ସଙ୍କଟରେ ଗଜରାଜଙ୍କ ଜୀବନ, ବିଜେପି ରେଞ୍ଜରେ ପୁଣି ଏକ ମାଈ ହାତୀର ମୃତ୍ୟୁ

ବାଂଶପାଳ: ସଙ୍କଟରେ ଗଜରାଜଙ୍କ ଜୀବନ | କେନ୍ଦୁଝରରେ ଲୋପ ପାଇବାକୁ ବସିଲାଣି ହାତୀ ବଂଶ | ମାସକ ଭିତରେ ବାଂଶପାଳ ବ୍ଲକ ବିଜେପି ରେଞ୍ଜରେ ୪ ହାତୀଙ୍କ ମୃତ୍ୟୁ ଘଟିଲାଣି, ଯାହା ବନ୍ୟଜନ୍ତୁ ପ୍ରେମୀଙ୍କୁ ହତାଶ କରିଛି | ବନବିଭାଗର ଅପାରଗତା ଯୋଗୁଁ ଆଜି ପୁଣି ଏକ ମାଈ ହାତୀର ମୃତ୍ୟୁ ଘଟିଛି | ଗତ ୧୯ ତାରିଖରେ ରବ ଗାଁ ନିକଟ ଜଙ୍ଗଲରେ ୨ଟି ଓ ୪ଦିନ ତଳେ ଚମ୍ପେଇ ଜଙ୍ଗଲରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲେ ହେଁ ମୃତ୍ୟୁର କାରଣ ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ |

ମାସକ ବ୍ୟବଧାନରେ ଆଜି ସାରୁକୁଦର ଗାଁ ନିକଟ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି | ସୂଚନାନୁସାରେ ବିଜେପି ରେଞ୍ଜର ତଳ ଚମ୍ପେଇ ପଂଚାୟତ ସାରୁକୁଦର ପାରାବାଡି ସାହି ନିକଟରେ ଏକ ମାଈ ହାତୀ ମରିପଡିଥିବା ଗ୍ରାମବାସୀ ଆଜି ଦେଖିବାକୁ ପାଇଥିଲେ | ହାତୀଟି ଗତକାଲିଠାରୁ ମରିପଡିଥିବା ଅନୁମାନ କରାଯାଉଛି |

ମାଈ ହାତୀଟିର ବୟସ ପାଖାପାଖି ୨୦ ବର୍ଷ ହେବ ବୋଲି ଜଣାପଡିଛି | ବନବିଭାଗ ହାତୀ ପଲଙ୍କୁ ନିୟମିତ ଟ୍ରାକିଂ କରୁଥିଲେ ହେଁ ହାତୀ ମୃତ୍ୟୁ ବିଷୟରେ ବନ କର୍ମଚାରୀମାନେ କିପରି ଜାଣିପାରିଲେ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି | ହାତୀ ମୃତ୍ୟୁର କାରଣ ଜଣାପଡିନଥିଲେ ହେଁ ବିଷକ୍ରିୟା କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି |

ସମ୍ବନ୍ଧିତ ଖବର