ନିଶ୍ଚିନ୍ତକୋଇଲି/ମାହାଙ୍ଗା: ମାହାଙ୍ଗା, ନିଶ୍ଚିନ୍ତକୋଇଲି, ବଡ଼ଚଣା ଓ ଧର୍ମଶାଳାରେ ସପ୍ତାହେ ଧରି ଆତଙ୍କ ଖେଳାଇଥିବା ଦଳଛଡ଼ା ମାଈ ହାତୀ ଗତକାଲି ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବାଡ଼ିରେ ପଶି ଜଣେ ବୃଦ୍ଧଙ୍କୁ ଦଳି ମାରିଦେଇଛି। ଏ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପାଗଳ ଭଳି ଘୂରି ବୁଲୁଥିବା ହାତୀଟିକୁ ତୁରନ୍ତ ବନ ବିଭାଗ କର୍ତ୍ତୃପକ୍ଷ କାବୁ କରିବାକୁ ସାଧାରଣରେ ଦାବି କରାଯାଇଛି। ସୂଚନାଯୋଗ୍ୟ ଯେ ୬ଦିନ ତଳେ ଯାଜପୁର ଜିଲ୍ଲା ବୈରୀ ବନଖଣ୍ଡରୁ ଏକ ମାଈ ହାତୀ ଦଳରୁ ବାହାରି ନିଶ୍ଚିନ୍ତକୋଇଲି ବଡ଼ଖିରି ଅଞ୍ଚଳକୁ ଚାଲି ଯାଇଥିଲା। ଏହା ଜଣାପଡ଼ିବା ପରେ ବନବିଭାଗର ବରିଷ୍ଠ ଅଧିକାରୀ ଓ ବନ କର୍ମଚାରୀମାନେ ପହଞ୍ଚି ହାତୀଟିକୁ ମାହାଙ୍ଗା ଅଞ୍ଚଳ ଦେଇ ବଡ଼ଚଣାକୁ ଘଉଡ଼ାଇ ନେଇ ଯାଇଥିଲେ। ହାତୀଟି ବଡ଼ଚଣା ବ୍ଲକ୍ର ଧାନମଣ୍ଡଳ ତେଲିଗଡ଼ ଜଙ୍ଗଲରେ ରହିଥିଲା। ପୁଣି ଏହି ହାତୀ ବଡ଼ଚଣା ଓ ଧର୍ମଶାଳା ଅଞ୍ଚଳକୁ ଯାଇ ଆତଙ୍କ ଖେଳାଇବା ସହ ବ୍ରହ୍ମବରଦା ଅଞ୍ଚଳର ଜଣେ ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଆକ୍ରମଣ କରିଥିଲେ। ବୃଦ୍ଧଜଣକ ଗୁରୁତର ଆହତ ହୋଇଥିଲେ। ଗତକାଲି ମାଈହାତୀ ବଡ଼ଚଣା ଅଞ୍ଚଳରୁ ଡେରାବିଶ ଦେଇ ପୁଣି ମାହାଙ୍ଗାର କୁରୁଜଙ୍ଗାକୁ ଆସିବା ପରେ ଧାନଫସଲ ଉଜାଡ଼ି ଦେଇଥିଲା। ଅସୁରେଶ୍ବର ରାସ୍ତାରେ ଶହଶହ ଲୋକଙ୍କୁ ଦେଖି ହାତୀଟି ସେଠାରୁ ନିଶ୍ଚିନ୍ତକୋଇଲି ଅଞ୍ଚଳକୁ ଆସି କଟିକଟା ପଞ୍ଚାୟତ ରାମରାଙ୍ଗ ୱାର୍ଡସଭ୍ୟ ରଘୁନାଥ ବେହେରାଙ୍କ ଘର ପଛପଟ ବାଡ଼ି ଫାଟକ ଦେଇ ଭିତରେ ପଶି ଯାଇଥିଲା।
ଏହି ସମୟରେ ବାଡ଼ିରେ ଘାସ ବାଛୁଥିବା ରଘୁନାଥଙ୍କ ବାପା ଭାଗବତ ବେହେରା(୮୭)ଙ୍କୁ ହାତୀଟି ଗୋଡ଼ରେ ଦଳି ଦେବା ସହ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହାପରେ ହାତୀଟି ହିଂସ୍ର ହୋଇ ଉତ୍ପାତ ଆରମ୍ଭ କରିଦେଇଥିଲା। ଲୋକେ ହୋହଲ୍ଲା କରିବାରୁ ହାତୀ ଧାନବିଲକୁ ପଶି ଯାଇଥିଲା। ହାତୀର ଦଳାଚକଟାରେ ଅସୁରେଶ୍ୱର, କଟିକଟା, କେଣ୍ଟାଳୋ, ସୁକରପଡ଼ା, ତରତ, ବନ୍ଧକାଟିଆ ଆଦି ବହୁ ପଞ୍ଚାୟତର ଶହଶହ ଏକର ଜମିରେ ଧାନଫସଲ କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ନିଶ୍ଚିନ୍ତକୋଇଲି ଦମକଳବାହିନୀ, ବନ ବିଭାଗ କର୍ମଚାରୀ, ନିଶ୍ଚିନ୍ତକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଉତ୍ତେଜିତ ନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ହାତୀ ଲୁଣାନଦୀ ପାର ହୋଇ ତରତ ଦେଇ ବନ୍ଧକାଟିଆ ଗହିରରେ ଛପି ଯାଇଛି। ହାତୀ ଘଉଡ଼ାଇବା ପାଇଁ ବନବିଭାଗର ପ୍ରାୟ ୧୫୦ରୁ ୨୦୦ କର୍ମଚାରୀ ପହଞ୍ଚିଛନ୍ତି। ରାତିରେ ହାତୀକୁ ଘଇଡ଼ାଇ ଜଙ୍ଗଲରେ ଛଡ଼ାଯିବ ଏବଂ ଧାନଫସଲ କ୍ଷୟକ୍ଷତି ପାଇଁ ଏକର ପ୍ରତି ୧୦ହଜାର ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଅପରପକ୍ଷରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ କଟିକଟା ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଜନବସତିକୁ ହାତୀ କିପରି ଆସିଲା ଏବଂ ଏ ସମ୍ପର୍କରେ କର୍ମଚାରୀମାନେ କିପରି ଜାଣିପାରିଲେ ନାହିଁ ତାହାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି କରାଯାଇଛି। ନିଶ୍ଚିନ୍ତକୋଇଲି ଭାରପ୍ରାପ୍ତ ତହସିଲଦାର ଉମାକାନ୍ତ ବିଶ୍ୱାଳ, ଥାନା ଆଇଆଇସି ଚିନ୍ମୟୀ ସାହୁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (କେସ୍ ନଂ-୯/୨୧) ରୁଜୁ କରାଯାଇଛି। ଖବର ପାଇ ମାହାଙ୍ଗା ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଭାଗବତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ବିଜେଡି ପକ୍ଷରୁ ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ଏବଂ ବନ ବିଭାଗ ପକ୍ଷରୁ ଅନ୍ତ୍ୟେଷ୍ଟିକ୍ରିୟା ନିମନ୍ତେ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଖୁବ୍ଶୀଘ୍ର ବନ ବିଭାଗ ତରଫରୁ କ୍ଷତିପୂରଣ ରାଶି ୪ଲକ୍ଷ ଟଙ୍କା ପ୍ରଦାନ ଲାଗି ମନ୍ତ୍ରୀ ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଛନ୍ତି। ମନ୍ତ୍ରୀଙ୍କ ସହ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ ଓଝା, ବ୍ଲକ୍ ବିଜେଡି ସଭାପତି ରମାକାନ୍ତ ମହାନ୍ତି, କଟିଟକା ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।