ନରସିଂହପୁର ବନାଞ୍ଚଳରେ ମାଈ ହାତୀର ମୃତ୍ୟୁ, ୪ ମାସରେ ମଲେଣି ୫

ନରସିଂହପୁର: ନରସିଂହପୁର ପୂର୍ବ ବନାଞ୍ଚଳ ନୂଆଗଡ଼ ସଂରକ୍ଷିତ ଜଙ୍ଗଲରେ ଗତ କିଛିଦିନ ହେଲା ଅସୁସ୍ଥ ଥିବା ଏକ ମାଈ ହାତୀର ଗୁରୁବାର ଭୋର ୫ଟାରେ ମୃତ୍ୟୁ ହୋଇଛି। କୌଣସି କାରଣରୁ ହାତୀଟିର ବାମପଟ ଆଗ ପାଦ ଫୁଲିଥିବାରୁ ସେ ଏଣେତେଣେ ବୁଲି ଖାଦ୍ୟ, ପାନୀୟ ସଂଗ୍ରହ କରିପାରୁ ନଥିଲା। ପାଟ୍ରୋଲିଂ କରୁଥିବା ବନକର୍ମଚାରୀମାନେ ଅସୁସ୍ଥ ହାତୀଟିକୁ ଦେଖିବା ପରେ ପୂର୍ବାଞ୍ଚଳ ବନାଧିକାରୀ ବିଭୁରଞ୍ଜନ ରାୟ ଓ ନରସିଂହପୁର ପ୍ରାଣୀ ଚିକିତ୍ସକ ବିଜୟ ସେନାପତି ହାତୀ ନିକଟରେ ପହଞ୍ଚି ଆବଶ୍ୟକ ଚିକିତ୍ସା କରାଇଥିଲେ। କିନ୍ତୁ ଗୁରୁବାର ଭୋର୍‌ ସମୟରେ ହାତୀଟି ମୃତ୍ୟୁବରଣ କରିଥିବା ବନାଧିକାରୀ ଶ୍ରୀ ରାୟ ସୂଚନା ଦେଇଛନ୍ତି। ବ୍ୟବଚ୍ଛେଦ ପରେ ନୂଆଗଡ଼ ସଂରକ୍ଷିତ ଜଙ୍ଗଲ କମ୍ପାଟମେଣ୍ଟ୍‌ ୧୦ ଅଞ୍ଚଳରେ ମୃତଦେହକୁ ପୋତି ଦିଆଯାଇଛି।

ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଯାଦବ, ଏସିଏଫ୍‌ ଘନଶ୍ୟାମ ମୁଦୁଲି, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବନ୍ୟପ୍ରାଣୀ ଚିକିତ୍ସକ କିଶୋର ସାହୁ ଓ ନରସିଂହପୁର ପ୍ରାଣୀ ଚିକିତ୍ସକ ବିଜୟ ସେନାପତି, ପୂର୍ବାଞ୍ଚଳ ବନାଧିକାରୀ ବିଭୁରଞ୍ଜନ ରାୟ, ଫରେଷ୍ଟ ଗାର୍ଡଙ୍କ ସମେତ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନରସିଂହପୁର ଅଞ୍ଚଳରେ କ୍ରମାଗତ ଭାବେ ହାତୀଙ୍କ ମୃତ୍ୟୁ ଘଟୁଛି। ଗତ ୪ ମାସରେ କେବଳ ନରସିଂହପୁର ବନାଞ୍ଚଳରେ ୫ଟି ହାତୀ ମୃତ୍ୟୁବରଣ କରିଛନ୍ତି। ୪ ମାସ ପୂର୍ବେ ନରସିଂହପୁର ପଶ୍ଚିମ ବନାଞ୍ଚଳରେ ୨ଟି ହାତୀ ମୃତ୍ୟୁକୁ ନେଇ ଭୁବନେଶ୍ୱର ଏସ୍‌ଟିଏଫ୍‌ ଟିମ୍‌ ତଦନ୍ତ କରିଥିଲା। ମାଟି ତଳୁ ମୃତ ହାତୀର କଙ୍କାଳ ମିଳିବା ଫଳରେ ୨ଜଣ ବନ କର୍ମଚାରୀ ଚାକିରିରୁ ନିଲମ୍ବିତ ହୋଇଥିଲେ। ସେହିପରି ପୂର୍ବ ବନାଞ୍ଚଳ ଅଞ୍ଚଳର ଦେବଭୂଇଁ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଏକ ନାଳ ନିକଟରେ ଗୋଟିଏ ମୃତହାତୀର ହାଡ଼ ମିଳିଥିଲା। ଗତ ମେ’ ୬ ତାରିଖରେ ବାଲିକିଆରୀ ସଂରକ୍ଷିତ ଜଙ୍ଗଲରେ ୧୨ବର୍ଷର ମାଈ ହାତୀର ମୃତ୍ୟୁ ହୋଇଥିବା ବେଳେ ଗତ ମେ’ ୧୬ ତାରିଖରେ ପଶ୍ଚିମାଞ୍ଚଳ ବନବିଭାଗ ଅଧୀନସ୍ଥ ଉପରକଟା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଗୁରୁବାର ପୁଣି ମାଈ ହାତୀର ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିବା ପରେ ହାତୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଯାଇଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ହାତୀମାନେ ପାଣି ପିଇବେ ବୋଲି ଜଙ୍ଗଲ ମଧ୍ୟରେ ପୋଖରୀ ଖୋଳାଯାଇଛି। ମାତ୍ର ଏସବୁ ପରେ ହାତୀ ମୃତ୍ୟୁ ବଢୁଥିବାରୁ ପଶୁପ୍ରେମୀ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

ସମ୍ବନ୍ଧିତ ଖବର