ହିନ୍ଦୋଳ: ଗତ ମାସକ ତଳେ ବିଦ୍ୟୁତ ତାର ଆଘାତରେ ଏକକାଳୀନ ୭ଟି ହାତୀଙ୍କର ମୃତ୍ୟୁ ଘଟିଥିଲା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅଞ୍ଚଳରେ। ଏହି ଘଟଣା ସେତେବେଳେ ରାଜ୍ୟ ଠାରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏପରିକି ଏହି ଘଟଣାରେ ଜାତୀୟ ଗ୍ରିନ୍ ଟ୍ରିବୁନାଲ ସେସୁ କର୍ତ୍ତୃପକ୍ଷଙ୍କୁ ୪ କୋଟି ଟଙ୍କା ଜରିମାନା ମଧ୍ୟ କରିଥିଲେ। ମାତ୍ର ଏତେ ସତ୍ତ୍ୱେ ନାଁ ବନ ବିଭାଗ ନାଁ ସେସୁ କର୍ତ୍ତୃପକ୍ଷ ଚେତୁଛନ୍ତି। ଆଜି ପୁଣି ସେହି ହିନ୍ଦୋଳ ରେଞ୍ଜ ଅଞ୍ଚଳରେ ଆଉ ଏକ ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛି। ବାର୍ହା ଶିକାର ପାଇଁ ଟଣା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟି ମୃତ୍ୟୁଟି ବରଣ କରିଥିବା ଜଣାପଡ଼ିବା ପରେ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ବାଲିମି ଥାନା ଅନ୍ତର୍ଗତ ଦୁଦୁରକୋଟ୍ ଗାଁ ନିକଟରେ ଜଙ୍ଗଲରୁ ଧାନ ଖାଇବାକୁ ଆସୁଥିବା ବାରହା ଶିକାର ପାଇଁ ଶିକାରୀ ବିଦ୍ୟୁତ ତାର ଟାଣିଥିଲେ। ତେବେ ଆଜି ସକାଳେ ସେହି ବିଦ୍ୟୁତ ତାରରେ ଲାଗି ଏକ ଅଣ୍ଡିରା ହାତୀଟିର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଥିଲା। ଖବରପାଇ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହାତୀର ମୃତଦେହ ବ୍ୟବଛେଦ ପାଇଁ ବ୍ୟବସ୍ଥା କରାଯାଉଛି ବୋଲିି ବନବିଭାଗ ପକ୍ଷରୁ କୁହାଯାଇଛି।
ହିନ୍ଦୋଳ: ବିଦ୍ୟୁତ ତାର ଆଘାତରେ ପୁଣି ଏକ ହାତୀର ମୃତ୍ୟୁ
/sambad/media/post_attachments/wp-content/uploads/2019/01/elephant.jpg)