ବିନିକା: ଶୁକ୍ରବାର ବିଳମ୍ବତି ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନ୍ଏସି ଗୁଲାପଡ଼ା, ଡ଼ଭାଲା ଓ ବିନିକା ବ୍ଳକ୍ ସିନ୍ଦୁରପୁର, ଗଣେଶପୁର, ମଣିଗାଁ ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଶହଶହ ହେକ୍ଟର ଧାନ ଗଛ ଦଳାଚକଟା କରି ଧାନ ଫସଲ ଖାଇ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ହେକ୍ଟର ହେକ୍ଟର ପନିପରିବା ଚାଷ ସହିତ କଦଳି, ନଡ଼ିଆ ଗଛ ଭାଙ୍ଗି ନଷ୍ଟ କରିଛନ୍ତି।
ସୂଚନା ଅନୁସାରେ ମହାନଦୀ ଆରପଟେ ଏହି ହାତୀପଲ ଅନେକ ଦିନ ରହୁଥିଲେ। ଶୁକ୍ରବାର ମହାନଦୀ ପାର ହୋଇ ୫ଟି ହାତୀ ବିନିକା ପାର୍ଶ୍ବକୁ ଆସି ବ୍ୟାପକ କ୍ଷତି ଘଟାଇ ମହାନଦୀ ଆରପଟକୁ ପୁଣି ଚାଲିଯାଇଛନ୍ତି। ଫ​ଳରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅନ୍ୟପେଟ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ସହ ଏହି ସବୁ ଗାଁର ଲୋକେ ସହଯୋଗ କରୁଛନ୍ତି। ଲିଖିତ ଅଭିଯୋଗ ପରେ କ୍ଷୟକ୍ଷତି ଆ​କଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ବିନିକା ରେଞ୍ଜର ପ୍ରକାଶ କରିଛନ୍ତି। ଚାଷୀମାନେ ବହୁ କଷ୍ଟରେ ଧାର କରଜ କରି ଚାଷ କରିଥିଲେ। ଆରମ୍ଭରୁ ପାଣି ଅଭାବ ଦେଖା ଦେଇଥିଲା। ପରେ ରୋଗ ପୋକ ବର୍ତ୍ତମାନ ଫସଲକୁ ହାତୀପଲ ନଷ୍ଟ କରୁଥିବାରୁ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି। ଏଣୁ ବିଭାଗୀୟ ଅଧିକାରୀ ତୁରନ୍ତ ଏହାର ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇଦେବାକୁ ଗୁଲାପଡ଼ାର ଲକ୍ଷ୍ମଣ ମହାନ୍ତି, ପତୀ ମହାନ୍ତି, ହୀରାଲାଲ ଭୂୟାଁ, ଚିତ୍ତରଞ୍ଚନ ଭୂୟାଁ, ବାସୁ ମହାନ୍ତି, ମିଥୁନ ମହାନ୍ତି, ଦୁର୍ଯୋଧନ ମଣ୍ଡଳ ସମେତ ଡଭଲା, ସିନ୍ଦୁରପୁର, ଗଣେଶପୁର ଓ ମଣିଗାଁ ଗ୍ରାମର ଚାଷୀମାନେ ଦାବି କରିଛନ୍ତି।