ରାୟଗଡା: ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର,ବିଷମକଟକ ଏବଂ ମୁନିଗୁଡା ଅଂଚଳରେ ହାତୀ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ବିଶେଷକରି ବିଷମକଟକ ଅଂଚଳର ଚାଞ୍ଚଡାଗୁଡା ପଞ୍ଚାୟତର ସାନ ସିଥିଲି ଓ ବଡ ସଥିଲି ସଂରକ୍ଷିତ ଜଂଗଲରେ ଏବଂ କଲ୍ୟାଣସିଂହପୁର ବ୍ଲକର ନିମାଗିରି,ପୁଟାଗିପଦର,ସାତବାର ସଂରକ୍ଷିତ ଜଂଗଲରେ ହାତୀ ବୁଲୁଛି। କଲ୍ୟାଣସିଂହପୁର ଠାରୁ ବିଷମକଟକ ଆସୁଛି ଏବଂ ସକାଳୁ ଫେରିଯାଉଛି। କଲ୍ୟାଣସିଂହପୁରରେ ଦୁଇଟି ହାତୀ ଦଳ ବୁଲୁଥିବା ଜଣାପଡିଛି। ଗୋଟିଏ ଦଳରେ ୫ଟି ହାତୀ ଥିବା ବେଳେ ଆଉ ଗୋଟିଏ ଦଳରେ ୩ଟି ହାତୀ ରହିଛନ୍ତି। ସେହିପରି ବିଷମକଟକ ଅଂଚଳରେ ଦୁଇଟି ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଏବେ ପଣସ ପାଚିଥିବାରୁ ଗାଁ ଭିତରେ ପଶି ପଣସ,କଦଳୀ ଗଛ,ସଲପ ଗଛ ସହ ଅନ୍ୟ ଗଛ ସବୁ ଖାଉଥିବା ଲକ୍ଷ୍ୟ କରାଯାଇଛି। ଲୋକେ ହାତୀର ଚଳପ୍ରଚଳ ଆରମ୍ଭ ହୋଇଥିବାରୁ ଭୟଭିତ ଓ ଆତଙ୍କିତ ହୋଇପଡିଛନ୍ତି। ଗାଁ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି। ଖବର ପାଇ ବନ ବିଭାଗର କର୍ମକର୍ତ୍ତା ହାତୀ ଚଳପ୍ରଚଳ କରୁଥବା ଅଂଚଳରେ ପଇଁତରା ମାରୁଛନ୍ତି।ହାତୀ ଯେଉଁ ରାସ୍ତା ଦେଇଯିବା ଆସିବା କରୁଛନ୍ତି ଏବଂ ଯେଉଁଗ୍ରାମ ଦେଇ ଯିବା ଆସିବା କରୁଛନ୍ତି,ସେହି ଗ୍ରାମର ଲୋକଙ୍କୁ ସଚେତନ କରାଉଛନ୍ତି। ହାତୀ ଯିବା ଆସିବା ସମୟରେ କେହି ମଧ୍ୟ ତାଙ୍କ ଚଲାପଥକୁ ରୋକିବାକୁ ଚେଷ୍ଟା ନକରିବାକୁ ଅନୁରୋଧ କରିଛନ୍ତି।
