ଡେରାବିଶରେ ପଶିଲା ହାତୀ, ସାଇକଲ ଭାଙ୍ଗିଲା, ଫସଲ ଦଳିଦେଲା

ଡେରାବିଶ: ଡ଼େରାବିଶ ଅଞ୍ଚଳକୁ ପଶି ଆସିଥିବା ଏକ ହାତୀ ଆଜି ଆତଙ୍କ ଖେଳାଇଛି। ହାତୀଟି ସାଇକଲ ଭାଙ୍ଗି ପକାଇଥିବା ବେଳେ କ୍ଷେତରେ ପଶି ବ୍ୟାପକ ଧାନ ଫସଲ ଦଳମକଚି ନଷ୍ଟ କରି ପକାଇଛି। ହାତୀକୁ ନେଇ ଦିନ ତମାମ୍‌ ଛକାପଞ୍ଝା ଲାଗି ରହିଥିଲା।  ତା’କୁ ଘଉଡ଼ାଇବା ବନ ବିଭାଗକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ସୂଚନା ଅନୁସାରେ,  ଆଜି ସକାଳେ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବଳଭଦ୍ରପୁର ଅଞ୍ଚଳ ଦେଇଯାଇଥିବା ହରିଦାସପୁର–ପାରାଦୀପ ରେଳପଥ ଉପରେ ଲୋକେ ଏହି ହାତୀଟିକୁ ଦେଖିବାକୁ ପାଇଥିଲେ।

ଏହି ସମୟରେ ଏକ ମାଲ୍‌ ବୋଝେଇ ଟ୍ରେନ୍‌ ହର୍ଣ୍ଣ ବଜାଇ ଯିବା ବେଳେ ହାତୀଟି ରେଳପଥରୁ ତଳକୁ ଓହ୍ଲାଇ ନୂଆହାଟ ପାଟରେ ପଶି ଯାଇଥିଲା। ପରେ ବଳଭଦ୍ରପୁର ପାଟରେ ପଶିଯାଇ ସେଠାରେ ଦୀର୍ଘ ସମୟ ଘୂରି ବୁଲିଥିଲା। ଖବରପାଇ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ବାଣ ଫୁଟାଇ ତା’କୁ ଜଙ୍ଗଲ ଅଂଚଳକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ମଧ୍ୟାହ୍ନରେ ହାତୀଟି ଉକ୍ତ ପାଟରୁ ବାହାରି ୫୩ନଂ ଜାତୀୟ ରାଜପଥର ଲକ୍ଷ୍ମୀନାରାୟଣପୁର ଛକ ନିକଟରେ ରାସ୍ତା ଅତିକ୍ରମ କରି ଜନବସତି ଅଂଚଳ ଆଡ଼କୁ ପଶିଯାଇଥିଲା।

ଏହି ସମୟରେ ବାଟରେ ଥିବା କେତେକ ସାଇକଲକୁ ଦଳି ଚୂନା କରିଦେବା ସହ ଲକ୍ଷ୍ମୀନାରାୟଣପୁର ଓ ନୂଆହାଟ ଗ୍ରାମରେ ପ୍ରବେଶ ପାଇଁ ଉଦ୍ୟତ ହୋଇଥିଲା। ହେଲେ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ସେଠାରେ ଛକି ରହିବାରୁ ହାତୀଟି ଗ୍ରାମରେ ନ ପଶି ଗୋଲରାହାଟ ପଞ୍ଚାୟତର ନରୁଆ ପାଟରେ ପଶି ଯାଇଥିଲା।  ଦଳିମକଚି ବ୍ୟାପକ ଧାନ ଫସଲ ନଷ୍ଟ କରି ପକାଇଥିଲା। ପରେ ଡେରାବିଶ ଫାଣ୍ତି ବଜାର ମୁହାଁ ହେଉଥିବା ଦେଖି ବନ ବିଭାଗ କର୍ମଚାରୀ ବାଣ ଫୁଟାଇବାରୁ ହାତୀଟି ଗତିପଥ ବଦଳାଇ  ବାଲିଆ, ମୁଲଣାପାଟଣା ପାଟରେ ଥିବା ଧାନ କ୍ଷେତରେ ପଶି ଯାଇଥିଲା। ସେଠାରେ ତା’କୁ ଘଉଡାଇବା ଫଳରେ ଅପରାହ୍ନରେ ହାତୀଟି ମାହାଙ୍ଗା ନିର୍ବାଚନ ମଣ୍ତଳୀ ଅଂଚଳକୁ ପଳାଇ ଯାଇଥିଲା।

ହାତୀକୁ ଘଉଡାଇବା ପାଇଁ  କଟକ ବନଖଣ୍ତ ଏସିଏଫ ସୈାଭାଗ୍ୟ କୁମାର ସାହୁଙ୍କ ନେତୃତ୍ବରେ ବହୁ ବନର୍ମଚାରୀ ସାମିଲ ହୋଇଥିଲେ। ଏସିଏଫ ଶ୍ରୀ ସାହୁ କହିଛନ୍ତି, ଏହି ବଣୁଆ ହାତୀ ପ୍ରାୟ  ସପ୍ତାହ ହେଲା ଢେଙ୍କାନାଳ ଜିଲ୍ଲା କପିଳାସ ଜଙ୍ଗଳରୁ ତା’ର ଗୋଷ୍ଠୀରୁ କୈାଣସି କାରଣରୁ ଅଲଗା  ହୋଇଯାଇଛି। ବିଭିନ୍ନ ଅଂଚଳରେ ବୁଲି ବ୍ୟାପକ କ୍ଷୟକ୍ଷତି କରିଚାଲିଥିଲା।

ବନ ବିଭାଗ କର୍ମଚାରୀ ତା’କୁ ରବିବାର ଘଉଡାଇ ଆଣି  ଯାଜପୁର ଜିଲ୍ଲା ମହାବିନାୟକ ଜଙ୍ଗଲରେ ଛାଡ଼ିଥିଲେ। ହେଲେ ହାତୀଟି ପୁନର୍ବାର ଜଙ୍ଗଲରୁ ବାହାରି ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳ ଦେଇ  ଆଜି ଭୋରରୁ ଡେରାବିଶ ବ୍ଲକ ଅଂଚଳରେ ପ୍ରବେଶ କରିଥିଲା। ସେହିପରି ଲୋକମାନଙ୍କୁ ଆତଙ୍କିତ ନ ହେବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ମାଇକ୍‌ ଯୋଗେ ବିଭିନ୍ନ ଗ୍ରାମରେ ପ୍ରଚାର କରାଯାଇ  ଅବଗତ କରାଯାଉଥିବା ଜିଲ୍ଲା ବନଖଣ୍ତ ରେଞ୍ଜ ଅଫିସର ଗୋବିନ୍ଦ ଚନ୍ଦ୍ର ରଥ ସୂଚନା ଦେଇଛନ୍ତି। ଏପଟେ ଫସଲ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ସମାଜସେବୀ ମହେନ୍ଦ୍ର କୁମାର ସିଂହ ଓ ସାହାଜାହାନ ଖାଁ ଦାବି  କରିଛନ୍ତି।

ସମ୍ବନ୍ଧିତ ଖବର