ଉତ୍ତର ଘୁମୁସର ବନଖଣ୍ଡରେ ଆହାତ ଦନ୍ତାହାତୀର ମୃତ୍ୟୁ ଗୁଜବ! ମୃତଦେହ ଖୋଜୁଛି ବନ ବିଭାଗ

ଭଞ୍ଜନଗର: ଜଙ୍ଗଲ ଭିତରେ ପଡିଛି ଦନ୍ତାହାତୀର ମୃତଦେହ। ହାତୀଟି ଆହତ ହୋଇ ଘୁରି ବୁଲୁଥିବା ‌ବ‌େଳେ ଆଜି ତାର ମୃତ୍ୟୁ ଘଟିଛି। ଏଭଳି କିଛି ଖବର ପ୍ରଚାରିତ ହେବା ପରେ ଜଙ୍ଗଲ ଭିତରେ ବୁଲି ହାତୀର ମୃତଦେହ ଖୋଜିବାରେ ଲାଗିଛି ବନ ବିଭାଗ। ବହୁ ‌ଖୋଜାଖୋଜି କରିବା‌ ପରେ ହାତୀ ସର୍ମ୍ପକରେ କୌଣସି ଖବର ନପାଇ ଶେଷରେ ଫେରିଛି ବନ ବିଭାଗ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ବନାଞ୍ଚଳର ରମ୍ଭା ସେକ୍‌ସନ୍‌ ଜଙ୍ଗଲରେ।

ଆଜି ସକାଳୁ ଜଙ୍ଗଲ ରମ୍ଭା ସେକ୍‌ସନ୍‌ର ବ୍ରାହ୍ମଣପଦର ଜଙ୍ଗଲ ଭିତରେ ଏକ ଦନ୍ତାହାତୀର ମୃତଦେହ ପଡିଥିବା ନେଇ ଖବର ବନ ବିଭାଗ ନିକଟରେ ପହଞ୍ଚିଥିଲା। ଏହାପରେ ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁଙ୍କ ନେତୃତ୍ବରେ ବନପାଳ ବନରକ୍ଷୀ ଓ ବନ ବିଭାଗର ସ୍କ୍ବାର୍ଡ ଟିମ୍ ବ୍ରାହ୍ମଣ ପଦର ଜଙ୍ଗଲ ଭିତରେ ବିଭିନ୍ନ ଇଲାକା ଘୁରି ବୁଲିଥିଲେ। କିନ୍ତୁ ଅପରାହ୍ନ ପର୍ଯ୍ୟନ୍ତ ହାତୀ ସର୍ମ୍ପକରେ କୌଣସି ସନ୍ଧାନ ନ ମିଳିବାରୁ ଫେରି ଆସିଥିଲେ। ମୁଜାଗଡ ବନାଞ୍ଚଳରେ ବର୍ତ୍ତମାନ ୧୭ ଟି ହାତୀପଲ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ରହିଛି। କିଛିଦିନ ତଳେ ଏହି ବନାଞ୍ଚଳର ଦରପଙ୍ଗିଆ ଜଙ୍ଗଲରୁ ଏକ ଦନ୍ତାହାତୀ କଳିଙ୍ଗା ଘାଟି ଉପରକୁ ଯାଇଥିବା ବେଳେ ସେଠାରେ ହାତୀଟି ଗୁଳିବିଦ୍ଧ ଅବସ୍ଥାରେ ଘୁରି ବୁଲୁଥିବା କଳିଙ୍ଗା ଗ୍ରାମର କିଛି ଲୋକ ପ୍ରକାଶ କରିଥିଲେ। ଏହାପରେ ବନ ବିଭାଗ ପକ୍ଷରୁ ହାତୀ ସର୍ମ୍ପକରେ ଖବର ନିଆଯାଇଥିବା ବେଳେ ସେଭଳି ଗୁଳିବିଦ୍ଧ ସର୍ମ୍ପକରେ କ‌ୌଣସି ସୂଚନା ମିଳିନଥିଲା। ଆଜି ସକାଳ ସମୟରେ ସେହି ଦନ୍ତାହାତୀର ମୃତ୍ୟୁ ହୋଇଥିବା ନେଇ ଖବର ପ୍ରଚାରିତ ହୋଇଥିଲା। ଏହାପରେ ଡିଏଫ୍‌ଓ ଅଭୟ କୁମାର ଦଳାଇଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜର ଶ୍ରୀ ସାହୁ ବ୍ରାହ୍ମଣପଦର ଜଙ୍ଗଲକୁ ଯାଇଥିଲେ। ସେଠାରେ ମୁଜାଗଡ ବନାଞ୍ଜଳର ମୁଜାଗଡ ସେକ୍‌ସନ୍‌, ରମ୍ଭା ସେକ୍‌ସନ୍‌ ଓ ଭଞ୍ଜନଗର ସେକ୍‌ସନ୍‌ର ବନପାଳ ଓ ବନରକ୍ଷୀ ସମତେ କର୍ମଚାରୀ ମାନେ ଜଙ୍ଗଲ ଭିତରେ ପଶି ହାତୀକୁ ‌ଖୋଜିଥିଲେ।

Sambad

ବ୍ରାହ୍ମଣପଦର ଠାରୁ ଆରମ୍ଭ କରି ଭାଲୁଗୁଡା, ସାଧୁଗାଁ, ପଇତା ଗାଁ ଇଲାକାର ବିଭିନ୍ନ ଜଙ୍ଗଲରେ ଖୋଜି ବୁଲିଥିଲେ। କିନ୍ତୁ ହାତୀ ସର୍ମ୍ପକରେ କୌଣସି ଟେର୍‌ ପାଇପାରି ନଥିଲେ। କର୍ମଚାରୀ ମାନେ ତିନ‌ୋଟି ଟିମ୍‌ରେ ଜଙ୍ଗଲରେ ଘୁରି ବୁଲୁଥିବା ବେଳେ ଗ୍ରାମବାସୀ ମାନେ ମଧ୍ୟ ବନ ବିଭାଗ କର୍ମଚାରୀ ମାନଙ୍କ ସହ ମିଶି ହାତୀ ସନ୍ଧାନରେ ଲାଗି ପଡିଥିଲେ। ବର୍ତ୍ତମାନ ମୁଜାଗଡ ବନାଞ୍ଚଳର ଗୁଣ୍ଡୁରିବାଡୀ ଜଙ୍ଗଲରେ ୧୬ ଟି ହାତୀ ରହିଥିବା ବ‌େଳେ ଗତାକାଲି ସେହି ପଲରେ ଏକ ଦନ୍ତାହାତୀ ମିଶିଥିବା ରେଞ୍ଜର ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଆଉ ସମସ୍ତ ହାତୀ ସୁରକ୍ଷିତ ରହିଥିବା ବେ‌ଳେ ବିଭାଗ ପକ୍ଷରୁ ତିକ୍ଷ୍ଣ ନଜର ରଖାଯାଇଥିବା ସେ କହିଛନ୍ତି।

ତେବେ ଆହାତ ହାତୀ ସର୍ମ୍ପକରେ କୌଣସି ସୂଚନା ନଥିବା ବେଳେ ଖବର ଆସିବା ପରେ ଜଙ୍ଗଲ ଭିତରେ ଟ୍ରାକିଂ କରାଯାଇଥିଲା ବୋଲି ଉତ୍ତର ଘୁମୁସର ବନଖଣ୍ଡ ଡିଏଫ୍‌ଓ ଅଭୟ କୁମାର ଦଳାଇ ସୂଚନା ଦେଇଛନ୍ତି। କୌଣସି ହାତୀର ମୃତାହତ ‌ନେଇ କିଛି ଖବର ମିଳିନଥିବା ବ‌େଳେ ଏହି ଘଟଣାର ସତ୍ୟତା ନଥିବା ସେ କହିଛନ୍ତି। ଆସନ୍ତାକାଲି ଛାଡଖାଇ ଥିବାରୁ ଜଙ୍ଗଲ ଭିତରେ ଶିକାରୀ ମାନେ ବନ୍ୟଜନ୍ତୁ ଶିକାର କରିବାର ସମ୍ଭାବନା ରହିଥିବାରୁ ବନଖଣ୍ଡର ସମସ୍ତ ବନ କର୍ମଚାରୀ ମାନଙ୍କୁ ଜଙ୍ଗଲ ଭିତରେ ଟ୍ରାକିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କର୍ମଚାରୀ ମାନେ ସବୁ ଜଙ୍ଗଲକୁ ଟ୍ରାକିଂ କରିଥିବା ବେଳେ ଶିକାରୀ ମାନଙ୍କ ଠାରୁ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ସଜାଗ ରହିଛନ୍ତି। ତେବେ ହାତୀ ମୃତ୍ୟୁ ଖବର ଏକ ଗୁଜବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର