ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡରେ ହାତୀପଲ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି। ବର୍ଷ ତମାମ ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ରେଞ୍ଜ ଠାରୁ ଆରମ୍ଭ କରି ଜଗନ୍ନାଥପ୍ରସାଦ, ତାରସିଂହ ବନାଞ୍ଚଳରେ ଚାଷୀ ମାନେ ବ୍ୟପକ ଫସଲ ନଷ୍ଟ କରିବା ସହ ହାତୀ ମାନଙ୍କ ଠାରୁ ଜନଜୀବନକୁ ସୁରକ୍ଷିତ ରଖିବା ପାଇଁ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବନ ବିଭାଗ ଏକ ପ୍ରକାର ନୟାନ୍ତ ହୋଇ ପଡିଛି। ବର୍ତ୍ତମାନ କେନ୍ଦ୍ରୀୟ ବନାଞ୍ଚଳର ଭଞ୍ଜନଗର ଓ କାଳିଆମ୍ବା ସେକ୍ସନରେ ମାତିଥିବା ଜଣାପଡିଛି। ପ୍ରତିଦିନ ହାତୀପଲକୁ ଜଙ୍ଗଲକୁ ଘଉଡାଇବାକୁ ନୟାନ୍ତ ହେଉଛନ୍ତି ବନ ବିଭାଗ କର୍ମଚାରୀ। ସନ୍ଧ୍ୟା ନହେଉଣୁ ହାତୀଙ୍କ ଗତିବିଧି ଲକ୍ଷ୍ୟ କରି ସ୍ଥାନୀୟ ଲୋକଙ୍କ ସୂଚନା ପ୍ରକାରେ ହାତୀ ଘଉଡାଇବା ପାଇଁ ପହଁଞ୍ଚି ଯାଉଛନ୍ତି। ଲୋକଙ୍କ ସହାୟତାରେ ହାତୀକୁ ଘଉଡାଇବା ପାଇଁ ବହୁ ଚେଷ୍ଟା କଲେ ମଧ୍ୟ କଷ୍ଟାର୍ଜିତ ଫସଲକୁ ସୁରକ୍ଷା ଦିଆଯାଇ ପାରୁନାହିଁ।

Advertisment

ଧାନ ଫସଲକୁ ସୁରକ୍ଷା ଦେବା ପ‌ାଇଁ ରାତିରେ କିଛି ଚାଷୀ ମଞ୍ଚା କରି ଅମଳ ଫସଲକୁ ଜଗୁଥିବା ବେଳେ ତାକୁ ମଧ୍ୟ ହାତୀପଲ ନଷ୍ଠ କରିଦେଉଥିବା ଚାଷୀ ଅଭିଯୋଗ ଆଣିଛନ୍ତି। ଉତ୍ତର ଘୁମୁସର ବନଖଣ୍ଡର ତାରସିଂହ, ଗାଲେରୀ, ଜଗନ୍ନାଥପ୍ରସାଦ ଓ ମୁଜାଗଡ ବନାଞ୍ଚଳରେ ହାତୀ ମାନଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଧାନ ଅମଳ ସମୟ ହୋଇଥିବା ବେଳେ ସନ୍ଧ୍ୟା ହେବା କ୍ଷଣି ପାଚିଲା ଧାନ ବାସ୍ନାରେ ହାତୀପଲ ଗାଁ ମୁହାଁ ହେବାରେ ଲାଗିଛନ୍ତି। ଗତ କିଛି ମାସ ଧରି ତାରସିଂହ ବନାଞ୍ଚଳରେ ୧୮ ଟିକିଆ ହାତୀପଲଙ୍କ ‌ଦୌରାତ୍ମ୍ୟ ଜାରି ରହିଥିବା ବେଳେ କିଛି ଦିନ ହେଲା ଗାଲେରୀ ବନାଞ୍ଚଳର ତିଳିସିଂହ, ଢୋଲପିଟା ଆଦି ଅତିକ୍ରମ କରି ମୁଜାଗଡ ବନାଞ୍ଚଳକୁ ଚାଲି ଆସିଥିଲେ। ବର୍ତ୍ତମାନ କେନ୍ଦ୍ରୀୟ ବନାଞ୍ଚଳର ଭଞ୍ଜନଗର ଓ ‌କାଳିଆମ୍ବା ସେକ୍ସନରେ ଦୌରାତ୍ମ୍ୟ ଖେଳାଇଥିବା ଜଣାପଡିଛି। କାଳିଆମ୍ବା ସଂରକ୍ଷିତ ଜଙ୍ଗଲର ବୁଦୁଲି, ମଳାସପଦର, ଗୁଡିଆମ୍ବା, ପୁରୁଣାପାଣି, କାଳିଆପଲ୍ଲୀ, ଗୁଣ୍ଡୁରିବାଡି ଆଦି ଗ୍ରାମର ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି।

publive-image Sambad

ବୁଦୁଲି ଗ୍ରାମର ଚାଷୀ ଭୋବନୀ ନାୟକ, ମାଧୁରୀ ନାୟକ, ସଞ୍ଜୁକ୍ତା ନାୟକ,ଭଗବାନ ପ୍ରଧାନ,ସଞ୍ଜୁକ୍ତା ପ୍ରଧାନଙ୍କ ଧାନ ଗଦା ଦଳି ନଷ୍ଟ କରିଥିବା ସେମାନେ ପ୍ରକାଶ କରିଛନ୍ତି। ଧାନ ଗଦା ନିକଟ‌ରେ ଏକ ଛୋଟ କୁଡିଆ କରି କିଛି ଚାଷୀ ଜଗି ରହିଥିବା ବ‌େଳେ ତାକୁ ମଧ୍ୟ ହାତୀପଲ ଭାଙ୍ଗି ଦେଇଛନ୍ତି। ଏଥିସହ ଭରତ ନାୟକଓ ଲକ୍ଷ୍ମୀ କାନ୍ତ ନାୟକଙ୍କ ଧାନବସ୍ତା ଜଙ୍ଗଲ ଭିତରକୁ ଟାଣି ନେଇ ପଲାଇଛନ୍ତି। ବୁଦୁଲି ଓ ଗୁଡିଆମ୍ବା ଗ୍ରାମ ମଝିରେ ରହିଥିବା ବାରଘରିଆଣି ପୀଠ ନିକଟରେ ଥିବା ଏକ ସମତଳ ଯାଗାରେ ଚାଷୀ ମାନେ ଧାନ ଗଦା କରି ରଖିଥିବା ତାକୁ ହାତୀପଲ ନଷ୍ଟ କରିଛନ୍ତି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ଫେରିଛନ୍ତି। ହାତୀପଲ ଫସଲ ଖାଇବା ଅପେକ୍ଷା‌ ଦଳି ନଷ୍ଠ ଅଧିକା କରୁଛନ୍ତି। ହାତୀ ଦ୍ବାରା ଫସଲ ନଷ୍ଠ ହେଲେ ବନ ବିଭାଗ ପକ୍ଷରୁ ସର୍ଭେ କରାଯାଇ କ୍ଷତି ପୂରଣ ଦିଆଯାଉଛି। କିନ୍ତୁ ଅମଳ ଫସଲରୁ ଯାହା ଲାଭ ଚାଷୀର ହୋଇ ପାରନ୍ତା ବନ ବିଭାଗ ସେହି ପରିମାଣର କ୍ଷତି ପୂରଣ ଦେଇପାରୁନାହିଁ। କଷ୍ଟାର୍ଜିତ ଫସଲକୁ ସୁରକ୍ଷା ଦେବା ପାଇଁ ଚ‌ାଷୀ ଦିନ ରାତି‌ କ୍ଷେତ ନିକଟରେ ଜଗି ରହୁଥିବା ଦେଖିବାକୁ ମିଳିଛି।