ଖୋର୍ଦ୍ଧା ସହର ଭିତରେ ୪ର୍ଥ ଥର ପାଇଁ ପୁଣି ହାତୀ ପଶିଲା

ଖୋର୍ଦ୍ଧା: ଖୋର୍ଦ୍ଧା ସହର ମଧ୍ୟକୁ ଗତ ୪୦ ଦିନ ମଧ୍ୟରେ ହାତୀ ୪ ଥର ପ୍ରବେଶ କରିଛି। ହାତୀର ଏଭଳି ଘନଘନ ସହର ମଧ୍ୟକୁ ଆସିବା ଗତ ୩୦-୪୦ ବର୍ଷ ମଧ୍ୟରେ ଦେଖାଯାଇନଥିବାରୁ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୫ଟା ବେଳେ କୁମାରବସ୍ତ କାଜୁ ଜଙ୍ଗଲ ମଧ୍ୟରେ ଗୋଟିଏ ବଡ଼ ଦନ୍ତା ହାତୀ ରହିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଘଉଡ଼ାଇବା ପରେ ହାତୀଟି କୁମାରବସ୍ତ କାଜୁ ଜଙ୍ଗଲରୁ ବାହାରି କୁମାରବସ୍ତ-ଖୋର୍ଦ୍ଧା ସଡ଼କ ଦେଇ ଖୋର୍ଦ୍ଧା ସହର ମଧ୍ୟକୁ ପ୍ରବେଶ କରିଥିଲା। ହାତୀଙ୍କୁ ସହର ମଧ୍ୟକୁ ପ୍ରବେଶ କରିବା ଦେଖିବା ପରେ ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ ବନ ବିଭାଗ କର୍ମଚାରୀ ସେଠାରେ ପହଂଚି ହାତୀକୁ ଘଉଡ଼ାଇବା ଆରମ୍ଭ କରିଥିଲେ। ଖବର ଲେଖାଯିବା ବେଳକୁ ହାତୀଟିକୁ ବରୁଣେଇ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବା ପ୍ରୟାସ ଜାରି ରହିଥିଲା।

ସୂଚନାଯୋଗ୍ୟ, ଅକ୍ଟୋବର ୪ ତାରିଖରେ ପ୍ରଥମ ଥର ପାଇଁ ବିଳମ୍ବିତ ଦୁଇଟି ହାତୀ ସହର ମଧ୍ୟରେ ପ୍ରବେଶ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାନ୍ଥ ଭାଙ୍ଗି ଦେଇଥିଲେ । ସେଠାରେ ଦୀର୍ଘ ଦୁଇଘଂଟା ରହିବା ପରେ ହାତୀ ଦୁଇଟି ଚାଲିଯାଇଥିଲେ। ପରେ ପୁଣି ୮ ତାରିଖରେ ଗୋଟିଏ ହାତୀ ପଲ୍ଲା ଟସର କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି ଜାତୀୟ ରାଜପଥ ଦେଇ ଜରିପୁଟ ଆଡ଼େ ଚାଲିଯାଇଥିଲା। ଦୁଇ ଦିନ ପୂର୍ବେ ରାତି ପ୍ରାୟ ସାଢ଼େ ଆଠଟା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସରକାରୀ ବାସଗୃହ ପଛପଟେ ଥିବା ଚିଙ୍ଗୁଡିଘେର ଦେଇ ଦୁଇଟି ହାତୀ ପଶିଥିଲେ। ତେବେ ବନବିଭାଗ ପକ୍ଷର ପଦକ୍ଷେପ ନିଆଯାଇ ତାଙ୍କୁ ଘଉଡ଼ାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର