ତେଲକୋଇ/ରାଇସୁଆଁ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରାଣୀବେଡା ନୂଆ ସହିରେ ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ବଣୁଆ ହାତୀ ପଲ ଗୋବର୍ଦ୍ଧନ ନାୟକଙ୍କ ୨ବଖରା ଘର ସଂପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ଏହି ୭ଟିକିଆ ହାତୀପଲ ଗାଁରେ ଉତ୍ପାତ ଚଳାଇଛନ୍ତି। ଗୋବର୍ଦ୍ଧନ ଓ ତାଙ୍କ ସ୍ତ୍ରୀ ସୁହାଗି ଦେହ ଅସୁସ୍ଥ କାରଣରୁ ଶିରିଗିଡା ଡାକ୍ତରଖାନାରେ ରହିଥିଲେ।
ହାତୀ ଘର ଭାଙ୍ଗିବା ବେଳେ କେବଳ ପୁଅ ଜଗବନ୍ଧୁ ଓ ବୋହୂ ବର୍ଷା ସହିତ ଏକ ମାସର ଶିଶୁ ଘରେ ରହିଥିଲେ। ହାତୀ ପଲ ସଂପୂର୍ଣ୍ଣ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ଘରର ଆସବାବପତ୍ର ନଷ୍ଟ କରିଦେଇଛନ୍ତି। ଗତବର୍ଷ ମଧ୍ୟ ହାତୀ ତାଙ୍କ ଘର ଭାଙ୍ଗି ଦେଇଥିଲେ। ସଂପୂର୍ଣ୍ଣ ଘର ଭାଙ୍ଗି ଯିବାରୁ ଏବେ ପଡୋଶୀ ପୁଲସ୍ତି ନାୟକଙ୍କ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି। ରାଇସୁଆଁ ସରପଞ୍ଚ ପ୍ରମିଳା ପଧାନ କ୍ଷତିଗ୍ରସ୍ତ ପରିବାରକୁ ୨୦ କିଗ୍ରା ଚାଉଳ ଦେଇଛନ୍ତି।
ଖବର ପାଇ ବିମଳା ଫରେଷ୍ଟର ଜ୍ୟୋର୍ତିମୟୀ ପଟ୍ଟନାୟକ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ହାତୀପଲ ଏବେ କୁଳଙ୍ଗ ଜଙ୍ଗଲରେ ଅଛନ୍ତି। ସ୍ଥାନୀୟ ଅଞ୍ଚଳରେ ଧାନ ତଳି ମଧ୍ୟ ନଷ୍ଟ କରୁଛନ୍ତି। ହାତୀପଲକୁ ଘଉଡାଇବା ସହିତ ବନ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ରୋଷେଇ ସାମଗ୍ରୀ, ଖାଦ୍ୟ ପଦାର୍ଥ, ଆର୍ଥିକ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପାଣ୍ଠିରୁ ଆବଶ୍ୟକ ପକ୍କା ଘର ଯୋଗାଇ ଦେବାକୁ ସ୍ଥାନୀୟ ସରପଞ୍ଚ ପ୍ରମିଳା ପଧାନ, ସମିତିସଭ୍ୟ ବାସନ୍ତୀ ସାହୁ, ସମାଜସେବୀ ଈଶ୍ବର ଚନ୍ଦ୍ର ବାରିକ, ଅଶୋକ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାଗୁନ ଚମ୍ପିଆ, ହରେକୃଷ୍ଣ ବେହେରା, ମଦନମୋହନ ସାହୁ ପ୍ରମୁଖ ଦାବି କରିଛନ୍ତି।