କଲ୍ୟାଣସିଂହପୁର ଅଂଚଳରେ ଲୋକେ ହାତୀ ପଲକୁ ଦେଖି ବାଣ ଫୁଟାଇବା ସହ ତାଙ୍କୁ ଅନ୍ୟତ୍ର ଚାଲିଯିବାକୁ ବହୁ ଚେଷ୍ଟା କରିଥିଲେ। କିନ୍ତୁ ଏହା କରିବା ଭୁଲ ବୋଲି ଡିଏଫଓ ଅଜୟ କୁମାର ପରିଡା ପ୍ରକାଶ କରିଛନ୍ତି। ସେମାନେ ତାଙ୍କର ଗତିପଥରେ ଚାଲିଯିବେ। ସେମାନଙ୍କ ସାମ୍ନାରେ ଆସିଲେ କୌଣସି ଅଘଟଣ ଘଟିବାର ସମ୍ଭାବନାକୁ ଏଡାଇଦିଆଯାଇନପାରେ ବୋଲି କହିଥିଲେ। ଜଂଗଲରେ ଖାଦ୍ୟର କମି ଥିବାରୁ ହାତୀ ପଲ ଗାଁ ମୁହାଁ ହୋଇଛନ୍ତି। ଏହି ଦୁଇ ବ୍ଲକର ଆଦିବାସୀମାନେ ପ୍ରାୟତଃ ଜଂଗଲ ଉପରେ ନିର୍ଭର କରିଥାନ୍ତି। ତେଣୁ ହାତୀ ଚଳପ୍ରଚଳ ଖବର ଶୁଣିବା ପରେ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ହାତୀ ପଲ ଜଂଗଲରେ ଥିବା ପର୍ଯ୍ୟନ୍ତ କୌଣସି ପୋଡୁ ଚାଷ କିମ୍ବା ଜଂଗଲକୁ ଛତୁ, କନ୍ଦା, ଶାଗ ଇତ୍ୟାଦି ଆଣିବାକୁ ଯାଉଥିବା ଆଦିବାସୀଙ୍କୁ ସତର୍କ କରାଯାଇଛି। କୌଣସି ମୁହର୍ତ୍ତରେ ହାତୀ ଆକ୍ରମଣ କରିପାରେ। ଏହି ଦୁଇ ବ୍ଲକର ଜଂଗଲ ନିକଟରେ ରହିଥିବା ଗାଁଗୁଡିକରେ ସଂଧ୍ୟା ହେଲେ ତାଟିକବାଟ ପଡିଯାଉଛି।
କୌଣସି ମୁହର୍ତ୍ତରେ ହାତୀ ଗାଁରେ ପଶିବାର ଭୟ ରହିଛି। ବନ ବିଭାଗର କହିବା ହେଲା ହାତୀ ଦିନ ସାରା ଗୋଟିଏ ସ୍ଥାନରେ ହିଁ ରହିଥିବେ। ରାତି ହେଲେ ସେମାନେ ଚଳପ୍ରଚଳ କରିଥାନ୍ତି। ସେହିପରି ରେଳ ଲାଇନ ଜଂଗଲରୁ ମାତ୍ର ୫୦ ମିଟର ଦୁରରେ ରହିଥିବାରୁ ସମ୍ବଲପୁର ମୁଖ୍ୟ କାର୍ଯ୍ୟାଳୟକୁ ଏହି ଅଂଚଳରେ ରେଳ ଦ୍ରୁତ ଗତିରେ ନଯିବାକୁ ଚିଠି କରାଯାଇଥିବା ଜଣାପଡିଛି। ବନ ବିଭାଗ କର୍ମଚାରୀ ଦିନ ରାତି ଏକ କରି ସେହି ଅଂଚଳରେ ପେଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ଲୋକଙ୍କୁ ଜଂଗଲକୁ ନଯିବାକୁ ବାରଣ କରାଯାଇଥିବାବେଳେ ହାତୀ ଯିବା ପର୍ଯ୍ୟନ୍ତ ଚାଷ କିମ୍ବା ଅନ୍ୟ ଜଂଗଲି କାମକୁ ବନ୍ଦ କରିବାକୁ ଅନୁରୋଧ କରାଯାଇଛି। ହାତୀ ପଲ ଏବେ ବହୁ ଦିନ ଏହି ଅଂଚଳରେ ରହିବେ ବୋଲି ବନ ବିଭାଗ କହିଛି। ଆଉ କିଛି ହାତୀ ବାଲିଗୁଡା ଅଂଚଳକୁ ଚାଲିଯାଇଥିବା ଜଣାପଡିଛି। ବର୍ତ୍ତମାନ କିନ୍ତୁ ୮ଟି ହାତୀ ବୁଲୁଥିବା କୁହାଯାଇଛି।