ଘୁ.ଉଦୟଗିରି: ଓଡ଼ିଶାର ପାରମ୍ପରିକ ଉତ୍ସବରଜ। ରଜର ସେହି ଜଣାଶୁଣା ଲୋକ ଗୀତ ‘ବନସ୍ତେ ଡାକିଲା ଗଜ, ବରଷକେ  ଥରେ  ଆସିଛି ରଜ’। ଆଜି ବି ଗାଁ ଗହଳିରେ ଶୁଭୁଥିବା ବେଳେ ରଜ ସହିତ ଗଜର ସଂପର୍କ ଯେମିତି ନିଆରା। ରଜ ସମୟର ଆମ୍ବ ପଣସର ବାସ୍ନା ଯେମିତି କି ଗଜକୁ ନିମନ୍ତ୍ରଣ କରିଥାଏ। ଆଉ ସେହି ନିମନ୍ତ୍ରଣ ରକ୍ଷା କରି ପ୍ରତିବର୍ଷ ଏହି ସମୟରେ ଗଜରାଜଙ୍କ କନ୍ଧମାଳ ଆଗମନ ହୋଇଥାଏ। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉତ୍ତର ଘୁମୁସର ବନଖଣ୍ଡ ରୁ କନ୍ଧମାଳ ଜିଲ୍ଲାର କଳିଙ୍ଗା ସେକ୍ସନକୁ ଏହି ସମୟରେ ଗଜରାଜ ମାନଙ୍କ ଆଗମନ ହୋଇଛି। ଏକ ମାସ ଧରି ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ୨୫ଟି କିଆ ହାତୀପଲ ଉପଦ୍ରବ କରିବା ପରେ ପହିଲି ରଜରେ ସ୍ଥାନୀୟ ସହରର ଏକ ନଂ ୱାର୍ଡରେ ପହଞ୍ଚିଛନ୍ତି ଗଜରାଜଙ୍କ ଦଳ।
Advertisment
ଘୁ. ଉଦୟଗିରି ଏନଏସିର ପଦାସାହି, ଦୁଗୁଡି,  ପିଡିକାମାହା, ପଣସବାଙ୍କରେ ପହଞ୍ଚିଛନ୍ତି। ଏହି ସବୁ ଅଂଚଳରେ ଥିବା କଦଳୀ ବଗିଚାକୁ ଛାରଖାର କରିବା ସହିତ ଦଳି ଚକଟି ନଷ୍ଟ କରିଛନ୍ତି। ପଦାସାହି ର ପ୍ରଦୀପ କୁମାର ନାୟକ, ମହାପତି ପ୍ରଧାନଙ୍କ କଦଳୀ ବଗିଚା ନଷ୍ଟ ହୋଇଥିବା ବେଳେ ସିମନ ପ୍ରଧାନଙ୍କ ପଣସ ରତନା ପ୍ରଧାନଙ୍କ ହଳଦୀବାଡ଼ ନଷ୍ଟ ହୋଇଥିବା କହିଛନ୍ତି। କଦଳୀ ବଗିଚା କରି ପରିବାର ପ୍ରତିପୋଷଣ କରୁଥିବା ଏହି ଚାଷିମାନଙ୍କ ଅନ୍ୟ କିଛି ରୋଜଗାର ନଥିବା ବେଳେ ଏବେ ବଗିଚା ନଷ୍ଟ ହେବାକୁ ନେଇ ଚିନ୍ତା ବଢେଇ ଦେଇଛି। ସରକାର ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।
ଅନ୍ୟ ପଟେ ଘୁମୁସର ଉଦୟଗିରି କଳିଙ୍ଗା ମୁଖ୍ୟ ସଡ଼କର ମଝି ପଣସବାଙ୍କରେ ହାତୀପଲ୍ଲଙ୍କ ଯାତାୟାତ ସାଧାରଣ ଯାତ୍ରୀମାନଙ୍କୁ ଭୟଭୀତ କରିଛି। ଗତବର୍ଷ ମଧ୍ୟ ଏହି ରାସ୍ତା ହାତୀ ଯାତାୟାତ ସାଧାରଣ ଯାତ୍ରାକୁ ପ୍ରଭାବିତ କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ପ୍ରଭାବିତ କରିଛି। ଘୁ.ଉଦୟଗିରି ସହରରୁ ଦୈନିକ ସକାଳୁ ସନ୍ଧ୍ୟାରେ ଓ୍ୱାକିଂ ପାଇଁ ଯାଉଥିବା ଲୋକେ ଭୟରେ ଯାଉନଥିବା କହିଛନ୍ତି। ବନ ବିଭାଗ ତରଫରୁ ସାଧାରଣରେ ସଚେତନ କରାଯାଉଥିବା ବେଳେ ଗତିବିଧି ଉପରେ ତିକ୍ଷ୍ମ ଦ୍ରୁଷ୍ଟି ରଖିଛି। ଦିନକୁ ଦିନ ହାତୀପଲ ଜଙ୍ଗଲ ଛାଡି ସହର ମୁଁହା ହେଉଥିବା ଯୋଗୁଁ ସାଧାରଣରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ସାରା ଅଞ୍ଚଳରେ ହାତୀପଲଙ୍କ ଆତଙ୍କରାଜକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ଅଞ୍ଚଳବାସୀଙ୍କ ନିଦ ହଜେଇଦେଲାଣି। ରାତି ଅନିଦ୍ରା ହୋଇ ଲୋକ ଜଗି ରହୁଛନ୍ତି। କାଳେ କେତେବେଳେ ହାତୀପଲ ମାଡ଼ି ଆସିବେ।ଘର ଛାତ ଉପରେ ରହି ହାତୀଙ୍କ ଗତିବିଧି ଲକ୍ଷ କରୁଛନ୍ତି ଅଞ୍ଚଳବାସୀ। ସଞ୍ଜ ନଇଁଲେ ହାତୀପଲ ଜଙ୍ଗଲରୁ ବାହାରି ଗାଁକୁ ମୁହାଁଉଛନ୍ତି। ଘର ପଛପଟେ ଲୋକ ଚାଷ କରିଥିବା ବିଭିନ୍ନ ପନିପରିବା, କଦଳୀ, ବାଉଁଶ ଗଛ ଖାଇବା ସହ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି। କେବେ ହାତୀପଲ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ ସମସ୍ତେ ଚିନ୍ତାରେ ଦିନ ଗଣୁଛନ୍ତି। ସଞ୍ଜ ନଇଁଲେ ହାତୀପଲ ଙ୍କ ଭୟ।ଭୟର ବାତାବରଣ ଭିତରେ ଅଞ୍ଚଳବାସୀଙ୍କ କଟୁଛି ଜୀବନ।