ୟ ରେଳଲାଇନ୍‌ରେ ଟ୍ରେନ୍‌ ଧକ୍କାରେ ୩ ହାତୀଙ୍କର ମୃତ୍ୟୁ ହୋଇଥିଲା। ୨୦୨୨ରେ ୩ ହାତୀର ମୃତ୍ୟୁ ହୋଇଥିଲା।

ବଣାଇ ବନଖଣ୍ଡରେ ୫ ବର୍ଷ ୪ ମାସରେ ୧୮ ହାତୀର ମୃତ୍ୟୁ ହୋଇଛି। ୨୦୨୦ ଓ ୨୦୨୨ରେ ୪ଟି ଲେଖାଏଁ ହାତୀର ମୃତ୍ୟୁ ହୋଇଛି। ଗତ ୨୦୨୧ରେ ବଣାଇ ରେଞ୍ଜ, ୨୦୨୩ ଏପ୍ରିଲ ୧୧ରେ ଜର୍ଡା ରେଞ୍ଜରେ ଗୋଟିଏ ଲେଖାଏଁ ହାତୀଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ଅନ୍ୟ ହାତୀଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଗତ ୨୦୨୧ ମାର୍ଚ୍ଚରୁ ୨୦୨୩ ଏପ୍ରିଲ ମଧ୍ୟରେ କୋଇଡାରେ ୨ଟି, ଜର୍ଡା ରେଞ୍ଜରେ ୩ଟି, ଟାମରା ରେଞ୍ଜରେ ଗୋଟିଏ ହାତୀ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ବନଖଣ୍ଡରେ ହାତୀ ୫ ବର୍ଷ ୪ ମାସରେ ଦୁଇଟି ହାତୀର ମୃତ୍ୟୁ ହୋଇଛି। ହାତୀଙ୍କ ସୁରକ୍ଷାକୁ ନେଇ ସରକାର ଚିନ୍ତିତ ଥିବାବେଳେ ବନ ବିଭାଗର ଅବହେଳାରୁ ଏଭଳି ହାତୀଙ୍କ ସଂଖ୍ୟା ହ୍ରାସ ପାଉଥିବା କୁହାଯାଉଛି।