ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ଅଧିନ ବିଭିନ୍ନ ବନାଞ୍ଚଳରେ କିଛିଦିନ ହେବ ହାତୀପଲ ଚଳପ୍ରଚଳ ଦେଖିବାକୁ ମିଳିଛି। କ୍ଷେତରେ ପଶି ବୁଣା ଯାଇଥିବା ଧାନ ଫସଲ ନଷ୍ଟ କରିବା ସହ ହାତୀଙ୍କ ଉପଦ୍ରବରେ ସ୍ଥାନୀୟ ଲୋକ ଅତିଷ୍ଠ ହୋଇ ପଡିଲେଣି। ଚଳିତବର୍ଷ ଖରିଫ ଚାଷ କାର୍ଯ୍ୟ ଆରମ୍ଭରୁ ହିଁ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ପ୍ରଭାବରେ ଚାଷ କାର୍ଯ୍ୟକୁ ନେଇ ଚାଷୀ ମୁଣ୍ଡକୁ ଚିନ୍ତା ଘାରିଛି। ବର୍ଷା ଦାଉରୁ ଫସଲ ରକ୍ଷା କରିବାକୁ ଦିନରାତି ପ୍ରୟାଶ ଜାରି ରଖିଥିବା ବେଳେ ବର୍ତ୍ତମାନ ଧାନ କ୍ଷେତକୁ ହାତୀ ଭୟ ଘାରିଛି। ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼, ଜଗନ୍ନାଥପ୍ରସାଦ ଓ ତାରସିଂହ ବନାଞ୍ଚଳରେ ହାତୀଙ୍କ ଗତିବିଧି ଲକ୍ଷ କରାଯାଇଛି।
ଫସଲ ପାଚିବା ସମୟରେ ପ୍ରାୟତ ହାତୀ ଜମି ଆଡକୁ ମାଡି ଆସୁଥିଲେ। କିନ୍ତୁ ଚଳିତ ଥର ବର୍ତ୍ତମାନ ଠାରୁ ହିଁ କ୍ଷେତ ଆଡ଼କୁ ମାଡି ଆସୁଛନ୍ତି। ଆଉ କ୍ଷେତ ଭିତରେ ଖାଇବା ଅପେକ୍ଷା ଦଳି ଚକଡି ବ୍ୟାପକ ମାତ୍ରାରେ ଫସଲ ନଷ୍ଠ କରୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ବିଶେଷ କରି ଉତ୍ତର ଘୁମୁସର ବନଖଣ୍ଡର ତାରସିଂ ବନାଞ୍ଚଳର ଲେମ୍ଭାଇ, ହଳନ୍ଦଖୋଳା, ତିନି ଛକିଆ, ବାଲିସାହି, ଦଲକ ଭଳି ବିଭିନ୍ନ ଗ୍ରାମ ନିକଟରେ ପ୍ରତିଦିନ ଏକ ଦନ୍ତାହାତୀର ଗତିବିଧି ଲକ୍ଷ୍ୟ କରାଯାଉଛି। ସଂନ୍ଧ୍ୟା ହେବା କ୍ଷଣି ନିକଟସ୍ଥ ଚନ୍ଦ୍ରଗିରି ଜଙ୍ଗଲ ଭିତରୁ ବାହାରି କ୍ଷେତ ଭିତରେ ପଶୁଛି। ଖାଦ୍ୟ ଅନ୍ବେଷଣ ପାଇଁ ଜଙ୍ଗଲ ଭିତରୁ ହାତୀ ବାହାରକୁ ଆସୁଥିବା ଗ୍ରାମବାସୀ କହିଛନ୍ତି। ଧାନ ଫସଲ ଖାଇବା ପାଇଁ ଆସି ଅନେକ ସମୟରେ ଜନବସତି ଆଡ଼କୁ ମଧ୍ୟ ମୁହାଁଇଥାନ୍ତି। ଏହି ସମୟରେ ମଣିଷ ଠାରୁ ହାତୀର ସୁରକ୍ଷା ଏବଂ ହାତୀ ଠାରୁ ମଣିଷ ସୁରକ୍ଷା ବଡ ଚାଲେଞ୍ଜ ଭାବେ ଉଭା ହୋଇଛି। ଗତ ଦୁଇବର୍ଷ ତଳେ ଗାଲେରୀ ବନାଞ୍ଚଳର ନୂଆପଲ୍ଲୀ ଜଙ୍ଗଲରେ ହାତୀ ମଣିଷ ଲଢେଇରେ ଜଣେ ନାବାଳକ ଏବଂ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ହାତୀକୁ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀ ମାନେ ପ୍ରତିଦିନ ପହଞ୍ଚୁଥିଲେ ମଧ୍ୟ ହାତୀ ମାନେ ରାତିରେ କ୍ଷେତ ଛାଡି ଯାଉନଥିବା ବନ ବିଭାଗ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି। ଦୀର୍ଘ ୨୦ ଦିନ ଧରି ଉକ୍ତ ଇଲାକାରେ ରାତି ତମାମ୍ ଗ୍ରାମବାସୀଙ୍କ ସହାୟତାରେ ହାତୀକୁ ଜଙ୍ଗଲ ଭିତରକୁ ନେବା ପାଇଁ ଅନବରତ ଚେଷ୍ଟା ଚାଲୁଛି।
ନିଆଁ ହୁଳା ଦେଖାଇବା ସହ ବାଣ ଓ ମଲ୍ଟି ସଟ୍ ଗନ ବ୍ୟବହାର କରି ଦନ୍ତାଟିକୁ ଘଉଡାଇବା ପାଇଁ ଚେଷ୍ଟା କଲେ ମଧ୍ୟ ସେ କୌଣସି ଜିନିଷକୁ ଖାତିର କରୁନଥିବା ଜଣାପଡିଛି। ପ୍ରାୟ ସମୟରେ ଏକୁଟିଆ ଦନ୍ତା ଗ୍ରାମ ଆଡକୁ ମୁହାଁଉଥିବାରୁ ତାର ସୁରକ୍ଷା ମଧ୍ୟ ବନ ବିଭାଗ ପାଇଁ ବଡ଼ ଚାଲେଞ୍ଜ ହୋଇପଡିଛି। ବର୍ଷା ଦାଉରୁ ନଷ୍ଟ ହୋଇଥିବା ଫସଲକୁ ଯେନତେନ ସୁରକ୍ଷା ଦେବା ପାଇଁ ପ୍ରୟାଶ ଜାରି ରହିଥିବା ବେଳେ ଜମି ଭିତରେ ପଶିଥିବା ହାତୀ ଚିନ୍ତା ବଢାଇଛନ୍ତି। ହାତୀ ଭୟରେ ଏହି ରାସ୍ତାଦେଇ ଯାତାୟତ କରିବାକୁ ଲୋକ ଭୟ କରୁଥିବା ପ୍ରକାଶ କରିଛନ୍ତି। ହାତୀ ମାନଙ୍କ ଗତିବିଧିକୁ ଲକ୍ଷ୍ୟ କରି ବନ ବିଭାଗ ପକ୍ଷରୁ ହାତୀଙ୍କ ସୁରକ୍ଷା ସମତେ ସ୍ଥାନୀୟ ଗ୍ରାମବାସୀଙ୍କ ଧନ ଜୀବନ ସୁରକ୍ଷା ପାଇଁ ବ୍ୟପକ ସଚେତନ କରାଯାଉଛି। ହାତୀ ମାନେ ଯାତାୟତ କରୁଥିବା ରାସ୍ତାରେ ଥିବା ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଉଛି। ପ୍ରତିଦିନ ହାତୀ ମାନଙ୍କ ପାଇଁ ବିଦ୍ୟୁତ କାଟ ହେଉଥିବାରୁ ସ୍ଥାନୀୟ ଇଲାକାରେ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବନ ବିଭାଗ ପକ୍ଷରୁ ହାତୀ ମାନଙ୍କ ପାଇଁ ଅଧିକ ତତ୍ପରତା ପ୍ରକାଶ କରି ହାତୀ ମାନଙ୍କୁ ଜଙ୍ଗଲ ଭିତରକୁ ଘଉଡାଇବା ସହ ଚାଷୀ ମାନଙ୍କ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି। ଅନ୍ୟପଟେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ପରେ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।