ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତରେ ପୁଣି ଥରେ ଛତିଶଗଡ ହାତୀପଲର ଉପଦ୍ରବ ଆରମ୍ଭ ହୋଇଛି | ମାସେ ପୂର୍ବରୁ ସେମାନଙ୍କ ଲଗାତାର ଭିନ୍ନ ଭିନ୍ନ ଅଂଚଳରେ ପ୍ରବେଶ କରିବା ଆରମ୍ଭ କରିଥିବା ବେଳେ ଗତ ଦୁଇ ଦିନ ଧରି ଓଡ଼ିଶା ସୀମା ଖିଲୋଲୀ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି l ଅପରପକ୍ଷରେ ବନ ବିଭାଗ ପକ୍ଷରୁ ଏକ ଟିମ୍ ପ୍ରତିଦିନ ଜଙ୍ଗଲକୁ ଯାଇ ହାତୀପଲର ଗତିବିଧି ଅନୁଧ୍ୟାନ କରିବା ସହ ସେମାନଙ୍କୁ ତଡ଼ିବାରେ ବିଭିନ୍ନ ପନ୍ଥା ଅବଲମ୍ବନ କରିଛି |

Advertisment

ସୂଚନା ଅନୁଯାୟୀ ଗତ କିଛି ବର୍ଷ ଧରି ଓଡ଼ିଶା ସୀମାନ୍ତରେ ଛତିଶଗଡ ହାତୀପଲର ପ୍ରବେଶ କରିବା ସହ ମକା ଓ ଧାନ ଫସଲ ନଷ୍ଟ କରିଆସୁଛନ୍ତି l ପ୍ରତିବର୍ଷ ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ କରିବା ସହିତ ଇତି ମଧ୍ୟରେ ଜଣକର ଜୀବନ ମଧ୍ୟ ଯାଇ ସାରିଛି l ଏହି ପରିପେକ୍ଷୀରେ ଗତ ଶୁକ୍ରବାର ରାତିରେ କୁନ୍ଦେଇ ପଂଚାୟତ ଅନ୍ତର୍ଗତ ଖିଲୋଲୀ ଓ ଭୁରୁଖାମହୁଲି ଜଂଗଲରେ ହାତୀପଲ ପ୍ରବେଶ କରିଥିଲେ l ଛୋଟ ଓ ବଡ଼କୁ ମିଶାଇ ପ୍ରାୟ ୨୮ ଗୋଟି ହାତୀର ଏକ ହାତୀପଲ ଓଡ଼ିଶା ସୀମାନ୍ତରେ ରାତିରେ ପ୍ରବେଶ କରୁଥିବା ଜଣାପଡ଼ିଛି | ଗତ ଶୁକ୍ରବାର ରାତିରେ ସମରଡିହୀ ଗ୍ରାମରେ ଏହି ହାତିପଲ ପଶିଥିଲେ l ତା ପରଦିନ ସକାଳୁ ବନ ବିଭାଗ ଖବର ପାଇ ଜଂଗଲ ମଧ୍ୟରେ ପ୍ରବେଶ କରି ହାତୀପଲର ଗତିବିଧି ଅନୁଧ୍ୟାନ କରିଥିଲେ | କୁନ୍ଦେଇ ବନ ବିଭାଗର ବନରଖୀ ଭବାନୀ ଶଂକର ବିଶୋଈଙ୍କ ନେତୃତ୍ବରେ ୱାଇଲ୍‌ଡ ଲାଇଫ୍ ଷ୍ଟାଫ ଓ ପାରାଗାର୍ଡ ଷ୍ଟାଫ ର ମିଳିତ ଭାବେ ରାତିରେ ପେଟ୍ରୋଲିଂ କରି ହାତୀପଲ ଘଉଡ଼ାଇ ଥିଲେ l

ଗତକାଲି ରାତିରେ ଭୁରୁଖାମହୁଲି ଅଂଚଳରେ ଏହିି ହାତୀପଲ ପ୍ରବେଶ କରି ଅମଳ ହୋଇଥିବା ଧାନ ଫସଲ ଖାଇ ନଷ୍ଟ କରିଥିବା ଜଣାପଡିଛି | ଏହି ପରିପେକ୍ଷୀରେ ଉକ୍ତ ଗ୍ରାମର ସରବନ ଗଣ୍ଡ ଓ କୁନ୍ତି ବାଈଙ୍କ ଅମଳ ଧାନ ନଷ୍ଟ କରିଥିବା ଅଭିଯୋଗ ହୋଇଛି | ବନ ବିଭାଗ ଓ ତହସିଲଦାରଙ୍କ ମିଳିତ ତଦନ୍ତ ପରେ କ୍ଷତିପୁରଣ ବ୍ୟବସ୍ଥା କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l ଗତ କାଲି ରାତିରେ ହାତୀପଲ ପ୍ରବେଶ କରିବା ଦେଖି ସେଠାକାର ଗ୍ରାମବାସୀ ଏକାଠି ହୋଇ ସେମାନଙ୍କୁ ତଡ଼ିବାକୁ ଚେଷ୍ଟା କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା | ଏହି ଜଂଗଲୀ ହାତୀମାନେ ବାରମ୍ବାର ଜନବସତି ଅଞ୍ଚଳରେ ପ୍ରବେଶ କରୁଥିବା ଯୋଗୁଁ ଲୋକଙ୍କୁ ଦେଖି ଦେଖି ଆଉ ମଣିଷ ପ୍ରତି ଭୟ ଦୂରେଇ ଗଲାଣି l ଯଦି ଏହି ଭଳି ଲଗାତାର ହାତୀପଲ ଓଡ଼ିଶା ଆସି ମକା ଫସଲ ନଷ୍ଟ କରନ୍ତି ତା ହେଲେ ତା ହେଲେ ଆଗାମୀ ଦିନରେ ଚାଷୀମାନେ ଜଂଗଲ ଜମିରୁ ଦୂରେଇ ଯିବେ ବୋଲି ଆଲୋଚନା ହେଉଛି |